କନକ ବ୍ୟୁରୋ:ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମଥର ପାଇଁ ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି । ବର୍ତ୍ତମାନ ବିଧାନସଭାରେ ପହଞ୍ଚି ସାରିଛନ୍ତି , କଡ଼ା ସୁରକ୍ଷା ଭିତରେ ବିଧାନସଭାରେ ପହଞ୍ଚିଲେ ମହାମହିମ । ବିଧାନସଭାରେ ତାଙ୍କୁ ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଏହା ସହ କେନ୍ଦ୍ରମନ୍ତ୍ରୀ , ମନ୍ତ୍ରୀ ଓ ବିଧାୟକ ମଧ୍ୟ ସ୍ୱାଗତ କଲେ । 

Advertisment

ପୂର୍ବରୁ କୌଣସି ରାଷ୍ଟ୍ରପତି ଓଡ଼ିଶା ବିଧାନସଭାରେ ଉଦବୋଧନ ଦେଇନଥିଲେ । ତେଣୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ସମସ୍ତ ବିଧାୟକଙ୍କ ବ୍ୟତୀତ ପୂର୍ବତନ ବିଧାୟକ, ସରକାରଙ୍କର ବରିଷ୍ଠ ପଦାଧିକାରୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବିଧାନସଭା ଏବଂ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଥିବାବେଳେ ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠରେ ବସୁଥିଲେ । ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି କିଛି ସମୟ ବିତାଇ ପୁରୁଣା ସ୍ମୃତିକୁ ଯେପରି ମନେ ପକାଇବେ ସେଥିପାଇଁ ଏହି ପ୍ରକୋଷ୍ଠକୁ ନୂଆ ରୂପ ଦିଆଯାଇଛି। ବିଧାନସଭାରେ କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ରାଜଭବନ ଫେରି ରାଜ୍ୟପାଳଙ୍କ ସ୍ବତନ୍ତ୍ର ନୈଶ୍ୟ ଭୋଜିରେ ଯୋଗଦେବେ । ୨୮ତାରିଖ ପୂର୍ବାହ୍ଣ ୯ଟା ୧୫ରେ ରାଷ୍ଟ୍ରପତି ଓଡ଼ିଶାରୁ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୨୦୦ ଅଫିସର ଓ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ--ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ

ତେବେ ଶୀତକାଳୀନ ବିଧାନସଭା ଅଧିବେଶନ ପାଇଁ ବସିଥିଲା ବିଜେପି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଏହି ବୈଠକରେ ଯୋଗ ଦେଇ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଆସନ୍ତା ୨୮ ତାରିଖ ଦିନ ପ୍ରଥମ ସପ୍ଲିମେଂଟାରୀ ବଜେଟ ଉପସ୍ଥାପନ ହେବ । ବିରୋଧୀ ଦଳ ତରଫରୁ ଯେଉଁ ପ୍ରସଙ୍ଗ ଉପସ୍ଥାପନା କରାଯିବ, ସମସ୍ତ ପ୍ରଶ୍ନର ଜବାବ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିସହ ୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।