କନକ ବ୍ୟୁରୋ : ଶୀତ ଦିନରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଯାଜପୁରର ବାରୁଣାବନ୍ତ ପର୍ଯ୍ୟଟନସ୍ଥଳୀ । ସ୍ଥାନୀୟ ସରପଞ୍ଚଙ୍କ ନିରନ୍ତର ପ୍ରୟାସରେ ମନ ମୋହୁଛି ଗ୍ରାମୀଣ ପାର୍କ । ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟୁଛି । ମନୋରମ ଉଦ୍ୟାନ ସାଙ୍ଗକୁ ବୋଟିଂର ମଜା ଉଠାଉଛନ୍ତି ପର୍ଯ୍ୟଟକ । ବଡ଼ଚଣା ବ୍ଲକ ଭୁଷଣ୍ଡପୁର ପଞ୍ଚାୟତର ସରପଞ୍ଚ ଯଯାତି କେଶରୀ ରାଉତ । ଯାହାଙ୍କ ଦୂରଦୃଷ୍ଟି ଓ ନିରନ୍ତର ପ୍ରୟାସ ଫଳରେ ବାରୁଣାବନ୍ତ ଏବେ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦିନେ ଟାଙ୍ଗରା ଭୂଇଁ ପାଲଟିଥିବା ପଥରକଟା ଅଞ୍ଚଳକୁ ସବୁଜିମାରେ ପରିଣତ କରିଛନ୍ତି ସରପଞ୍ଚ ବାବୁ । କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନାରେ ପୋଖରୀର ପୁନଃଉଦ୍ଧାର କରି ଏହାକୁ ମଡେଲ ପୋଖରୀରେ ରୂପାନ୍ତରିତ କରିଛନ୍ତି । ବିଭିନ୍ନ ଯୋଜନାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ମନୋରମ ଉଦ୍ୟାନଟିଏ କରି ସ୍ଥାନଟିକୁ ନୂଆ ରୂପ ଦେଇଛନ୍ତି ।

Advertisment

ରାଜ୍ୟର ପ୍ରମୁଖ ଶୈବପୀଠ ମହାବିନାୟକ ମନ୍ଦିରଠାରୁ ଅଳ୍ପ ଦୂରରେ ରହିଛି ବାରୁଣାବନ୍ତ ପର୍ଯ୍ୟଟନସ୍ଥଳୀ । ପର୍ଯ୍ୟଟକଙ୍କୁ ସ୍ୱଳ୍ପ ମୂଲ୍ୟରେ ରୋଷେଇ ସରଞ୍ଜାମ ଯୋଗାଇବା ପାଇଁ ଦୋକାନ ଖୋଲାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସାଢ଼େ ୫ ଏକର ପରିମିତ ଜମିରେ ଥିବା ପୋଖରୀରେ ବୋଟିଂକୁ ପରିଚାଳନା କରାଯାଉଛି । ଯାହା ଦ୍ବାରା ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ । ଏହା ଦ୍ବାରା ପାଖାପାଖି ୪୦ ଜଣ ପୁରୁଷ ଓ ମହିଳା ରୋଜଗାର ପାଇପାରିଛନ୍ତି । ତେବେ ପିକନିକ ଋତୁରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବାରୁଣାବନ୍ତ ପର୍ଯ୍ୟଟନସ୍ଥଳୀର ଅଧିକ ବିକାଶ ହୋଇପାରିଲେ ଏହା ଅଧିକ ଆକର୍ଷଣୀୟ ହେବା ସହ ରୋଜଗାର ମଧ୍ୟ ବଢିପାରନ୍ତା ।

ଅଧିକ ପଢ଼ନ୍ତୁ---ଜୀବନ ପାଇଁ ଜୀବିକା ; ଦିବ୍ୟାଙ୍ଗ ବାପା ପୁଅଙ୍କ ସଂଘର୍ଷ