କନକ ବ୍ୟୁରୋ: ନିଜର ପୁରାତନ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱାସ କରୁଥିବା ବିରଳ ଜନଜାତି ଲାଞ୍ଜିଆ ସୌରା । ଲୋପ ପାଇ ଯାଉଥିବା ଚିତ୍ରକଳାକୁ ଉଜ୍ଜୀବିତ କରିବା ସହ ପୂର୍ବ ପୁରୁଷଙ୍କ ପ୍ରତୀକ ଭାବେ ଏହି ଜନଜାତି ସମ୍ପ୍ରଦାୟର ଲୋକେ ଘରର କାନ୍ଥରେ ବିଭିନ୍ନ ପ୍ରକାର ଅଦ୍ଭୁତ ଚିତ୍ରକଳା ଆଙ୍କିଥାନ୍ତି । ଏମାନଙ୍କ ଦ୍ୱାରା ଅଙ୍କାଯାଉଥିବା କାନ୍ଥ ଚିତ୍ର କେବଳ କଳା ନୁହେଁ, ଏହା ହେଉଛି ଜନ ଜାତି ସମ୍ପ୍ରଦାୟ ଲୋକଙ୍କ ବିଶ୍ୱାସ ଓ ପରମ୍ପରାର ପ୍ରତୀକ ।
ଲାଞ୍ଜିଆ ସୌରା ସମ୍ପ୍ରଦାୟ । ରାଜ୍ୟର ବିରଳ ଓ ପୁରାତନ ଜନଜାତି। ପୂର୍ବଘାଟ ପର୍ବତମାଳା ପାଦଦେଶରେ ଥିବା ଗୁଣପୁର ବ୍ଲକର ପୁଟାସିଂ, ଜଲତାର, ଟଳଣା, ଶଗଡ଼ା, ଆବାଡ଼ା, ଚିନାସାରି ଓ କୁଲସିଂ ପଞ୍ଚାୟତରେ ବସବାସ କରନ୍ତି ଏମାନେ। ଏହି ଜନଜାତିଙ୍କ ଜୀବନଶୈଳୀ ଓ ବେଶଭୂଷା ଟିକେ ନିଆରା । ଏମାନଙ୍କ ଠାରୁ ନିଆରା ହେଉଛି ଏମାନଙ୍କ ଚିତ୍ରକଳା। ଯାହା ଇଡ଼ିତାଲ୍ ନାମରେ ପରିଚିତ । ଇଡ଼ିର ଅର୍ଥ ଚିତ୍ର, ତାଲ୍ର ଅର୍ଥ କାନ୍ଥ। ଚାଉଳ ପିଠଉକୁ ସରୁ ବାଉଁଶ କାଠିର ସହାୟତାରେ ଦେବାଦେବୀଙ୍କୁ ଆବାହନ କରି ଘରର କାନ୍ଥରେ ଚିତ୍ର ଆଙ୍କିଥାନ୍ତି ଆଦିମ ମଣିଷ । ଏହା କେବଳ ଏକ କଳା ନୁହେଁ, ଲୋକଙ୍କ ବିଶ୍ବାସ ଓ ପରମ୍ପରାର ପ୍ରତୀକ ।
ଅଧିକ ପଢନ୍ତୁ: ଭଙ୍ଗାଘରେ ଉଜ୍ଜ୍ୱଳ ପ୍ରତିଭା; ଶୁଭଶ୍ରୀଙ୍କ ଚିତ୍ରକଳା ପାଇଁ ଚାରିଆଡ଼େ ଚର୍ଚ୍ଚା
ଘରର କିଛି ଶୁଭ କାମ ହେଉ କି, କାହାର କିଛି ଦେହ ଖରାପ ହେଲେ ଇଡିତାଲ୍କୁ ପୂଜା କରିଥାନ୍ତି ଆଦିମ ମଣିଷ । ଚିତ୍ରକଳାରେ ପିତୃପୁରୁଷଙ୍କୁ ସ୍ଥାନିତ କରି ସ୍ମରଣ କଲେ ଘରର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି। ଗତ ବର୍ଷ ଏହି ଚିତ୍ର କଳାକୁ ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ୍ ମିଳିଛି। ଲାଞ୍ଜିଆ ସୌରା ଜନଜାତିର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି। ବିଭାଗର ସହାୟତାରେ କାମ କରୁଛନ୍ତି ୨୫୦ରୁ ଅଧିକ ଇଡ଼ିତାଲ୍ ଚିତ୍ରଶିଳ୍ପୀ । ଛାତ୍ରଛାତ୍ରୀଙ୍କୁ ଚିତ୍ରକଳା ସମ୍ବନ୍ଧରେ ତାଲିମ ମଧ୍ୟ ପ୍ରଦାନ କରାଯାଉଛି । ଆଧୁନିକତାର ଛାପରେ ଅନେକ ସଂସ୍କୃତି ଓ ପରମ୍ପରା ଲୋପ ପାଇଯାଉଥିବା ବେଳେ ଲାଞ୍ଜିଆ ସୌରା ଜନଜାତିଙ୍କ ଏହି ପ୍ରୟାସ ଆଗାମୀ ଆଦିବାସୀ ପିଢୀଙ୍କୁ ପ୍ରେରଣା ଯୋଗାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/paintings-2026-02-12-18-52-36.jpg)