କନକ ବ୍ୟୁରୋ : ଆଜି ବିଶ୍ୱ ଏଡସ୍‌ ଦିବସ । ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ ଗଞ୍ଜାମ ଜିଲ୍ଲା । ଜିଲ୍ଲାର ପ୍ରାୟ ସମସ୍ତ ବ୍ଳକ ଏଡସ୍‌ ଭଳି ମାରାତ୍ମକ ରୋଗ ଦ୍ୱାରା କବଳିତ । ତେବେ ଯୁବପିଢ଼ି ଓ କିନ୍ନରଙ୍କ ମଧ୍ୟରେ ଏହି ରୋଗର ସ୍ଥିତି ଉଦବେଗଜନକ ନେଇ ବିଭିନ୍ନ ସର୍ଭେରୁ ଜଣାପଡ଼ିଛି । ଯାହା ଭୟଙ୍କର ରୂପ ନେବାର ଆଶଙ୍କା କରାଯାଉଛି ।  
କିଛି ସମୟର ଖୁସି ଜୀବନକୁ କରିଦେଇଛି ଦୁର୍ବିସହ । ଯୁବାବସ୍ଥାର ଭୁଲ୍‌ ପାଇଁ ୫୦ ବର୍ଷ ବୟସରେ କରୁଛନ୍ତି ପଶ୍ଚାତାପ । ମାତ୍ର ୨୯ ବର୍ଷ ବୟସରେ ଏଡସ୍‌ରେ ସଂକ୍ରମିତ ହୋଇ ଜୀବନକୁ ଏକାକୀ ଜିଉଁଛନ୍ତି । ନିଜ ଭୁଲ୍‌ ପାଇଁ ଆଉ ଜଣେ କଷ୍ଟ ନପାଉ ସେଥିପାଇଁ ବିବାହ ଠାରୁ ଦୂରେଇ ଯାଇଛନ୍ତି । ଜୀବନକୁ ନିଜ ଶୈଳୀରେ ଉପଭୋଗ କରୁଥିଲେ । ପରିସ୍ଥିତି ଏଡସ୍‌ ଯାଏଁ ନେଇଯାଇଛି । ଦିନେ ଜୀବନଟା ଏଇଠି ସରିଯିବ ବୋଲି ଭାବିଥିଲେ । କିନ୍ତୁ ହାରିନାହାନ୍ତି, ଏଡସ୍‌ ବିରୋଧରେ ସଚେତନତା କରିବା ପାଇଁ ବାଛିନେଇଛନ୍ତି ସ୍ବେଚ୍ଛାସେବୀର ଜୀବନ । 

Advertisment

ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଚାଲିଛି ଏଡସ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମ । ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତଥାପି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଆଉ ତାଲିକାର ପ୍ରଥମ ସ୍ଥାନରେ ରହିଛି ଗଞ୍ଜାମ । ଜିଲ୍ଲାର ୧୫ ରୁ ୨୨ ବର୍ଷର କଲେଜ ଛାତ୍ର ଓ କିନ୍ନର ମଧ୍ୟ ଆକ୍ରାନ୍ତ । ନିଶା କାରବାର, ଅସୁରକ୍ଷିତ ଓ ଅପ୍ରାକୃତିକ ଯୌନ ସମ୍ପର୍କକୁ ଏଥିପାଇଁ ଦାୟୀ କରାଯାଉଛି । ୨୦୦୦ରୁ ୨୦୨୫ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ୬୬,୧୨୧ । ସେଥିମଧ୍ୟରୁ ଏଆରଟି ସେଣ୍ଟରରେ ପଞ୍ଜୀକୃତଙ୍କ ସଂଖ୍ୟା ୫୪ ହଜାର ୩୬୦ । ମୃତ ରୋଗୀଙ୍କ ସଂଖ୍ୟା ୧୩ ହଜାର ୪୫୭ । ଗତ ୫ ବର୍ଷରେ ଗଞ୍ଜାମରେ ପଞ୍ଜୀକୃତ ୧୯ ହଜାର ୪୦ ସଂକ୍ରମିତ, ୧୮୮୦ ମୃତ । ପୁରୁଷ ୧୦ହଜାର ୯୮୮, ମହିଳା ୫ ହଜାର ୮୧୯, ୧୦୭୭ ଗର୍ଭବତୀ, ୧୬୪ କିନ୍ନର ଓ ୯୯୨ଜଣ ଶିଶୁ ।

ଅଧିକ ପଢ଼ନ୍ତୁ--୧୦ ଦିନ ଗଲାନି ୧୦ କୋଟିର କାମ ; ପିଠା ପରି ଉଠିଯାଉଛି ପିଚୁ ରାସ୍ତା

ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ କିମ୍ବା ଜାତୀୟ ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ସେଭଳି କିଛି କରାଯାଉନଥିବା ଅଭିଯୋଗ ହୋଇଛି । ନିରାକରଣ ଓ ସଚେତନତା କ୍ଷେତ୍ରରେ ଅଣଦେଖା କରାଯାଉଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ଜିଲ୍ଲା ଏଡ୍ସ ନିରାକରଣ ଓ ପ୍ରତିରୋଧ ୟୁନିଟ ମୁଖ୍ୟ ।