କନକ ବ୍ୟୁରୋ: ଏଡସ୍ ବ୍ୟାପିଲା, ଚିନ୍ତା ବଢିଲା । ସମ୍ବଲପୁର ଏବେ ଏଡସ୍‌ ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି । ଜେଲ ଭିତରେ କଏଦୀ ସଂକ୍ରମିତ, ଜିଲ୍ଲାରେ ବଢୁଛି ଏଚଆଇଭି ପଜିଟିଭଙ୍କ ସଂଖ୍ୟା । କିନ୍ତୁ ଜେଲ ଭିତରେ କେମିତି ବ୍ୟାପୁଛି ଏଡସ ତାହାର ଉତ୍ତର କାହା ପାଖରେ ନାହିଁ । 

Advertisment

ସମ୍ବଲପୁର ମଣ୍ଡଳ କରାଗାରରୁ ଆସିଥିବା ଏ ସଂଖ୍ୟା ଛୋଟ ଲାଗୁଥାଇପାରେ କିନ୍ତୁ ସମସ୍ୟା ବିରାଟ ବଡ଼ । ଜେଲରେ ଯୌନ ସମ୍ପର୍କ କିମ୍ବା ଡ୍ରଗ୍ସ ନେବା ବାରଣ ଥିବା ବେଳେ କେମିତି ସଂକ୍ରମିତ ହେଉଛନ୍ତି କଏଦୀ? ୩ ସଂକ୍ରମିତଙ୍କ ମଧ୍ୟରୁ ଦୁଇ କଏଦୀ ସମ୍ବଲପୁର ଜିଲ୍ଲାର ଏବଂ ଜଣେ ଅନ୍ୟ ଜିଲ୍ଲାର । ତେଣୁ ଜେଲ ଭିତରେ କିଭଳି ଏଡ଼ସ୍‌ ସଂକ୍ରମଣ ବ୍ୟାପୁଛି? ଜେଲ ଯିବା ପୂର୍ବରୁ କଏଦୀଙ୍କର ହେଉନି କି ଏଚଆଇଭି ପରୀକ୍ଷା? ତାହା ଏବେ ସବୁଠୁ ବଡ ପ୍ରଶ୍ନ । 

ଜେଲ ଭିତରେ କେବଳ ଏଡସ୍ ବ୍ୟାପୁନି ବରଂ ସମ୍ବଲପୁର ସହରରେ ଏଡସ୍‌ ଏବେ କାୟା ମେଲାଇଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ଜିଲ୍ଲାରେ ୧୮୬ ଜଣ ଏଡସ ରୋଗୀ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ୧୩୦ ଜଣ ପୁରୁଷ ଓ କିନ୍ନର ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ମହିଳା ଓ ୯ ଜଣ ଗର୍ଭବତୀ ମହିଳା ଏଚଆଇଭି ପିଜିଟିଭ୍ । କେବଳ ଅଗଷ୍ଟରେ ଚିହ୍ନଟ ୯ ଜଣ ଏଡସ୍‌ ସଂକ୍ରମିତଙ୍କ ମଧ୍ୟରେ ୨ ଜଣ କିନ୍ନର ରହିଛନ୍ତି। ଏଚଆଇଭି ପରୀକ୍ଷା କଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ଏଡସ୍ କାଉନସିଲର । 

ଏଡସ୍‌ ସଂକ୍ରମଣ ରୋକିବାକୁ ସଚେତନତା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଫଳ ଶୂନ। ଯାହାର ନଗ୍ନ ଉଦାହରଣ ହେଉଛି ସମ୍ବଲପୁର।