କନକ ବ୍ୟୁରୋ: କୂଅ…ଗାଁ ଗାଁରେ, ଘରେ ଘରେ ଥିଲା । ଅବଶ୍ୟ ଆଜିକା ଆଧୁନିକ ଦୁନିଆରେ କୂଅର ବ୍ୟବହାର କମିଛି, କୂଅ ସଂଖ୍ୟା ବି କମିଛି । କିନ୍ତୁ ଆଜି ବି ଅନେକ ଅଂଚଳରେ କୂଅର ପାଣିକୁ ବ୍ୟବହାର କରୁଛନ୍ତି ଗାଁ ଲୋକେ । କେବଳ ଓଡ଼ିଶାରେ ନୁହେଁ ବରଂ ପୂରା ଭାରତ ବର୍ଷରେ କୂଅର ବ୍ୟବହାର ଆଜି ବି ହେଉଛି । ହେଲେ ଫ୍ରାନ୍ସର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ଚାଲିଛି । କାରଣ କୁହାଯାଉଛି, ସେଠାକାର କୂଅରେ ରହିଛି ଅନ୍ୟ ଗ୍ରହକୁ ରାସ୍ତା । ଖାଲି ଏତିକି ନୁହେଁ ବରଂ ସେହି କୂଅରେ ଯିଏ ଥରେ ପଶିଛି ସିଏ କେବେ ବାହାରକୁ ବାହାରିନି । ହେଲେ ସେହି କୂଅରେ ଅଛି କଣ ତାହାକୁ ନେଇ କିନ୍ତୁ ଚର୍ଚ୍ଚା ଥମିନି ।
ଏଇ କୂଅରେ ଅଛି ଅନ୍ୟ ଗ୍ରହକୁ ରାସ୍ତା
ଯିଏ ଥରେ ପଶିଛି, ଆଉ ବାହାରିନି
ଟୋନରିର ରହସ୍ୟମୟ କୂଅ
ଯେଉଁଠି କେବେ ବି ପାଣି ଶୁଖେନି
ଫ୍ରାନ୍ସର ଟୋନରିରେ ଏମିତି ଏକ କୂଅ ରହିଛି ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ସେହି କୂଅରେ ନା କେବେ ପାଣି ଶୁଖୁଛି ନା ସେ କୂଅକୁ ଯିଏ ଯାଉଛି ସେଇଠୁ ବାହାରୁଛି । କିନ୍ତୁ ସେହି କୂଅକୁ ସ୍ଥାନୀୟ ଲୋକେ ପବିତ୍ର କୂଅର ମାନ୍ୟତା ଦେଇଛନ୍ତି ଏବଂ ତାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କୁହାଯାଉଛି କି, କୂଅରେ ପ୍ରବଳ ମାତ୍ରାରେ ପାଣି ବାହାରୁଛି । ତାହା ପୁଣି ଆପେ ଆପେ । ତେଣୁ ସ୍ଥାନୀୟ ବାସିନ୍ଦାମାନେ ଏହି କୂଅ ପାଖରେ ବନ୍ଧ ବାନ୍ଧିଛନ୍ତି । ହେଲେ ଲୋକେ ଠିକ୍ରେ ଜାଣିନାହାନ୍ତି କି ସେ କୂଅ ତଳେ କଣ ଅଛି । ଯେଉଁ କାରଣ ଲାଗି କୂଅରେ ପ୍ରବେଶ କରୁଥିବା ବ୍ୟକ୍ତିବିଶେଷମାନେ ଗାଏବ ହେଉଛନ୍ତି ।
ଅନେକ ଲୋକଙ୍କର ଗଲାଣି ପ୍ରାଣ
କୂଅରେ ପ୍ରବେଶ କରିବା ପରେ ଅନେକ ଲୋକଙ୍କର ପ୍ରାଣ ଯାଇଛି । ହେଲେ ପ୍ରକୃତରେ କେତେ ଲୋକଙ୍କର ଜୀବନ ଯାଇଛି ତାହା ସଠିକରେ ଜଣାପଡିନି । ପ୍ରଥମଥର ଲାଗି ୧୯୦୮ ମସିହାରେ କୂଅରେ କଣ ଅଛି ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା । ଅବଶ୍ୟ ଏଥିରେ ସଫଳତା ମିଳିନଥିଲା । ପରବର୍ତ୍ତୀ ସମୟରେ ପୁଣି ଥରେ ୧୯୫୫ ଓ ୧୯୬୨ ମସିହାରେ ବି କୂଅରେ ପ୍ରବେଶ ପାଇଁ ଉଦ୍ୟମ କରାଯାଇଥିଲା ହେଲେ ସଫଳତା ମିଳିନଥିଲା । ପରବର୍ତ୍ତୀ ସମୟରେ ପୁଣି ଥରେ ୧୯୬୩ ମସିହାରେ କୂଅରେ ପ୍ରବେଶ କରିବା ପରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ୧୯୭୪ ମସିହାରେ କୂଅରେ ପ୍ରବେଶ କରିଥିବା ବ୍ୟକ୍ତି ନିଖୋଜ ହେବା ପରେ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ୧୯୯୬ରେ ପୁଣି ଜଣଙ୍କର କୂଅରେ ପଶିବା ପରେ ମୃତ୍ୟୁ ହୋଇଥିଲା । ସେଇଥିଲାଗି ୨୦ ବର୍ଷ ପର୍ଯ୍ୟନ୍ତ କୂଅରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଗଲା ।
ମୋଟ ଉପରେ କୂଅରେ ପ୍ରକୃତରେ କଣ ଅଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ କୂଅକୁ ନେଇ ରହସ୍ୟ ଅନେକ ଥିବା ସ୍ଥାନୀୟ ବାସିନ୍ଦା କହୁଥିବା ବେଳେ କେହି କେହି କହୁଛନ୍ତି ଏହି କୂଅରେ ଅନ୍ୟ ଗ୍ରହକୁ ରାସ୍ତା ଅଛି । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।