କନକ ବ୍ୟୁରୋ : ମଣ୍ଡି ପରିଚାଳନାରେ ସାଂଘାତିକ ଅବ୍ୟବସ୍ଥା । ମଣ୍ଡିରେ ବିକ୍ରି ହୋଇପାରୁନି ଧାନ । ଶୀତ କାକରରେ ଉଜାଗର ହୋଇ ଧାନ ବିକ୍ରି ଅପେକ୍ଷାରେ ଚାଷୀ , ଆରମ୍ଭରୁ ଝୁଣ୍ଟୁଛି ମଣ୍ଡି । ଗୋଟିଏ ଦୁଇଟି ସ୍ଥାନ ନୁହେଁ, ରାଜ୍ୟର ଶହ ଶହ ମଣ୍ଡିରେ ଚରମ ବିଶୃଙ୍ଖଳାର ଚିତ୍ର । ଚଳିତବର୍ଷ ଗୋଟିଏ ବି ମଣ୍ଡି ସଠିକ ଢଙ୍ଗରେ ଚାଲିବା ଭଳି ମନେ ହେଉନି । ଯେଉଁଠି ଖୋଲିଛି, ସେଇଠି ଝୁଣ୍ଟିଛି । ଧାନ ବିକା ଏବେ ଚାଷୀଙ୍କ ପାଇଁ ଯନ୍ତ୍ରଣା ପାଲଟିଛି । କେତେବେଳେ ଟୋକନ୍‌ ମିଳୁନି ତ ଆଉ କେତେବେଳେ ମଣ୍ଡି ଖୋଲୁନି । ଆଉ ଯେଉଁଠି ମଣ୍ଡି ଖୋଲିଛି, ସେଠୁ ଧାନ ଉଠୁନି । ଏମିତି ଯାବତୀୟ ସମସ୍ୟା ଦେଇ ଗତି କରୁଛନ୍ତି ପଶ୍ଚିମରୁ ଦକ୍ଷିଣ ଯାଏଁ ଚାଷୀ । 

Advertisment

ଚାଷୀଙ୍କୁ ମଣ୍ଡି ବ୍ୟବସ୍ଥା ନାକେଦମ୍‌ କରିଛି । ଚାଷଠୁ କଷ୍ଟ ଫସଲ ବିକ୍ରି କରିବା ହୋଇଗଲାଣି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ବି ଏବେ ମଣ୍ଡି ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ସ୍ଥାନୀୟ ବଂଶାଜାଲ ସେବା ସମବାୟ ସମିତି ଅଧୀନ ବଂଶାଜାଲ ଏବଂ ଗରଗଡ଼ବାହାଲ ୨ଟି ଧାନ କ୍ରୟ କେନ୍ଦ୍ରରେ ଧାନ କିଣାକୁ ନେଇ ଅବ୍ୟବସ୍ଥା ଦେଖାଦେଇଛି । ୧୧ ଦିନରୁ ଅଧିକ ହେଲାଣି ବଂଶାଜାଲ ଧାନ ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ । କାକର ଖାଉଛି ବର୍ଷକର ପରିଶ୍ରମ । ଏହି କେନ୍ଦ୍ରରେ ୧୮ଜଣ ଚାଷୀଙ୍କ ୧୭୪୦ ବସ୍ତା ଧାନ ପଡ଼ିରହିଛି । ହାଡ଼ଭଙ୍ଗା ଶୀତ କାକରରେ ନିଆଁ ଜାଳି ରାତି ତମାମ୍ ଚାଷୀ ଧାନ ବସ୍ତା ଜଗି ରହିଛି । 

ଅଧିକ ପଢ଼ନ୍ତୁ---ଚିନ୍ତା ବଢାଇଲାଣି ଅନୁଗୁଳର ବାୟୁ ପ୍ରଦୂଷଣ ; ହୋଇପାରୁନି ସମାଧାନ

ସେପଟେ ସେବା ସମବାୟର ସମ୍ପାଦକ ଓ ଏଆର୍ ସି ଏସ୍ ଖୁବ୍ ଶୀଘ୍ର ଧାନ ଉଠିବା ନେଇ ମିଲର୍ସଙ୍କ ସହିତ କଥା ହୋଇଥିବା କହିଛନ୍ତି । ହେଲେ ମିଲର୍ସଙ୍କ ଦେଖାମିଳୁନି । ସୋମବାର ଭିତରେ ଧାନ ନ ଉଠିଲେ ବଂଶାଜାଲ ସେବା ସମବାୟ ସମିତିରେ ତାଲା ପକାଇବା ସହିତ ୫୫ନଂ ଜାତୀୟ ରାଜପଥର ହିନ୍ଦୋଳ ଛକଠାରେ ଧାନ ବସ୍ତା ରଖି  ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । 

ଏ ସଂକ୍ରାନ୍ତରେ ସେବା ସମବାୟ ସମିତିର ସମ୍ପାଦକ ଓ ଏଆର୍‌ସିଏସ୍‌ଙ୍କୁ ଯୋଗାଯୋଗ କରିବାରୁ ବଂଶାଜାଲ୍ କ୍ରୟ କେନ୍ଦ୍ରରୁ ଖୁବ୍ ଶୀଘ୍ର ଧାନ ଉଠିବା ନେଇ ମିଲର୍ସଙ୍କ ସହିତ ଆଲୋଚନା ହୋଇଛି । ନୂଆବର୍ଷ ଓ ପୁଷପୁନେଇ ଥିବାରୁ ମିଲର୍ସମାନେ ବ୍ୟସ୍ତ ହେତୁ ଧାନ ଉଠିପାରି ନାହିଁ ଖୁବ୍ ଶୀଘ୍ର ଧାନ ଉଠିବ ବୋଲି ପ୍ରକାଶ କରିଛନ୍ତି ।