କନକ ବ୍ୟୁରୋ : ବିଧାନସଭା ଶୂନ୍ୟକାଳରେ ଆଜି ପୁଣି ଥରେ କୋଟିଆ ସୀମା ବିବାଦ ପ୍ରସଙ୍ଗ ଜୋରସୋରରେ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ରାମ କାଡ଼ାମ ଗୃହରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ବର୍ଷିଛନ୍ତି । କାଡ଼ାମ ଅଭିଯୋଗ କରିଛନ୍ତି ଯେ, କୋଟିଆରେ ଆନ୍ଧ୍ର ପ୍ରଦେଶର ଦାଦାଗିରି ଚରମ ସୀମାରେ ପହଞ୍ଚିଛି । ଆନ୍ଧ୍ରର ଏଜେଣ୍ଟମାନେ ଓଡ଼ିଶା ସୀମାରେ ଅନୁପ୍ରବେଶ କରି ଓଡ଼ିଶା ସରକାରଙ୍କ ବୋର୍ଡ଼ ଓ ଫଳକ ଭାଙ୍ଗି ଦେଉଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଯେ, ସବୁ ଦେଖି ମଧ୍ୟ ରାଜ୍ୟ ସରକାର କୌଣସି ଦୃଢ ପଦକ୍ଷେପ ନେଉନାହାନ୍ତି । କୋଟିଆ ବିବାଦ ବହୁ ବର୍ଷର ପୁରୁଣା ହୋଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କୋରାପୁଟ ଗସ୍ତରେ ଯାଉଛନ୍ତି, କିନ୍ତୁ କୋଟିଆ ଯିବାକୁ ସାହସ କରୁନାହାନ୍ତି । ସରକାର ଯଦି ଏମିତି ଅନେଇ ବସି ରୁହନ୍ତି, ତେବେ ଆନ୍ଧ୍ର ଦିନେ କୋଟିଆକୁ ଓଡ଼ିଶା ହାତରୁ ଛଡ଼ାଇ ନେଇଯିବ । ଏହି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଘଟଣାରେ ବାଚସ୍ପତି ଏକ ରୁଲିଂ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ--କୋଟିଆ ପିଛା ଛାଡ଼ୁନି ଆନ୍ଧ୍ର; ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ
ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ବର୍ଷ ଧରି ଲାଗି ରହିଛି ଦୁଇ ରାଜ୍ୟ ମଧ୍ୟରେ ବିବାଦ । ବଦଳିଲେ ସରକାର କିନ୍ତୁ ବଦଳିନି କୋଟିଆ । ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର, ତଥାପି ସମାଧାନ ହୋଇପାରିନି କୋଟିଆ ବିବାଦ । ଦିନକୁ ଦିନ ବଢ଼ିବାରେ ଲାଗୁଛି ଅନୁପ୍ରବେଶ । ଅନୁପ୍ରବେଶ ସାଙ୍ଗକୁ ଦାଦାଗିରି କରି ଲୋକଙ୍କ ପାଖରେ ପହଞ୍ଚିବା ଚେଷ୍ଟା ଜାରି ରଖିଛି ପଡ଼ୋଶୀ ଆନ୍ଧ୍ର । ମାମଲା ହାଇକୋର୍ଟରେ ଅଛି, କିନ୍ତୁ ତୁଟୁନି ବିବାଦ । ରାଜ୍ୟ ସରକାର ବିବାଦ ସମାଧାନ ନିମନ୍ତେ ବିଭିନ୍ନ କମିଟି ଗଠନ କରିଥିଲେ । କୋଟିଆ ଗସ୍ତରେ ମାଳ ମାଳ ଶାସକ ଦଳର ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଗସ୍ତ କରି କୋଟିଆ ଓଡ଼ିଶାର ଓ ଓଡ଼ିଶାରେ ହିଁ ରହିବ ବୋଲି କହିଲେ । ଏପରିକି ଏଠାରୁ ମୁଠାଏ ମାଟି ଆନ୍ଧ୍ରକୁ ଦିଆଯିବ ନାହିଁ ବୋଲି ବିଭିନ୍ନ ସମୟରେ କୁହାଯାଉଛି । କିନ୍ତୁ ବାସ୍ତବ ଚିତ୍ରକୁ ଦେଖିଲେ କେବଳ ଯେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଲେ ନେତା ମନ୍ତ୍ରୀ ହୁଅନ୍ତୁ କି ପ୍ରଶାସନ ଚେଇଁ ଉଠୁଛି । ଅନୁପ୍ରବେଶ କରି ଆନ୍ଧ୍ର ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକ୍ରମ ସାରିସାରିବା ପରେ ଆମ ପ୍ରଶାସନ ପହଞ୍ଚୁଛି ।
ସୂଚନା ଅନୁସାରେ, ଆନ୍ଧ୍ର ପକ୍ଷରୁ ବିବାଦୀୟ ୨୧ ଖଣ୍ଡ ଗାଁ ଗୁଡ଼ିକରେ ପ୍ରତ୍ୟେକ ୨୦ ଘରକୁ ଗୋଟିଏ ଗୋଟିଏ ଏଜେଣ୍ଟ ନିଯୁକ୍ତି ଦିଆଯାଇଛି । ଏଜେଣ୍ଟଙ୍କ କାମ ହେଲା, ୨୦ଟି ପରିବାର ପାଖରେ କିପରି ଆନ୍ଧ୍ର ଯୋଜନା ପହଞ୍ଚିବ ଏବଂ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେମାନେ ବୁଝିବେ । ଏଜେଣ୍ଟ ମାନେ ଏତେ ସକ୍ରିୟ ଅଛନ୍ତି ଯେ ଅତି ସହଜରେ ଆନ୍ଧ୍ର ଅଧିକାରୀ ମାନେ ଅନୁପ୍ରବେଶ କରିବା ପାଇଁ ସକ୍ଷମ ହୋଇପାରିଛନ୍ତି । ସୂଚନା ଅନୁଯାୟୀ, କୋଟିଆ ଗ୍ରାମପୁଞ୍ଜର ସୀମାନ୍ତ ପାଟୁସିନେରୀ ଗାଁରେ ନିକଟବର୍ତ୍ତୀ ରହିଥିବା ଫଗୁଣସିନେରୀ, ହରମାଣ୍ଡାଙ୍ଗି, ମାଡ଼କାର, ମହିପାଣି ଭଳି ସାତଖଣ୍ଡ ଗ୍ରାମବାସୀଙ୍କୁ ଏକତ୍ରିତ କରି ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରିବା ପାଇଁ ଉସୁକାଇଥିଲେ । ଏବଂ ଆନ୍ଧ୍ର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଦୁଇଦିନ ତଳେ ଲଗାଯାଇଥିବା ନାମଫଳକ ବୋର୍ଡ ଗୁଡିକୁ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା । ତେଣୁ ରାଜ୍ୟ ସରକାର ଏହାକୁ ଯଦିଓ ଗୁରୁତର ସହିତ ନେଇ ସମାଧାନ ନକଲେ, ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/09/kotia-2025-12-09-12-48-26.jpg)