Photograph: (kanak news)
କନକ ବ୍ୟୁରୋ: ବଢ଼ିଲା ଇରାନ-ୟୁରୋପ ବିବାଦ। ଇରାନର ସୁରକ୍ଷା ଏଜେନ୍ସିକୁ ଆତଙ୍କବାଦୀ ଘୋଷଣା କଲା ୟୁରୋପୀୟ ସଂଘ। ଇରାନର ଇସଲାମିକ୍ ରେଭଲ୍ୟୁସନାରି ଗାର୍ଡ କର୍ପସ୍ (IRGC))-କୁ ଆତଙ୍କବାଦୀ ସଂଗଠନ ଭାବରେ ଚିହ୍ନିତ କରିଛି । ଇଉରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନେ ଇରାନର ଇସଲାମିକ୍ ରେଭଲ୍ୟୁସନାରି ଗାର୍ଡ କର୍ପସକୁ ଆତଙ୍କବାଦୀ ସଂଗଠନ ଭାବେ ଗଣିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏହି ଶକ୍ତିଶାଳୀ ସୈନ୍ୟ ବାହିନୀକୁ ଇସଲାମିକ୍ ଷ୍ଟେଟ୍ ଏବଂ ଆଲ୍-କାଏଦା ଭଳି ଆତଙ୍କବାଦୀ ସଙ୍ଗଠନ ବର୍ଗରେ ରଖିଛି । ଏହା ୟୁରୋପର ଇରାନ ନେତୃତ୍ୱ ପ୍ରତି ଦୃଷ୍ଟିଭଙ୍ଗୀରେ ଏକ ପ୍ରତୀକାତ୍ମକ ପରିବର୍ତ୍ତନ ଚିହ୍ନିତ କରୁଛି । ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଇଉରୋପୀୟ ସଂଘର ବିଦେଶ ନୀତି ମୁଖ୍ୟ କାଜା କାଲାସ୍ କହିଛନ୍ତି, ଯେଉଁ ଶାସନ ନିଜର ହଜାର ହଜାର ଲୋକଙ୍କୁ ହତ୍ୟା କରୁଛି , ତାହା ନିଜର ବିନାଶ ଆଡ଼କୁ ଯାଉଛି। ଇସ୍ରାଏଲ ବିଦେଶ ମନ୍ତ୍ରୀ ଏହି ପଦକ୍ଷେପକୁ "ଐତିହାସିକ" ବୋଲି ବର୍ଣ୍ଣନା କରିଛନ୍ତି । ଏହି ପଦକ୍ଷେପ ଇରାନ ଭିତରେ IRGCର ଭୂମିକା ଉପରେ ବଢ଼ିଥିବା ଯାଞ୍ଚ ମଧ୍ୟରେ ଆସିଛି ।
୧୯୭୯ ଇସଲାମିକ୍ ବିପ୍ଳବ ପରେ ଗଠିତ ଏହି ବାହିନୀ ଶିଆ ପାଦ୍ରୀ ବ୍ୟବସ୍ଥାକୁ ସୁରକ୍ଷା ଦେବାକୁ ଗଠିତ ହୋଇଥିଲା । IRGC ଇରାନର ଅର୍ଥନୀତି, ସଶସ୍ତ୍ର ବାହିନୀ ଏବଂ ବାଲିଷ୍ଟିକ୍ ମିସାଇଲ ଓ ପରମାଣୁ କାର୍ୟ୍ୟକ୍ରମରେ ବଡ଼ ପ୍ରଭାବ ରଖିଛି । କିଛି ଇଉରୋପୀୟ ଦେଶ ବହୁଦିନ ଧରି ଏହି ନିର୍ଦ୍ଦେଶ ପାଇଁ ଚାପ ପକାଇ ଆସୁଥିଲେ । ଇରାନକୁ ଆମେରିକାର ଚେତାବନୀ । ଯେକୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ସେନା ପ୍ରସ୍ତୁତ । ଯୁକ୍ତରାଷ୍ଟ୍ରର ଯୁଦ୍ଧ ବିଭାଗ ସଚିବ ପିଟ୍ ହେଗସେଥ୍ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ଆମେରିକା ମଧ୍ୟପ୍ରାଚ୍ୟରେ ଯୁଦ୍ଧଜାହାଜ ଏବଂ ବିମାନ ଶକ୍ତିକୁ ବଢ଼ାଇ ଚାଲିଥିବା ବେଳେ ଏଭଳି ବୟାନ ଆସିଛି । ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବିଭାଗ ପକ୍ଷରୁ ଯାହା ଆଶା କରୁଛନ୍ତି ତାହା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଯୁକ୍ତରାଷ୍ଟ୍ରର ଯୁଦ୍ଧ ବିଭାଗ ସଚିବ । ପରମାଣୁ ଅସ୍ତ୍ର ତିଆରି ପାଇଁ ଇରାନ ପ୍ରସ୍ତୁତ ହେଉଥିବା ବେଳେ ବଡ଼ ଶକ୍ତି ପ୍ରଦର୍ଶନ କରିଛି ଆମେରିକା । ଇରାନର ବିପଦର ଗମ୍ଭୀରତା ବର୍ଣ୍ଣନା କରି ହେଗସେଥ୍ ତେହେରାନକୁ ପରମାଣୁ ଅସ୍ତ୍ର ଅନୁସରଣ ନକରିବାକୁ ସତର୍କ କରିଛନ୍ତି ।
ଆହୁରି ପଢନ୍ତୁ ;ଛାତ୍ରଙ୍କ ବ୍ୟାଗରୁ ମିଳିଲା ବନ୍ଧୁକ, ଜବତ ପାଇଁ ଆସି ପୁଲିସ ହଟହଟା
ଇରାନର ସୁପ୍ରିମ ଲିଡର ଖାମନେଇଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ଜାରି ରହିଛି । ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ପ୍ରତିବାଦକୁ ଦମନ କରିବାକୁ ଇରାନର ସୁରକ୍ଷାକର୍ମୀମାନେ ବିକ୍ଷୋଭକରୀଙ୍କୁ ଗୁଳି ମାଡ କରୁଥିବା ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୬ ହଜାରରୁ ଅଧିକ ନାଗରିକଙ୍କ ଜୀବନ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକାର ବାରମ୍ବାର ଧମକ ସତ୍ୱେ ଇରାନ ମୁଣ୍ଡ ନୁଆଁଉ ନଥିବା ଦେଖିବାକୁ ମିଳିଛି । ଆମେରିକା କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ଏହାର କଡା ଜବାବ ଦେବାକୁ ଚେତାବନୀ ଦେଇଛନ୍ତି ଇରାନ ସରକାର ।
Follow Us