IND PAK Photograph: (Kanak News)
କନକ ବ୍ୟୁରୋ: ଭାରତ-ପାକିସ୍ତାନ ମୁକାବିଲାରେ ଆଉ ସେଭଳି ରୋମାଞ୍ଚ କି ଉତ୍କଣ୍ଠା ନାହିଁ । ଏପରିକି ପାକିସ୍ତାନକୁ ହରାଇବାରେ ବି ଆଉ ପୂର୍ବଭଳି ସ୍ବତନ୍ତ୍ର ଅନୁଭବ ଆସୁନାହିଁ । ଏଭଳି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ଭାଷ୍ୟକାର ସଂଜୟ ମଞ୍ଜରେକର । ପାକିସ୍ତାନକୁ ହରାଇବା ଏବେ ଆଉ ବଡ଼ କଥା ହୋଇ ରହିନାହିଁ । ଏହି ଦଳ ବିପକ୍ଷରେ ବିଜୟ, ଏକ ଦୁର୍ବଳ ଦଳକୁ ହରାଇବା ଭଳି ଅନୁଭବ ଆଣୁଛି । ଦୁଇ ଦେଶ ମଧ୍ୟରେ ଚଳିତ ମାସର ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ରୁ ପାକିସ୍ତାନ ଓହରିଯିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏଭଳି କହିଛନ୍ତି ମଞ୍ଜରେକର ।
ଏହି ମ୍ୟାଚ୍ ଫେବ୍ରୁଆରି ୧୫ ତାରିଖରେ ଖେଳାଯିବାର ଥିଲା । କିନ୍ତୁ ପାକିସ୍ତାନ ସରକାର ଭାରତ ସହ ଖେଳିବାକୁ ମନା କରିଦେଇଛନ୍ତି । ଏଭଳି ନିଷ୍ପତ୍ତିରେ ପ୍ରଶଂସକମାନେ ବି ସେଭଳି ପ୍ରତିକ୍ରିୟାଶୀଳ ହୋଇନାହାନ୍ତି । ସେହି ଦୃଷ୍ଟିରୁ ଭାରତ-ପାକିସ୍ତାନ ମ୍ୟାଚ୍ ନ ହେଲେ ଏହା ଆଉ ସେଥିରେ ବିଶେଷ ଚିନ୍ତାର କାରଣ ନାହିଁ । ଉଭୟ ଦଳର ମୁକାବିଲା ଆଉ ସମାନ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଲିଗ୍ ମାନ୍ୟତାରେ ରହୁନାହିଁ। ଗତବର୍ଷ ଏସିଆ କପ୍ରେ ଭାରତ ଫାଇନାଲ୍ ସହିତ ୩ ଥର ପାକିସ୍ତାନକୁ ହରାଇ କ୍ଲିନ୍ ସୁଇପ୍ କରିଥିଲା । ନବେ ଦଶକ ତଥା ଏହା ପୂର୍ବରୁ ପାକିସ୍ତାନ ଏକ ଶକ୍ତିଶାଳୀ ଦଳ ଥିଲା । ଭାରତ ଏହି ପଡ଼ୋଶୀ ଦଳକୁ ହରାଇବାକୁ ବହୁ କଷ୍ଟ କରୁଥିଲା। ଫଳରେ ମ୍ୟାଚ ରୋମାଞ୍ଚଭରା ରହୁଥିଲା ।
ଆହୁରି ପଢ଼ନ୍ତୁ... ରିଚାର୍ଡସ-ମସାବା ଘନିଷ୍ଠତାକୁ ନେଇ ମୁହଁ ଖୋଲିଲେ ନୀନା: କହିଲେ...
ଭାରତ ଏବେ ଅନାୟାସରେ ଜିତିଯାଉଛି, ଯେଭଳି ଏକ ନବାଗତ ତଥା ଅନାମଧେୟ ଦଳ ସହ ଖେଳୁଛି ସେଭଳି ଅନୁଭବ ଆସୁଛି। ପାକିସ୍ତାନରେ ତୃଣମୂଳସ୍ତରର କ୍ରିକେଟ୍ ନିମ୍ନଗାମୀ ହୋଇଥିବାରୁ ଜାତୀୟ ଦଳର ବି ପତନ ଘଟିଛି ବୋଲି ବିଶ୍ବାସ କରାଯାଉଛି। ସେହି ଦୃଷ୍ଟିରୁ ପାକିସ୍ତାନ ନୁହେଁ, ଏବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଭଳି ବଡ଼ ଦଳ ଅଛନ୍ତି ଯେଉଁମାନେ ଭାରତକୁ ଆହ୍ବାନ ଦେଇ ପାରୁଛନ୍ତି। ଏହି ସବୁ ଦଳ ସହ ମୁକାବିଲା ଦେଖିବା ଭଳି ହୋଇପାରୁଛି। ଏମାନଙ୍କୁ ହରାଇପାରିଲେ ଭାରତ ପାଇଁ ଗର୍ବର କଥା ହେବ। ଭାରତ-ପାକିସ୍ତାନ ମୁକାବିଲା ଆଉ କୌଣସି ଗୁରୁତ୍ବ ରଖୁନାହିଁ। ଏହା ଏକ ଅଣ ଇଭେଣ୍ଟ୍ରେ ପରିଣତ ହୋଇଛି ବୋଲି ମଞ୍ଜରେକର ଅନୁଭବ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ଦେଢ଼ ଦଶନ୍ଧି ଧରି ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳୁନାହାନ୍ତି। କେବଳ ଆଇସିସି ଇଭେଣ୍ଟ୍ରେ ପରସ୍ପରକୁ ମୁକାବିଲା କରୁଛନ୍ତି। ଆଇସିସି ବିଶ୍ବକପ୍ରେ ୮ ଥର ଖେଳିଥିବାବେଳେ ପାକିସ୍ତାନ ଥରେ ମାତ୍ର ଜିତିଛି।
Follow Us