କନକ ବ୍ୟୁରୋ:  ମଣିଷ ଯେବେ ଅମଣିଷ ପାଲଟେ । ବାଲେଶ୍ୱର ସଦର ଥାନା ଅଞ୍ଚଳର ଏକ ଭାଇରାଲ୍ ଭିଡିଓକୁ ଯିଏ ଦେଖୁଛି, ଏହା ହିଁ କହୁଛି  । କାରଣ ଘଟଣା ବି କିଛି ସେମିତି । ଜଣେ ଯୁବକଙ୍କ ବେକରେ ଦଉଡ଼ି ବାନ୍ଧି କିଛି ଲୋକ ଗାଁ ଦାଣ୍ଡରେ ଘୋଷାଡ଼ିବା ଓ ଫାଣ୍ଡି ଆଗରେ ଫିଙ୍ଗିଦେବା ଘଟଣା ଉଦବେଗ ସୃଷ୍ଟି କରିଛି । ମରଣାନ୍ତକ ଆକ୍ରମଣ ଓ ମାନବୀୟ ଅଧିକାରର ଏଭଳି ଖୋଲା ଉଲ୍ଲଂଘନ ହୋଇଥିଲେ ବି, ୩ ଦିନ ହେଲା ପୁଲିସ ହାତ ଖାଲି ।  

Advertisment

ଗୋରୁ ଛେଳିଙ୍କ ବେକରେ ଦଉଡ଼ି ପକାଇବା ଭଳି, ମଣିଷ ବେକରେ ଦଉଡ଼ି ବାନ୍ଧି ଘୋଷାଡ଼ୁଛି ନିର୍ଦ୍ଦୟ ମଣିଷ । କେଉଁ ଉପାନ୍ତ ଅଶିକ୍ଷିତ ଇଲାକା ନୁହେଁ, ଏଭଳି ମଧ୍ୟଯୁଗୀୟ ବର୍ବରତା ଦେଖିବାକୁ ମିଳିଛି- ଶିକ୍ଷିତଙ୍କ ଜିଲ୍ଲା କୁହାଯାଉଥିବା ବାଲେଶ୍ୱରରେ । ଅଭିଯୋଗ ଅନୁସାରେ, ଜମିଜମା ବିବାଦକୁ କେନ୍ଦ୍ର କରି ଗତ ୩ ତାରିଖରେ ପ୍ରାୟ ୬ ଜଣ ଲୋକ ଏଭଳି କାଣ୍ଡ ଭିଆଇଥିଲେ ବାଲେଶ୍ବର ସଦର ଥାନା ପରଖି ଫାଣ୍ଡି ଅଞ୍ଚଳରେ । ଏଭଳି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ତେଲଗାଡ଼ିଆ ଗାଁର ଦେବାଶିଷ ହାତୀ । ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

  ଅଧିକ ପଢନ୍ତୁ : ଭାଇମାନଙ୍କ ଗୁଳିରେ ଚାଲିଗଲା ପ୍ରେମିକଙ୍କ ଜୀବନ, ଶବକୁ ବାହାହେଲେ ପ୍ରେମିକା

ଆକ୍ରମଣସ୍ଥଳରୁ ଫାଣ୍ଡି । ୨ କିଲୋମିଟର ଯାଏଁ ଦିନ ଦିପହରରେ ଆଖି ଆଗରେ ଘଟୁଥିଲା ଅମାନବୀୟ ଘଟଣା । ଏହାକୁ ଦେଖି କୁକୁରଟିଏ ପାଖକୁ ଦୌଡ଼ି ଆସିଲା ସିନା... ଦୂରରୁ ଦେଖଣାହାରୀ ସାଜିଥିଲା ମଣିଷ । ନା କେହି ଏହାକୁ ରୋକୁଥିଲେ, ନା ପାଟି ଖୋଲୁଥିଲେ । ଏପଟେ ପୁଲିସ ବି ଯେମିତି ନିରବଦ୍ରଷ୍ଟା । ଫାଣ୍ଡି ଆଗରେ ଜଣଙ୍କୁ ମମୁର୍ଷୁ ଅବସ୍ଥାରେ ଫିଙ୍ଗାଯିବା ସତ୍ତ୍ୱେ, ଭିଡିଓରେ ଆକ୍ରମଣକାରୀଙ୍କୁ ସ୍ପଷ୍ଟ ଦେଖାଯାଉଥିଲେ ବି, ୩ ଦିନ ହେଲା ପୁଲିସ ହାତ ଖାଲି । ଗତକାଲି ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି । ଏତେ ନିଷ୍ଠୁର କେମିତି ସାଜୁଛି ମଣିଷ? ଏହା ଆଇନର ଅଜ୍ଞତା, ନା କାନୁନ ପ୍ରତି ଉଭେଇ ଗଲାଣି ଲୋକଙ୍କ ଭୟ?