Hospital Photograph: (kanak news)
କନକ ବ୍ୟୁରୋ : ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଖରାପ । ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ତିଆରି ହୋଇଥିବା ଡାକ୍ତରଖାନା ଏବେ ନିଜେ ରୋଗୀ । ଯୋଡ଼ାରୁ ସାମନାକୁ ଆସିଛି ଏଭଳି ଖବର । ଦଶ ବର୍ଷରୁ ଅଧିକ ହେବ ବନ୍ଦ ପଡ଼ିଛି ଯୋଡ଼ା କେନ୍ଦ୍ରୀୟ ହସ୍ପିଟାଲ । ଦୀର୍ଘ ବର୍ଷରୁ ବନ୍ଦ ପଡ଼ିଥିବାରୁ ହସ୍ପିଟାଲ ଏବେ ଭୂତକୋଠିରେ ପରିଣତ ହୋଇଛି । ଦୀର୍ଘ ବର୍ଷରୁ ହସ୍ପିଟାଲ ବନ୍ଦ ପଡ଼ିଥିବାରୁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଖଣି ଶ୍ରମିକ ।
ଯୋଡ଼ା ଖଣି ମଣ୍ଡଳର ଶ୍ରମିକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ୧୯୭୮ ମସିହାରେ ଖୋଲାଯାଇଥିଲା ଏହି କେନ୍ଦ୍ରୀୟ ହସ୍ପିଟାଲ । ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଏହି ହସ୍ପିଟାଲ ଉପରେ ଯୋଡ଼ା, ବଡ଼ବିଲ, ବାମେବାରୀ, ଯୁରୁଡ଼ି ପରି ଖଣି ଅଞ୍ଚଳର ଶ୍ରମିକ ନିର୍ଭର କରନ୍ତି । ଏଠାରେ ପୂର୍ବରୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ମଧ୍ୟ ଉପଲବ୍ଧ ହେଉଥିଲା । ହେଲେ ଦଶ ବର୍ଷରୁ ଅଧିକ ହେବ ଏହି ହସ୍ପିଟାଲକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ବିକଳ୍ପ ବ୍ୟବସ୍ଥା ନ କରି ମେଡିକାଲ ବନ୍ଦ କରିଥିବାରୁ ଏବେ ଖଣି ଅଞ୍ଚଳର ଶ୍ରମିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହିଛନ୍ତି । ଖଣି ଅଞ୍ଚଳରୁ କେନ୍ଦ୍ର ସରକାର ପାଉଥିବା ସେସ୍ ବା ରାଜସ୍ବରୁ ସ୍ଥାନୀୟ ଶ୍ରମିକଙ୍କ ସ୍ବାସ୍ଥ୍ୟ ସେବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ତରଫରୁ ଏହି କେନ୍ଦ୍ରୀୟ ହସପିଟାଲ ଖୋଲାଯାଇଥିଲା । ଉନ୍ନତମାନ ସହିତ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଉଥିବାରୁ ଶ୍ରମିକଙ୍କ ଆଶାର ଆଲୋକ ସାଜିଥିଲା ଏହି ହସ୍ପିଟାଲ । ମାତ୍ର ଗତ ଦଶ ବର୍ଷ ହେବ ଏହି ହସପିଟାଲକୁ ବନ୍ଦ କରିଦିଆଯାଇଛି ।
ଅଧିକ ପଢନ୍ତୁ: ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା ବନ୍ଦ କରିବ ଇଣ୍ଡିଗୋ
ହସ୍ପିଟାଲ ବନ୍ଦ ପଡ଼ିଥିବାରୁ ଭିତରେ ଥିବା ଉନ୍ନତମାନର ଯନ୍ତ୍ରପାତି ଖତ ଖାଉଥିବା ବେଳେ ଆସବାବ ପତ୍ର ସବୁ ନଷ୍ଟ ହେଇସାରିଛି । ଏବେ ଏହି ହସ୍ପିଟାଲକୁ କିଛି ସିକ୍ୟୁରିଟି ଗାର୍ଡ ଜଗିଥିବା ବେଳେ ହସ୍ପିଟାଲ ପରିସର କିନ୍ତୁ ଭୂତକୋଠି ହେଇସାରିଲାଣି । ହସ୍ପିଟାଲ ବନ୍ଦ ଯୋଗୁ ଏବେ ଖଣି ଅଞ୍ଚଳର ଗରିବ ଶ୍ରମିକ ହତାଶ ହେବା ସହ ସ୍ବାସ୍ଥ୍ୟ ସେବା ପାଇଁ ବେସରକାରୀ ଡାକ୍ତରଖାନାରେ ଶୋଷଣର ଶିକାର ହେଉଛନ୍ତି । ଏହାକୁ ନେଇ ଖଣି ଅଞ୍ଚଳରେ ଅସନ୍ତୋଷ ଦେଖାଦେବା ସହ ଶୀଘ୍ର ଏହି ଡାକ୍ତରଖାନାର ପୁନଃକାର୍ଯ୍ୟକ୍ଷମ ପାଇଁ ଦାବି ହେଉଛି ।
Follow Us