କନକ ବ୍ୟୁରୋ: ରାଜ୍ୟର ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଏକ ଶସ୍ତ ଧକ୍କା ସଦୃଶ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ବର-ଦୁବାଇ ବିମାନ ସେବାକୁ ବନ୍ଦ କରିଦିଆଯିବ । ଆସନ୍ତା ଅକ୍ଟୋବର ୨୪ରୁ ଏହି ରୁଟ୍‌ରେ କମ୍ପାନି ଏହାର ସେବା ବନ୍ଦ କରିବ । ଏହି ରୁଟ୍‌ରେ ଇଣ୍ଡିଗୋ ବିମାନ ସପ୍ତାହକୁ ତିନି ଥର ଚଳାଚଳ କରୁଥିଲା । ‘ଏରୋରୁଟ୍‌ସ’ର ସଂଶୋଧିତ ବିମାନ ନିର୍ଘଣ୍ଟ‌ରେ ଇଣ୍ଡିଗୋର ଭୁବନେଶ୍ବର-ଦୁବାଇ ରୁଟ୍‌ର ନାମ ନଥିବାରୁ କମ୍ପାନି ଏହି ସେବା ବନ୍ଦ କରୁଥିବା ଆଶଙ୍କା କରାଯାଉଛି । ତେବେ ଦୁବାଇ ଯିବାକୁ ଚାହୁଥିବା ଯାତ୍ରୀମାନେ ଭାୟା ଆବୁଧାବି ଦେଇ ଯାତ୍ରା କରିପାରିବେ। ଅନ୍ୟଥା ସେମ‌ାନେ ଭୁବନେଶ୍ବରରୁ ଦେଶର ଅନ୍ୟ ସହରକୁ ଯାଇ ସେଠାରୁ ଦୁବାଇକୁ ଥିବା ସିଧାସଳଖ ବିମାନ ସେବା ହାସଲ କରିପାରିବେ । ଇଣ୍ଡିଗୋ ପକ୍ଷରୁ ୨୦୨୩ ମେ’ରୁ ଭୁବନେଶ୍ବର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଥିଲା । ରାଜ୍ୟରୁ ଅନ୍ତର୍ଜାତୀୟ ଉଡ଼ାଣ ବଢ଼ାଇାବ ଲାଗି କମ୍ପାନି ରାଜ୍ୟ ସରକାରଙ୍କ ସହ ମିଶି କାର୍ୟ୍ୟ କରୁଥିଲା । ଦୁବାଇ ସହ ସିଧାସଳଖ ବିମାନ ସେବା ରାଜ୍ୟର ସୂଚନା ପ୍ରଯୁକ୍ତି, ବିନିର୍ମାଣ ଓ ପର୍ୟ୍ୟଟନ କ୍ଷେତ୍ରକୁ ନିବେଶ ଆଣିବାରେ ମଧ୍ୟ ସହାକ ହୋଇଥିଲା ।