Magha mela Photograph: (KanakNews)
କନକ ବ୍ୟୁରୋ: ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି ମାଘମେଳା । ଖଣ୍ଡଗିରି ପାଦଦେଶରେ ଆଜିଠାରୁ ଗୁଞ୍ଜରିତ ହେବ ବେଦଧ୍ୱନି ଓ ମନ୍ତ୍ରୋଚ୍ଚାରଣର ଆଧ୍ୟାତ୍ମିକ ପରିବେଶ । ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ଆଜି ଆରମ୍ଭ ହୋଇଛି, ଯାହା ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ । ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମରେ ପାହାଡ଼ର ପାଦଦେଶରୁ ବାରଭୂଜା ଯାଏଁ ମେଳି ଲାଗିଛି । ସାଧୁସନ୍ଥମାନେ ଯଜ୍ଞ ବେଦୀରେ କର୍ମ ଆରମ୍ଭ କରିସାରିଛନ୍ତି । ପଞ୍ଚଦେବତାଙ୍କ ଉଦ୍ଦେଶ୍ୟରେ ପଞ୍ଚଯଜ୍ଞ କୁଣ୍ଡର ପୂଜା ସମ୍ପନ୍ନ ହୋଇଛି ।
ଅଧିକ ପଢନ୍ତୁ : ଖଣ୍ଡଗିରି ମାଘମେଳାରେ ଆଜିଠୁ ବିଶ୍ୱଶାନ୍ତି ଯଜ୍ଞ । ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ ଯଜ୍ଞ
କଳସ ଯାତ୍ରାରୁ ଆସିବା ପରେ ଯଜ୍ଞର ପୂର୍ଣ୍ଣ ଆରମ୍ଭ ହେବ । ନାଗା ସନ୍ନ୍ୟାସୀଙ୍କଠାରୁ ଆରମ୍ଭ କରି ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସମ୍ପ୍ରଦାୟ, ଗୌଡ଼ୀୟ, ବେଦପତି ପ୍ରମୁଖ ବିଭିନ୍ନ ସନ୍ନ୍ୟାସୀଙ୍କ ହୋମଯଜ୍ଞରେ କମ୍ପିବ ଖଣ୍ଡଗିରିର ପରିବେଶ । ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସାଧୁସନ୍ଥଙ୍କ ସମାଗମ ହେବାକୁ ଯାଉଛି । ଏହି ମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମେଳା ପରିସରରେ ୧୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ମନା କରାଯାଇଛି ଏବଂ ପ୍ଲାଷ୍ଟିକ୍ ଫ୍ରି ମେଳା କରିବାକୁ ନିଷ୍ପତ୍ତି ନିଆଯାଇଛି ।
Follow Us