କନକ ବ୍ୟୁରୋ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ଶନିବାର ରାତିରେ ଆମେରିକାକୁ ୨୯ ରନ୍ରେ ପରାସ୍ତ କରି ଟାଇଟଲ୍ ଡିଫେନ୍ସ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚ୍ ଅବସରରେ ଏକାଧିକ ନୂଆ ପରିସଂଖ୍ୟାନ ନଜରକୁ ଆସିଛି । ଆସନ୍ତୁ ଏସବୁ ଉପରେ ନଜର ପକାଇନେବା ।
୯: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ଭାରତ କ୍ରମାଗତ ନବମ ବିଜୟ ହାସଲ କରିଛି । ୨୦୨୪ ସଂସ୍କରଣରେ ଭାରତ ନିଜର ସମସ୍ତ ୮ ମ୍ୟାଚ୍ ଜିତି କପ୍ ହାସଲ କରିଥିବାବେଳେ ଏବେ ନିଜ ପ୍ରଥମ ମ୍ୟାଚ୍ ଜିତି ଏହି ଧାରାକୁ ଆଗକୁ ନେଇଛି । ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ଏହା କୌଣସି ଦଳ ପାଇଁ ଦୀର୍ଘତମ ବିଜୟଧାରା । ଭାରତ ଏହି କ୍ରମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର କ୍ରମାଗତ ବିଜୟ ରେକର୍ଡ (୮)କୁ ପଛରେ ପକାଇଛି । ୨୦୨୨ରୁ ୨୦୨୪ ମଧ୍ୟରେ ଅଷ୍ଟ୍ରେଲିଆ ୮ ବିଜୟ ପାଇଥିଲା। ଦକ୍ଷିଣ ଆଫ୍ରିକା କିନ୍ତୁ ୨୦୨୪ରେ ଫାଇନାଲ୍ରେ ଭାରତ ନିକଟରୁ ହାରିବା ପୂର୍ବରୁ କ୍ରମାଗତ ୮ ବିଜୟ ପାଇ ସାରିଥିଲା।
୮୪: ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ୮୪* ରନ୍ର ପାଳି ଏକ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଜଣେ ଅଧିନାୟକ ପାଇଁ ଦ୍ବିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍। ୨୦୦୯ ସଂସ୍କରଣରେ କ୍ରିସ୍ ଗେଲ୍ ଅଷ୍ଟ୍ରେଲିଆ ବିପକ୍ଷ ଅଧିନାୟକତ୍ବ ପଦାର୍ପଣରେ ୮୮ ରନ୍ କରିଥିଲେ। ସୂର୍ଯ୍ୟଙ୍କ ୮୪* ରନ୍ ମଧ୍ୟ ଭାରତ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଚତୁର୍ଥ ସର୍ବୋଚ୍ଚ। ସୂର୍ଯ୍ୟକୁମାରଙ୍କ ଏହି ପାଳି ଅବସରରେ ସେ ଗୋଟିଏ ବି ରନ୍ କଭର୍ ଅଞ୍ଚଳରୁ ସଂଗ୍ରହ କରିନଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏହାର କୌଣସି ପୂର୍ବ ଉଦାହରଣ ନଥିବା କ୍ରିକ୍ଇନ୍ଫୋ ଦାବି କରିଛି।
୧୭: ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ସୂର୍ଯ୍ୟକୁମାର ଯାଦବ ୧୭ତମ ଥର ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଭାରତ ପାଇଁ ଏହା ସର୍ବାଧିକ। ବିରାଟ କୋହଲି (୧୬)ଙ୍କୁ ସୂର୍ଯ୍ୟ ପଛରେ ପକାଇଛନ୍ତି। ସୂର୍ଯ୍ୟଙ୍କଠାରୁ ବୀରନଦୀପ ସିଂହ (୨୨) ଓ ସିକନ୍ଦର ରାଜା (୧୯) କେବଳ ଆଗରେ ଅଛନ୍ତି।
୫୨.୧୭%: ଏକ ଟ୍ବେଣ୍ଟି-୨୦ ବିଶ୍ବକପ୍ ସମ୍ପୂର୍ଣ୍ଣ ପାଳିର ୫୨.୧୭ ପ୍ରତିଶତ ରନ୍ ସୂର୍ଯ୍ୟଙ୍କ ବ୍ୟାଟ୍ରୁ ଆସିଥିଲା। ଦ୍ବିତୀୟ ଥର ପାଇଁ ସୂର୍ଯ୍ୟ ଭାରତ ପାଳିରେ ଅଧାରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଭାରତ ୬ ୱିକେଟ୍ ହରାଇବା ବେଳକୁ ୭୭ ରନ୍ କରିଥିଲା। ଭାରତ କେବଳ ଦ୍ବିତୀୟ ଥର ପାଇଁ କମ ରନ୍ରେ ଏତେ ୱିକେଟ୍ ହରାଇଥିଲା। ୨୦୧୦ ସଂସ୍କରଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ୨୦୧୬ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ମ୍ୟାଚ୍ରେ ଭାରତ ଷଷ୍ଠ ୱିକେଟ୍ ପତନ ବେଳକୁ ୪୨ ରନ୍ କରିଥିଲା।
ଆହୁରି ପଢ଼ନ୍ତୁ... ଭାବପ୍ରବଣ ସିରାଜ କହିଲେ ‘ସର୍ବଶକ୍ତିମାନ ଯାହା ଲେଖିଛନ୍ତି, କେହି ବଦଳାଇପାରିବେନି’
୮୪: ଭାରତ ପାଳିର ଷଷ୍ଠ ୱିକେଟ୍ ପତନ ପରେ ଦଳ ୮୪ ରନ୍ ଯୋଡ଼ିଥିଲା। ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଏହା ଦ୍ବିତୀୟ ସର୍ବାଧିକ। ୨୦୧୦ ସଂସ୍କରଣର ବ୍ରିଜ୍ଟାଉନ୍ ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯୩ ରନ୍ କରିଥିଲା।
୪: ପାୱାର ପ୍ଲେ ୬ ଓଭର ଭିତରେ ଭାରତ ୪ ୱିକେଟ୍ ହରାଇଥିଲା। ପୁରୁଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ଯୁଗ୍ମ ସର୍ବାଧିକ। ମୋଟ ଉପରେ ୧୧ ଥର ଏଭଳି ଘଟିଥିବାବେଳେ ବିଶ୍ବକପ୍ରେ ୩ ଥର ନଜରକୁ ଆସିଛି। ଏହି ୪ ୱିକେଟ୍ ମଧ୍ୟରୁ ୩ଟି ଷଷ୍ଠ ଓଭରରେ ପଡ଼ିଥିଲା। ସାଡଲେ ଭାନ୍ ଶ୍ଚାଲ୍କ୍ବିକ୍ ଏହି ସଫଳତା ସହ ୪/୨୫ ଚିତ୍ର ପାଇଥିଲେ। ଏକ ପୂର୍ଣ୍ଣ ଆଇସିସି ସଦସ୍ୟ ରାଷ୍ଟ୍ର ବିପକ୍ଷରେ ଏହା ଆମେରିକା ପାଇଁ ପ୍ରଥମ। ଅନ୍ୟ କିଛି ଉଦାହରଣ ଦେଖିଲେ ଭାରତ ୧୯ କିମ୍ବା ୨୦ତମ ଓଭରରେ ଏଭଳି ଦୁର୍ଭାଗ୍ୟର ସମ୍ମୁଖୀନ ହୋଇଛି। ଗତବର୍ଷ ଭାରତ ବିପକ୍ଷରେ ସକିବ ମେହମ୍ମୁଦ ଟ୍ରିପଲ୍ ୱିକେଟ୍ ମେଡେନ୍ ନେଇଥିଲେ।
୬୫: ସୌରଭ ନେତ୍ରଭାଲକର ତାଙ୍କ ୪ ଓଭରରେ ୬୫ ରନ୍ ବ୍ୟୟ କରିଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏହା ସବୁଠୁ ବ୍ୟୟବହୁଳ ଓଭର। ୨୦୦୭ ସଂସ୍କରଣରେ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାର ସନଥ ଜୟସୁରିୟା ୬୪ ରନ୍ ବ୍ୟୟ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/02/08/usa-2026-02-08-12-42-52.jpg)