Joda Photograph: (kanak news)
କନକ ବ୍ୟୁରୋ : ଦୀର୍ଘ ଦିନରୁ ବନ୍ଦ ପଡ଼ିଛି କଳିଙ୍ଗ ଲୁହା କାରଖାନା । ହଜାର ହଜାର ଶ୍ରମିକ ଏବେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି । ଏହାର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ପରେ ପ୍ରସ୍ତାବ ଦିଆଯାଇଛି । ହେଲେ କୌଣସିଟି ବି ଫଳପ୍ରଦ ହୋଇପାରିନି । କଳିଙ୍ଗ ଲୌହ କାରଖାନା , ୧୯୫୯ରେ ବିଜୁବାବୁ କେନ୍ଦୁଝର ଜିଲ୍ଲା ବଡ଼ବିଲର ମାଟକାମ ବେଡ଼ା ଠାରେ ଏହାର ପ୍ରତିଷ୍ଠା କରିଥିଲେ । ଏକଦା ହଜାର ହଜାର ପରିବାର ମୁହଁକୁ ଦାନା ଯୋଗାଉଥିବା ଏହି କାରଖାନା ଆଜି ଶ୍ରୀହିନ । ବଣବୁଦାରେ ଭର୍ତ୍ତି ହୋଇ ନିଜ ପରିଚୟ ଖୋଜୁଛି ।
ଅଧିକ ପଢ଼ନ୍ତୁ--ବାପାଙ୍କୁ ମୁଖାଗ୍ନି ଦେଲା ଝିଅ, ପାଉଁଶ ହୋଇଗଲା ପୁରୁଣା ପ୍ରଥା
୮୦ ଦଶକର ସବୁଠାରୁ ଲାଭଦାୟକ ସଂସ୍ଥା ଥିବା ଏହି କାରଖାନାର ପତନ ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା । ୨୦୧୫ରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା । ୨୦୨୨ରେ ଓଡ଼ିଶା ଖଣି ନିଗମକୁ ହସ୍ତାନ୍ତର କରାଯାଇ କାରଖାନା ପରିସରରେ କ୍ରସିଂ ପ୍ଲାଣ୍ଟ ନିମନ୍ତେ ଯୋଜନା ରହିଥିଲା । ହେଲେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ସମସ୍ତ ପ୍ରସ୍ତାବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗତ ଜାନୁଆରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ବିଲ ଗସ୍ତ ସମୟରେ କାରଖାନାର ପୁନରୁଦ୍ଧାର ପାଇଁ କାରଖାନା ପରିସରରେ ମିନି ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏବେ ଏନେଇ କେହି ମୁହଁ ଖୋଲୁନାହାନ୍ତି । କଳିଙ୍ଗ ଲୁହା କାରଖାନାର ନବନିର୍ମାଣ ସ୍ବପ୍ନ ଦେଖୁଥିବା ବଡ଼ବିଲ ବାସୀ ବର୍ତ୍ତମାନ ଆଶା ଓ ଆଶଙ୍କାରେ । କେବେ କଳିଙ୍ଗ କାରଖାନା ଉପରେ ପଡ଼ିବ ସରକାରଙ୍କ ଦୃଷ୍ଟି ? ଏହାର ପୁନରୁଦ୍ଧାର କରାଯିବ ଏବଂ ହଜାର ହଜାର ଶ୍ରମିକ ତାଙ୍କ ରୋଜଗାର ଫେରିପାଇବେ, ତାକୁ ଅପେକ୍ଷା ।
Follow Us