କନକ ବ୍ୟୁରୋ: ହାତରେ ଖଇ କଉଡ଼ି ଧରି ବାପାଙ୍କ ଶବ ଆଗରେ ଆଗେଇ ଚାଲିଛି କୁନି କୁନି ପାଦ , ମନରେ ଅସରନ୍ତି କୋହ । ରାମ ନାମ ସତ୍ୟ ହେରେ କମ୍ପୁଛି ସାହି ଦାଣ୍ଡ । ଆଉ ବାପା ମୃତ୍ୟୁ ପରେ ସବୁ ଭାର ଯେମିତି ଏ କୁନି ଝିଅ ଉପରେ ରହିଛି । କାରଣ ମୃତ ବ୍ୟକ୍ତିଙ୍କର ପୁଅ ନାହିଁ । ମଲା ପରେ ବାପାର ସବୁ କର୍ମ ଏବେ ଏହି କୁନି ଝିଅ ହିଁ କରିବ । ନିଜ କୋହକୁ ଛାତିରେ ଚାପି, ଆଉ ଆଖିର ଲୁହକୁ ପିଇ ଖଇ କଉଡି ପକାଇ ଆଗରେ ଆଗରେ ଚାଲିଛି ଝିଅ ।
ଏ ଘଟଣା କଟକ ସହର ବିଦ୍ୟାଧରପୁର ଅଞ୍ଚଳର । ଯେଉଁଠି ଜଣେ ବାପା ଜୀବନର କଠିନ ପରୀକ୍ଷା ଆଗରେ ହାର୍ ମାନିଗଲେ । ଆର୍ଥିକ ଅଭାବ ଓ ଶାରୀରିକ ଯନ୍ତ୍ରଣା...ତାଙ୍କୁ ଏପରି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ କଲା, ଯାହା ତାଙ୍କ ପରିବାର ପାଇଁ ଆଣିଦେଲା ଅସରନ୍ତି ଦୁଃଖ । ଅଭାବ ଅନାଟନ ଆଉ ଶାରୀରିକ ଯନ୍ତ୍ରଣା ସହ ଲଢ଼ି ଲଢ଼ି ଶେଷରେ ଜୀବନ ହାରିଦେଲେ ଚାରି ଝିଅଙ୍କ ମୁଣ୍ଡ ଉପରେ ଛାତ ସାଜିଥିବା ବାପା । ଚାରି ଝିଅଙ୍କ ମଧ୍ୟରୁ ଦୁଇ ଜଣ ବିବାହିତା, ଆଉ ଦୁଇ ଜଣଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲା । କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ । ପୁଅଟିଏର ଅଭାବରେ, ସମାଜର ପୁରୁଣା ରୀତିନୀତିକୁ ଭାଙ୍ଗି, ଝିଅଟିଏ ନେଲା ପିତାର ମୁଖାଗ୍ନିର ଭାର । ହାତରେ ଖଇ କଉଡ଼ି ଧରି, ରାସ୍ତାରେ ଚାଲିଥିବା ସେହି ଝିଅର ପାଦ ତଳେ କେବଳ ପିତାର ଚିତାଭସ୍ମ ନଥିଲା, ଥିଲା ଅନେକ ନୀରବ କାହାଣୀ, ଯାହା ସମାଜକୁ ଏକ ନୂଆ ବାର୍ତ୍ତା ଦେଉଥିଲା ।
ଅଧିକ ପଢ଼ନ୍ତୁ--ପିଲାବେଳୁ ବାପା ମାଆଙ୍କୁ ହରାଇଥିଲେ, ୫ ଥର ଫେଲ୍ ହୋଇ ବନିଲେ IPS
ବାପା, ମାଙ୍କ ମୃତ୍ୟୁ ହେଲେ ପୁଅ ସମସ୍ତ କର୍ମ କରିଥାଆନ୍ତି । ଖଇକଉଡ଼ି ପକାଇ ଶ୍ମସାନକୁ ଯିବା ସହ ମୁଖାଗ୍ନି ଦେଇଥାଆନ୍ତି । ଆଉ ସାରା ଜୀବନ ବାପା, ମାଙ୍କ ପିଣ୍ଡ ଦାନ କରିଥାଆନ୍ତି । ଆଉ ସେଥିପାଇଁ ସମସ୍ତେ ଚାହାନ୍ତି ପୁଅଟିଏ ହେଲେ କୂଳ ରକ୍ଷା କରିବ । ମଲା ବେଳେ ବାପା ମା’ଙ୍କ ମୁହଁରେ ନିଆଁ ଦେବ । ଆଉ ଯାହାର ଝିଅ ଥିବ ସେ କଣ କରିବ । କଣ ସେ ମଲା ପରେ ନିଆଁ ପାଣି ପାଇବନି ? ନା ତାକୁ କେହି ମୁଖାଗ୍ନି ଦେବେ ନାହିଁ ? ଏବେ ସମାଜରେ ଥିବା ଏ ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି ଏ କୁନି ଝିଅ । ବାପାଙ୍କ ମୃତ୍ୟୁ ପରେ ଏବେ ସବୁ କର୍ମ କରିବ ଝିଅ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/10/daughter-2025-11-10-17-09-07.jpg)