କନକ ବ୍ୟୁରୋ: ଧାନ ଚାଷ ସରିବା ସହ ସରିଲାଣି ଅମଳ । ବର୍ଷକର କଷ୍ଟ ଅର୍ଜିତ ଫସଲକୁ ଯତ୍ନର ସହକାରେ ଘରକୁ ଆଣିଛି ଚାଷୀ । ଘର ଖଳାରେ ସାଇତି ରଖିଛନ୍ତି ନୂଆପଡ଼ାର ଚଷା ପୁଅ । ଆଶା ଅଛି ମଣ୍ଡି ଖୋଲିଲେ ବିକ୍ରି କରିବ ବର୍ଷକର ଫସଲ । ଲାଭ ଅର୍ଥରେ ଋଣ ଶୁଝିବ ଆଉ ପରିବାର ମୁହଁରେ ଦେବ ଦାନା । ନୂଆପଡ଼ାରେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଚାଷୀ ଖରିଫ ଧାନ ଅମଳ କରି ସାରିଲେଣି । ହେଲେ ଜିଲ୍ଲାରେ ଏଯାଏଁ ଖୋଲିନି ମଣ୍ଡି । ଏମିତିକି ଧାନ କ୍ରୟ କମିଟି ବୈଠକ ବି ବସିନି । ଯାହାକୁ ନେଇ ଚିନ୍ତାରେ ଚାଷୀ । ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ୍ରେ ଖରିଫ ଧାନ ଅମଳ ଆରମ୍ଭ ହୋଇଗଲାଣି । ଅଥଚ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶୂନ, ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାରେ କେବେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ହେବ ଓ ମଣ୍ଡି ଖୋଲାଯିବ ତାହା ଉପରେ ଚାଷୀଙ୍କ ନଜର ରହିଛି । ସେପଟେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ଆସନ୍ତା ୨୦ ତାରିଖରୁ ଓଡ଼ିଶାରେ ଧାନକିଣା ଆରମ୍ଭ ହେବ ବୋଲି କହିଛନ୍ତି । ହେଲେ ନୂଆପଡ଼ା ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଧାନକିଣା ବୈଠକ କରିନାହିଁ । ଗତବର୍ଷ ନୂଆପଡ଼ା ଜିଲ୍ଲାରେ ନଭେମ୍ବର ୨୦ ତାରିଖ ଦିନ ମଣ୍ଡି ଆରମ୍ଭ ହୋଇଥିଲା । ହେଲେ ଚଳିତ ବର୍ଷ ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ ହେବ ବୋଲି ଜଣାପଡ଼ିଛି । ଫଳରେ ଜିଲ୍ଲାର ବହୁ ଚାଷୀ ଅମଳ ଧାନକୁ କମ୍ ଦରରେ ଦଲାଲ ଓ ବେପାରୀକୁ ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଗୋଟିଏ ପଟେ ଏମ୍ଏସ୍ପି ୩୧୦୦ ଟଙ୍କା କ୍ବିଣ୍ଟାଲ ପିଛା ହୋଇଥିବାରୁ ଚାଷୀମାନେ ଉତ୍ସାହିତ ଥିବା ବେଳେ ବର୍ତ୍ତମାନ ମଣ୍ଡି ଅବ୍ୟବସ୍ଥା ଯୋଗୁଁ ଉପଯୁକ୍ତ ମୂଲ୍ୟ ପାଇବେ କି ନାହିଁ ବୋଲି ଚାଷୀମାନେ ସନ୍ଦେହରେ ।
ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ଏୟାର ସୋ’ ବେଳେ ବଡ଼ ଦୁର୍ଘଟଣା
ଅନ୍ୟପକ୍ଷରେ ଧାନଚାଷରେ ନିୟୋଜିତ ଶ୍ରମିକମାନେ ଚାଷୀଙ୍କଠାରୁ ଧାନ ପାରିଶ୍ରମିକ ଆକାରରେ ପାଉଥିବା ବେଳେ ଏହି ଧାନର ବିକ୍ରି ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ଜିଲ୍ଲାରେ ଛୋଟ କିସମ ଧାନ ପ୍ରାୟ ଅମଳ ହୋଇ ସାରିଥିବା ବେଳେ ଚାଷୀମାନେ ବାଧ୍ୟ ହୋଇ ଦଲାଲ ପାଖରେ କମ୍ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଖରିଫରେ ୫୧ ହଜାର ୨୫୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଚାଷୀ ଯେପରି ଶୋଷଣ ନହେବେ ସେଥିପାଇଁ ଜିଲ୍ଲାରୁ ବହୁଶୀଘ୍ର ମଣ୍ଡି ଆରମ୍ଭ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କୁ ପଚାରିବାରୁ କହିଥିଲେ, ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ ବ୍ୟସ୍ତଥିବାରୁ ଜିଲ୍ଲାରେ ଧାନ କ୍ରୟ କମିଟି ବୈଠକ ବସିବାରେ ବିଳମ୍ବ ହୋଇଛି । ୨୫ ତାରିଖ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।
ନୂଆପଡ଼ାରେ ଅମଳ ସରିଲାଣି ୮୦ ପ୍ରତିଶତ ଧାନ
ବର୍ଷକର ଧାନକୁ ଖଳାକୁ ଆଣି ସାଇତିଛି ଚାଷୀ
ମଣ୍ଡି ଖୋଲିଲେ ବିକ୍ରି ହେବ ଧାନ
ଆଶା ବାନ୍ଧି ବସିଛନ୍ତି ନୂଆପଡ଼ାର ଚାଷୀ
ଅଥଚ ଏଯାଏଁ ନୂଆପଡ଼ାରେ ଖୋଲିନି ମଣ୍ଡି
ଏବେ ପର୍ଯ୍ୟନ୍ତ ବସିନି ଧାନକ୍ରୟ କମିଟି ବୈଠକ
ଦଲାଲକୁ ଧାନ ବିକିବାକୁ ଚିନ୍ତା କଲେଣି ଚାଷୀ
ଅଭାବୀ ବିକ୍ରିର ଶିକାର ନୂଆପଡ଼ା ଚାଷୀ!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/21/07-2025-11-21-16-31-34.jpg)