କନକ ବ୍ୟୁରୋ : ଖବର ବାଜିଲା ପ୍ରଶାସନ ଚେତିଲା । ଉପରମୁହାଁ ହେଲା ତଳମୁହାଁ ସିସି କ୍ୟାମେରା । ନବରଙ୍ଗପୁର ଜିଲ୍ଲାର ବ୍ୟାବସାୟିକ ପେଣ୍ଠ ସ୍ଥଳୀ ଉମରକୋଟ ସହରର ଏ ଖବର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସଜଡ଼ାଯାଇଛି ସିସିଟିଭି କ୍ୟାମେରା । ଉପାନ୍ତ ନବରଙ୍ଗପୁର ଜିଲ୍ଲାର ଏକ ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ଉମରକୋଟ ସହର ସୀମାକୁ ଲାଗି ରହିଛି ଛତିଶଗଡ଼ ରାଜ୍ୟ । ଅନେକ ସମୟରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀମାନେ ଏହି ସହର ଦେଇ ଖୁଲମଖୁଲା ଦୁଇ ରାଜ୍ୟକୁ ଯିବା ଆସିବା କରିଥାନ୍ତି । ଏଣୁ ଅପରାଧୀଙ୍କୁ ଦମନ କରିବାକୁ ତଥା ଟ୍ରାଫିକ ଉପରେ ନଜର ରଖିବାକୁ କିଛି ବର୍ଷ ତଳେ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଲଗାଯାଇଥିଲା ସିସିଟିଭି କ୍ୟାମେରା ।

Advertisment

ପ୍ରାୟ ୭୦ ଲକ୍ଷ ଟଙ୍କା ବିନିମୟରେ ୬୪ ଟି ହାଇରିଜଲ୍ୟୁସନ ସିସି କ୍ୟାମେରା ଲଗାଯାଇଥିଲା । ଏହାକୁ ମନିଟର କରିବା ପାଇଁ ଉମରକୋଟ ଥାନାରେ ଏକ ଡିସପ୍ଲେ ସିଷ୍ଟମ ବି ଲଗାଯାଇଥିଲା । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସବୁ ସିସି କ୍ୟାମେରା ତଳ ମୁହାଁ ହୋଇପଡ଼ିଥିଲା । ଆଉ ବାକି ଯାହା ଥିଲା ତାକୁ ଚୋରି କରିନେଇଥିଲେ ଦୁର୍ବୃତ୍ତ । ୬୪ରୁ ମାତ୍ର ୫ ଟି ସିସି କ୍ୟାମେରା ହିଁ ଡିସପ୍ଲେ ରହିଥିଲା । ଏ ନେଇ ନିକଟରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇ କ୍ୟାମେରାକୁ ସଜାଡ଼ିଛି । 

ଅଧିକ ପଢ଼ନ୍ତୁ--ଶୋଇ ପଡ଼ିଛି ବାରିପଦା ସହରର ସିସିଟିଭି କ୍ୟାମେରା, ୬୪ ରୁ ୫୭ ଅଚଳ, ପ୍ରହସନ ପାଲଟିଛି ସିଟି ସର୍ଭିଲାନ୍ସ ସିଷ୍ଟମ

ଉମରକୋଟ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଉମରକୋଟ ଏସ୍‌ଡିପିଓ ମିଶି ସହରର ସିସିଟିଭି ଗୁଡ଼ିକର ଅବସ୍ଥା ଯାଞ୍ଚ କରି ମରାମତି କରାଇଥିଲେ । ପୂର୍ବରୁ ସହରରେ ୫୬ ସିସି ଟିଭି ଲାଗିଥିବା ବେଳେ ବର୍ତ୍ତମାନ ତାହାକୁ ବୃଦ୍ଧି କରାଯାଇ ୬୦ଟିରୁ ଊର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବର୍ତ୍ତମାନ ସିସିଟିଭିଗୁଡ଼ିକୁ ପୁଲିସ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ଉମରକୋଟ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । ସେହିପରି କନକ ନ୍ୟୁଜ୍‌ର ଏହି ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।