Mohan Charan Majhi Photograph: (KanakNews)
କନକ ବ୍ୟୁରୋ; ବଜେଟରେ ଆଶା ଠାରୁ ଅଧିକ ଟଙ୍କା ମିଳିଥିଲା । ବିକାଶର ଗତିକୁ ତ୍ବରିତ୍ବ କରିବାକୁ ହାତ ଖୋଲା ଖର୍ଚ୍ଚ କରିବାକୁ ସୁଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ଅଧା ବିଭାଗର ଖର୍ଚ୍ଚ ୫୦ ପ୍ରତିଶତ ଡେଇଁନି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ନେଉଥିବା ବେଳେ ବିଭାଗୀୟ ଖର୍ଚ୍ଚରେ ମନ୍ଥରପଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପାରିବାପଣିଆ ଉପରେ ଛିଡା କରିଛି ପ୍ରଶ୍ନଚିହ୍ନ ।
ଫେବ୍ରୁଆରି ୨୦ରେ ଆସୁଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ । ବଜେଟର ଆକାର ପ୍ରାୟ ୩ ଲକ୍ଷ କୋଟି ଟପିବା ସମ୍ଭାବନା ରହିଛି। ହେଲେ ଏହା ଭିତରେ ପୂର୍ବ ବଜେଟର ଖର୍ଚ୍ଚକୁ ନେଇ ଯେଉଁ ଚିତ୍ର ଆସିଛି ତାହା ବେଶ ଉଦବେଗଜନକ । ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରି ବିଭିନ୍ନ ବିଭାଗକୁ ତାଗିଦ କରିବା ସହ ହାତ ଖୋଲି ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା । ମୋଟ ୪୪ ବିଭାଗରୁ ୨୨ ବିଭାଗ ମିଳିଥିବା ବଜେଟ୍ର ୫୦ ପ୍ରତିଶତ ମଧ୍ୟ ଖର୍ଚ୍ଚ କରିପାରିନାହାନ୍ତି। ବଜେଟ ଖର୍ଚ୍ଚରେ ଏଭଳି କଚ୍ଛପ ଗତି ରାଜ୍ୟ ବିକାଶ ଧାରାକୁ ମନ୍ଥର କରିଛି ।
ଅଧିକ ପଢନ୍ତୁ: ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ହେବ ଅର୍ଥନୈତିକ କରିଡର : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବିକଶିତ ଓଡ଼ିଶା ଗଠନ ସ୍ବପ୍ନ ଦେଖାଯାଉଥିବା ବଜେଟ ଖର୍ଚ୍ଚର ବିକଳ ଅବସ୍ଥା ସାମ୍ନାକୁ ଆସିଛି । ମୋହନଙ୍କ ମନ୍ତ୍ରିମଣ୍ଡଳରେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବିଭାଗ ବଜେଟ୍ ଖର୍ଚ୍ଚ କରିବାରେ ନିରାଶ କରିଛି । ଜାନୁଆରୀ ୩୧ ସୁଦ୍ଧା କମ ବଜେଟ ଖର୍ଚ୍ଚ ତାଲିକାରେ ସର୍ବାଗ୍ରେ ରହିଛି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ। ସେହିଭଳି ବିପର୍ଯ୍ୟୟ ପରିଚାଳନା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଖଣି ଓ ଇସ୍ପାତ ବିଭାଗର ବଜେଟ ଖର୍ଚ୍ଚ ଆଶାନୁରୂପକ ହୋଇନି। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ ।
ବିକାଶ କ୍ଷେତ୍ରରେ ବଜେଟ ଖର୍ଚ୍ଚ ଉଭୟ ବିଭାଗ ଓ ମନ୍ତ୍ରୀଙ୍କ ଦକ୍ଷତାର ସବୁଠୁ ବଡ ମାପକାଠି । ହେଲେ ବଜେଟ ଖର୍ଚ୍ଚରେ ପଛୁଆ ରହିବା ସହ ପଦାରେ ପଡିଛି ବିଭାଗ ଓ ମନ୍ତ୍ରୀଙ୍କ ପାରିବାପଣିଆ ।
Follow Us