Thar Vehicle Photograph: (Kanak News)
କନକ ବ୍ୟୁରୋ : ବାବୁଙ୍କ ନିଦ ଭାଙ୍ଗିଦେଲାଣି ଜଙ୍ଗଲ ବିଭାଗର ଥର୍ କେଳେଙ୍କାରୀ । ସରକାରଙ୍କ ସ୍କାନରରେ ଅବସରପ୍ରାପ୍ତ ଅଧିକାରୀ । ଯେ କୌଣସି ମୂହୁର୍ତ୍ତରେ ତଦନ୍ତ ସାମନା କରିପାରନ୍ତି । ଏକଥା ଆମେ କହୁନୁ, ଏମିତି ସଙ୍କେତ ଦେଇଛନ୍ତି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି ଟିପପଣୀ ପରେ କିଏ ଦୋଷୀ ନୁହେଁ ବୋଲି ସଫେଇ ଦେଲେଣି ତ ଆଉ କେଉଁଠି ଚାଲିଛି ଫାଇଲ ଘଣ୍ଟା ।
ଥର ଗାଡ଼ିକିଣା ଷଡ଼୍ୟନ୍ତ୍ରରେ ବଡ଼ବଡ଼ିଆଙ୍କ ସଂପୃକ୍ତି । ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ପାଓ୍ୱାର କରିଡରରେ ହଲଚଲ । ଚର୍ଚ୍ଚା ଚାଲିଛି, କିଏ କେଳେଙ୍କାରୀର ମହାନାୟକ । ମନ୍ତ୍ରୀ ଠାରିଛନ୍ତି ଯେ ପିସିସିଏଫଙ୍କ ତତ୍ତ୍ୱାବଧାନରେ ୭ କୋଟି ୬ ଲକ୍ଷ ଟଙ୍କାରେ ୫୧ଟି ଥର୍ ଗାଡ଼ି କିଣା ହୋଇଛି । ଆଉ ସେହି ଗାଡିକୁ କଷ୍ଟୋମାଇଜେସନ୍ କରିବାକୁ ଖର୍ଚ୍ଚ ହୋଇଛି ୪ କୋଟି ୪୪ ଲକ୍ଷ ।
ଅଧିକ ପଢ଼ନ୍ତୁ : ଥାର୍ କେଳେଙ୍କାରୀକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ; ବିଭାଗୀୟ ଅଧିକାରୀଙ୍କ ମୁଣ୍ଡରେ ବୋଳିଲେ ଦୋଷ
ବଡ଼ କଥା ହେଉଛି, ପିସିସିଏଫଙ୍କ କାର୍ଯ୍ୟାଳୟରେ ଥିଲା ଏହାର ରିମୋର୍ଟ । ପିସିସିଏଫ ଥରକେ ୧୦ କୋଟି ଯାଏଁ ଖର୍ଚ୍ଚ ଅନୁମତି ଦେଇପାରିବେ । ଏଣୁ ୧୨କୋଟିର ଏହି ପ୍ରକଳ୍ପ ଖର୍ଚ୍ଚ ପାଇଁ ସରକାରଙ୍କ ଅନୁମତି ଲୋଡ଼ା ପଡ଼ୁଥିଲା । ଏଣୁ ସୁଚିନ୍ତିତ ଭାବେ ଦୁଇ ଭାଗରେ ବିଭକ୍ତ ହୋଇଗଲା ପ୍ରକଳ୍ପ । ପ୍ରଥମେ ୭କୋଟି ଟଙ୍କାର କିଣାଗଲା ଓ ପରେ କଷ୍ଟୋମାଇଜେସନ ନା ରେ ଖର୍ଚ୍ଚ କଲେ ସାଢେ ୪କୋଟି । ଆଜି ଏ ନେଇ ମୁହଁ ଖୋଲିଛନ୍ତି ସେବେ ଗାଡ଼ି କିଣିବା ସମୟରେ ପିସିସିଏଫ ଦାୟିତ୍ୱରେ ଥିବା ସୁଶାନ୍ତ ନନ୍ଦ ।
ଏପଟେ ପିସିସିଏଫଙ୍କ କାର୍ଯ୍ୟାଳୟରେ ଚାଲିଛି ଥର୍ ଫାଇଲ ଘଣ୍ଟା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେଣି । ଜଣାପଡ଼ିଛି ଯେ ଥର ଗାଡି ଛାଡ଼ି ଆଉ ୪୪ଟି ଟାଟା ଯୋଦ୍ଧା କିଣିବାକୁ ୪ କୋଟି ଓ ୪୫ଟି ଟାଟା ୪୧୦ ଏସଏଫସି କିଣିବା ପାଇଁ ୭ କୋଟି ୪୪ଲକ୍ଷ ଅନୁମୋଦନ ହୋଇଥିଲା । ଏହାର କଷ୍ଟୋମାଇଜେସନ ପାଇଁ ବି ଖର୍ଚ୍ଚ ହୋଇଛି ୩ କୋଟି ୧୧ ଲକ୍ଷ ଟଙ୍କା । ଏବେ ବନ୍ୟପ୍ରାଣୀ ଦାୟିତ୍ୱରେ ଥିବା ପିସିସିଏଫ୍ କହିଛନ୍ତି, ଏସବୁ ବି ଅଡ଼ିଟ୍ ଦେଖିବ।ସବୁ ଫାଇଲ୍ ଏଜିକୁ ଦେବୁ । ତେବେ ପ୍ରଶ୍ନ ଉଠୁଛି ଏଜି ଅଡିଟରେ ସବୁ ସତ ସାମ୍ନାକୁ ଆସିବ ନା ବଡ଼ ବଡ଼ିଆ ଅଛନ୍ତି ବୋଲି ତଦନ୍ତ ଅଧା ରାସ୍ତାରେ ବାଟ ଭାଙ୍ଗିବ ?
Follow Us