କନକ ବ୍ୟୁରୋ : ଥର କେଳେଙ୍କାରୀରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଥର୍ ମୋଡିଫେକେସନ ବାବଦରେ ହୋଇଥିବା ଖର୍ଚ୍ଚର ହିସାବ ଗତ କିଛି ଦିନ ତଳେ ମାଗିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । କିନ୍ତୁ ମିଳିନଥିଲା ସନ୍ତୋଷଜନକ ଉତ୍ତର । ଦୁର୍ନୀତିର ଗନ୍ଧ ବାରିଥିଲେ ମନ୍ତ୍ରୀ । ଏବେ ଏଜି କରୁଛନ୍ତି ତଦନ୍ତ, କିନ୍ତୁ ଏଜି ନୁହଁ ଇଓଡବ୍ଲୁ ତଦନ୍ତ ପାଇଁ ଦାବି କରିଛି ବିଜେଡି ।

Advertisment

ଜଙ୍ଗଲ ବିଭାଗର ଏହି ଥର୍ ଗାଡି ଅନେକଙ୍କର ନିଦ ହଜାଇଲାଣି । ଥର କେଳେଙ୍କାରୀ ସାମ୍ନାକୁ ଆସିଥିବେବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବି ଆକ୍ସନ ମୋଡରେ । ‘ଥର୍‌' ଗାଡ଼ି କିଣା ଓ କଷ୍ଟମାଇଜେସନ୍‌ରେ ହୋଇଥିବା ଖର୍ଚ୍ଚର ଅଡିଟ୍‌ କରିବାକୁ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ପିସିସିଏଫ୍‌ଙ୍କ ଦ୍ୱାରା କିଣାଯିବା ସହ କଷ୍ଟମାଇଜେସନ୍‌ ବା ମୋଡିଫିକେସନ ହୋଇଥିବା ସମସ୍ତ ଗାଡ଼ିଗୁଡ଼ିକର ସ୍ୱତନ୍ତ୍ର ଅଡିଟ୍‌ କରିବାକୁ କହିଛନ୍ତି ।

ଅଧିକ ପଢ଼ନ୍ତୁ : ବନ ବିଭାଗର ଥର ଗାଡ଼ି କିଣାକୁ ନେଇ ତନାଘନା, ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ଲେଖିଲେ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ

ତେବେ ଓପନ ଟେଣ୍ଡର ନକରି ଏତେ ବଡ଼ କାମ କେମିତି ହେଲା ? ବୋଲି ପ୍ରଶ୍ନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଥର କେଳେଙ୍କାରୀରେ ପିସିସିଏଫ୍‌ ସ୍ତରରେ ହୋଇଛି ଟଙ୍କା ନେଣଦେଣ । ଦୁର୍ନୀତିରେ ଯିଏ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ମୋଡିଫିକେସନର କଣ ଆବଶ୍ୟକତା ଥିଲା । ତାହାର ଉତ୍ତର କିଛିଦିନ ତଳେ ବିଭାଗକୁ ମଗାଯାଇଥିଲା । ଉତ୍ତର ସନ୍ତୋଷଜନକ ନମିଳିବାରୁ ଏ ବାବଦରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଏଜି ଅଡିଟର ତଦନ୍ତରେ ସବୁ ସତ ସାମ୍ନାକୁ ଆସିବ । କେବଳ ଥର ନୁହେଁ ଅନ୍ୟ ସମସ୍ତ ଗାଡି କିଣା ଓ ମୋଡିଫିକେସନର ମଧ୍ୟ ତଦନ୍ତ ହେବ । ଅନ୍ୟପଟେ ବିଜୁ ଜନତା ଦଳ ନିରପେକ୍ଷ ତଦନ୍ତ ଦାବି କରିଛି । ଟଙ୍କା ହେରଫେର ହୋଇଛି, ଏଜି ନୁହଁ ଇଓଡୱ୍ଲୁ ତଦନ୍ତ କରୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

୫୧ଟି ଗାଡ଼ିର ମୋଡିଫିକେସନରେ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଶେଷରେ କେଳେଙ୍କାରୀର ଖୋଳତାଡ ଆରମ୍ଭ କରିଛି ଜଙ୍ଗଲ ବିଭାଗ ।