କନକ ବ୍ୟୁରୋ : ଟାଙ୍ଗିରେ ଡବଲ ମର୍ଡର ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାତି ଅନ୍ଧକାରର ସୁଯୋଗ ନେଇ ୨ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ। ପରିବାର ଆଖିରୁ ଲୁହ ଶୁଖୁନଥିବା ବେଳେ ହତ୍ୟାକାରୀଙ୍କ ପାଖରେ ଏଯାଏଁ ପହଞ୍ଚିପାରିନି ପୁଲିସ। ନୂଆବର୍ଷ ପୂର୍ବରୁ ଡବଲ ମର୍ଡର ଭୟର ବାତାବରଣ ସୃଷ୍ଟି କରିଛି।
୨୦୨୫କୁ ବିଦାୟ ଦେବାକୁ ସବୁଠି ଉତ୍ସବର ମାହୋଲ। ଏହା ଭିତରେ କଟକରେ ଦୁଇ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଟାଙ୍ଗି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ଠାରେ ଥିବା ଗ୍ୟାରେଜରୁ ମିଳିଛି ୨ ଯୁବକଙ୍କ ମୃତଦେହ । ୨ ମୃତକ ହେଉଛନ୍ତି, ବିଲ ତେରୂଆର ଏମ୍.ଡି ସୋହେବ ଓ ଚୌଦ୍ବାରର ପ୍ରଶାନ୍ତ କୁମାର ଜେନା। ଉଭୟଙ୍କ ମୃତଦେହ ନିକଟରୁ ଦଉଡି, ପାଣି ବାଲଟି, ହାତୁଡି ଜବତ କରାଯାଇଛି। ଯାହା ହତ୍ୟାକାଣ୍ଡକୁ ଆହୁରି ରହସ୍ୟମୟ କରିଛି। କିଏ ମାରିଛି, କାହିଁକି ମାରିଛି? ତାହାର କାରଣ ଖୋଜୁଛି ପୁଲିସ।
ଅଧିକ ପଢ଼ନ୍ତୁ : ଭାରତୀୟ ରାଜନୀତିରେ ୨୦୨୫ ବର୍ଷ, ଦେଖନ୍ତୁ ନେତା, ନୀତି ଓ ନ୍ୟାୟାଳୟକୁ ନେଇ କ'ଣ ସବୁ ଥିଲା ଚର୍ଚ୍ଚାରେ
ମୃତ ୨ ଜଣ ସାଙ୍ଗ ମଙ୍ଗୁଳି ନିକଟରେ ଏକ ମେଡିସିନ ଗୋଦାମରେ ରାତିରେ କାର୍ଯ୍ୟ କରୁଥିଲେ । ସବୁଦିନ ପରି ଗତକାଲି ମଧ୍ୟ କାମ ପାଇଁ ଘରୁ ବାହାରି ଆସିଥିଲେ । ହେଲେ ମେଡିସିନ ଗୋଦାମରେ ପହଞ୍ଚିନଥିଲେ। ଖୋଜାଖୋଜି କରିବାରୁ ନିକଟସ୍ଥ ଏକ ଗ୍ୟାରେଜରେ ୨ ଯୁବକଙ୍କ ମୃତଦେହ ପଡିଥିବାର ଖବର ଆସିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୋଦାମ ବଦଳରେ ଗ୍ୟାରେଜକୁ କାହିଁକି ଯାଇଥିଲେ ସୋହେବ ଓ ପ୍ରଶାନ୍ତ? ହତ୍ୟାକାରୀଙ୍କ ପାଖରେ ପୁଲିସ ପହଞ୍ଚିନଥିବା ବେଳେ କଲ୍ ରେକର୍ଡର ତନାଘନା ଆରମ୍ଭ କରିଛି। ଗ୍ୟାରେଜର ମାଲିକକୁ ଅଟକ ରଖିବା ସହ ବାଲେଶ୍ବରରୁ ଗ୍ୟାରେଜର ଜଣେ କର୍ମଚାରୀଙ୍କୁ ପୋଲିସ ଉଠାଇ ଆଣିଛି । ନୂଆବର୍ଷ ପୂର୍ବରୁ ଟାଙ୍ଗିରେ ଡବଲ ମର୍ଡର ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି। ପୁଲିସ ପାଟ୍ରୋଲିଂ ଭିତରେ ବିଳମ୍ବିତ ରାତିରେ ୨ ଯୁବକଙ୍କୁ ହତ୍ୟା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଛିଡା କରିଛି ।
Follow Us