କନକ ବ୍ୟୁରୋ : କଟକର ଅନ୍ୟତମ ମନୋରମ ସ୍ଥାନ ମହାନଦୀ ନଦୀ କୂଳ । ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏଠାରେ ଆସି ସମୟ ଅତିବାହିତ କରିଥାନ୍ତି । ହେଲେ ମହାନଦୀ କୂଳରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା । ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ମହାନଦୀ ଜଳ । ଏସବୁ ଦେଖି ବି ଚୁପ୍ ପ୍ରଶାସନ ।
କଟକ ସହରର ଅଳିଆ ଆବର୍ଜନା ସବୁ ମହାନଦୀରେ ମିଶୁଛି । କିନ୍ତୁ ସଫା ହେବାର ନାଁ ଗନ୍ଧ ନାହିଁ । ମହାନଦୀ ପାଣିକୁ ପ୍ରଦୂଷଣମୁକ୍ତ କରିବାକୁ ଏହା କୂଳରେ ଭୋଜି କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ହେଲେ ପରିତାପର ବିଷୟ ମହାନଦୀ କୂଳ ସଫେଇ ପ୍ରତି ଆଖି ବୁଜି ଦେଇଛି ପ୍ରଶାସନ । ଏକଦା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ମାତାଙ୍କୁ ମହାନଦୀ କୂଳ ଆକର୍ଷିତ କରୁଥିଲା । ହେଲେ ଏବେ ସେ ପରିବେଶ ନାହିଁ । ପାଣିରେ ଗୋଡ଼ ବୁଡ଼ାଇବାକୁ ବି ଲୋକେ ନାକ ଟେକୁଛନ୍ତି ।
ଅଧିକ ପଢ଼ନ୍ତୁ : ମହାନଦୀରୁ ପାଣି ଶୋଷିବାକୁ ଷଡଯନ୍ତ୍ର : ବେଆଇନ ଭାବେ କରାଯାଉଛି ବ୍ଲାଷ୍ଟିଂ
କଟକର ଚହଟା ଘାଟ, ମକରାକୁଡ଼ିଆ, ପାର୍କ ତୁଠ, ଅଲେଖ ଟୁଙ୍ଗି ଗଡ଼ା, ହାତୀଗଡ଼ା ତୁଠ, ଯୋବ୍ରା ତୁଠର ପରିବେଶ ଆବର୍ଜନାମୟ ହୋଇପଡ଼ିଛି । ଅନ୍ୟପଟେ ତୁଳସୀପୁର, କମଳାକାନ୍ତ ବିଦ୍ୟାପୀଠ, ରେଳପୋଲ, ଶିଖରପୁର, ଗାନ୍ଧୀପଲ୍ଲୀ, ନେହରୁପଲ୍ଲୀ, ଭଦିମୂଳ, କହ୍ନେଇପୁର, ଗତିରାଉତପାଟଣା, ଆୟତ୍ତପୁର ଓ ଜଗତପୁର ଶିଳ୍ପାଞ୍ଚଳ ଆଦି ଏକାଧିକ ସ୍ଥାନର ଆବର୍ଜନା ପାଣି ମହାନଦୀରେ ମିଶୁଥିବାରୁ ମହାନଦୀ ପାଣି ପ୍ରଦୂଷିତ ହେଉଛି ।
ଓଡ଼ିଶାର ଅନ୍ୟତମ ଐତିହ୍ୟ ମହାନଦୀ ଜଳ କେବେ ପ୍ରଦୂଷଣମୁକ୍ତ ହେବ ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/28/mahanadi-river-2025-12-28-19-05-37.png)