କନକ ବ୍ୟୁରୋ : ବାଲି ବ୍ୟବସାୟକୁ କେନ୍ଦ୍ର କରି ତୁମୁଳକାଣ୍ଡ। ବାଲେଶ୍ବର ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ବେଆଇନ୍ ବାଲି ବ୍ୟବସାୟ ପାଇଁ ଗଣ୍ଡଗୋଳ । ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ନେଇ ବାରମ୍ବାର ଗାଁରେ ଉତ୍ତେଜନା ଲାଗି ରହୁଥିଲା । ଗ୍ରାମବାସୀ ବାଲି ଉତ୍ତୋଳନକୁ ବିରୋଧ କରୁଥିବା ବେଳେ ବାଲି ମାଫିଆଙ୍କୁ ସହଯୋଗ କରି କିଛି ଲୋକ ଗଣ୍ଡଗୋଳ କରୁଥିବା ଅଭିଯୋଗ ହେଉଛି । ଗତ ଡିସେମ୍ବର ୨୮ ତାରିଖରେ ଏହି ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ପୁଲିସ ୩ ଜଣକୁ ଗିରଫ କରିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଦୁଇଟି କାରରେ କିଛି ଦୁର୍ଦୃତ୍ତ ଆସି ଗଣ୍ଡଗୋଳ କରିଥିଲେ। ଫଳରେ ଗ୍ରାମବାସୀ ୪ ଜଣକୁ କାବୁ କରି ଅଟକ ରଖିଥିବା ବେଳେ ଅନ୍ୟ ମାନେ ଘଟଣାସ୍ଥଳରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ପୁଲିସ ୪ ଜଣ ଦୁର୍ବୃତ୍ତ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳରେ ସିଂଲା ପୁଲିସ ଉପସ୍ଥିତ ଅଛି ।

Advertisment

ଅଧିକ ପଢ଼ନ୍ତୁ : ବାଲି ଚୋରା ଚାଲାଣ ରୋକିବାକୁ ଆସିବ ନୂଆ ଏସଓପି

ସେପଟେ ବେଆଇନ ବାଲି ବ୍ୟବସାୟକୁ ନେଇ ଚଳିତମାସ ୧୦ ତାରିଖରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ମହାଭାରତ ଦେଖିବାକୁ ମିଳିଥିଲା । ଗୋଷ୍ଠୀ ସଂଘର୍ଷରେ ୫ଜଣ ଗୁରୁତର ହୋଇଛନ୍ତି । ଭାର୍ଗବୀ ନଦୀର ଉଗ୍ରେଶ୍ବର ଦେଉଳୀ ବାଲି ଘାଟକୁ କେନ୍ଦ୍ରକରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୫ଜଣ ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଅଧିକ ପଢ଼ନ୍ତୁ : ବାଲି ଚୋରାଚାଲାଣ ରୋକିବାକୁ କାମ ଦେଉନି ସରକାରଙ୍କ ନିର୍ଦ୍ଦେଶ; ବେଆଇନ ଭାବେ ପଶ୍ଚିମବଙ୍ଗକୁ ଯାଉଛି ବାଲି

ସୂଚନା ଅନୁସାରେ, ଗତକିଛି ଦିନ ଧରି ଭାର୍ଗବୀ ନଦୀରୁ ବାଲି ଚୋରା ଚାଲାଣ ନେଇ ଅଭିଯୋଗ ହୋଇଆସୁଥିଲା । ତେବେ ଦେଉଳୀ ଗ୍ରାମର ଗୋଟିଏ ଗୋଷ୍ଠୀ ତାଙ୍କୁ ସହଯୋଗ କରୁଥିବା ବେଳେ ଅନ୍ୟଗୋଷ୍ଠୀ ଏହାକୁ ବାଲିଘାଟକୁ ବିରୋଧ କରୁଥିଲା । ତେବେ ଗଣ୍ଡଗୋଳ ସୃଷ୍ଟି ହେବା ଆଶଙ୍କାରେ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ୨ଦିନ ବାଲି ଉଠାଣ ବନ୍ଦ ରହିବା ପରେ ପୁନର୍ବାର ନଦୀରୁ ଉକ୍ତ ବାଲି ଉଠଇବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ଗ୍ରାମରେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଉଭୟ ଗୋଷ୍ଠୀଙ୍କ ତରଫରୁ ବଳଙ୍ଗା ଥାନାରେ ପୃଥକ ପୃଥକ ଅଭିଯୋଗ ପାଇବା ପରେ ବଳଙ୍ଗା ପୁଲିସ ତଦନ୍ତ ଜାରି ରଖିଛି ।