କନକ ବ୍ୟୁରୋ : ହାଇଦ୍ରାବାଦରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଦଳର ପ୍ରଶଂସା କରୁ କରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏମିତି କିଛି ବୟାନ ଦେଇଛନ୍ତି ଯାହା ପାଇଁ ନୂଆ ବିବାଦ ଛିଡା ହୋଇଛି । କଂଗ୍ରେସ, କେମିତି ଭିନ୍ନ ଭିନ୍ନ ମାନସିକତାର ଲୋକଙ୍କ ସହ କାମ କରେ ଏହାର ଉଦାହରଣ ଦେଇ ରେଭନ୍ତ ରେଡ୍ଡୀ ହିନ୍ଦୁ ଦେବାଦେବୀଙ୍କୁ ଆକ୍ଷେପ କରିବାକୁ ପଛାଇ ନାହାଁନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି - ହିନ୍ଦୁ ଧର୍ମରେ ଏତେ ଦେବଦେବୀ କ’ଣ ପାଇଁ? ଯେଉଁମାନେ ଅବିବାହିତ ସେମାନଙ୍କ ପାଇଁ ହନୁମାନ ଭଗବାନ । ଯିଏ ଦୁଇଟି ବିବାହ କରିଛନ୍ତି, ତାଙ୍କ ପାଇଁ ଆଉ ଜଣେ ଭଗବାନ । ଯିଏ ନିଶା ସେବନ କରନ୍ତି, ତାଙ୍କ ପାଇଁ ଭିନ୍ନ ଜଣେ ଦେବତା ଅଛନ୍ତି । ଏମିତି କି ମାଂସାହାରୀ, ଶାକାହାରୀ, ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଦେବଦେବୀ ରହିଛନ୍ତି। ଯଦି ଭଗବାନଙ୍କୁ ନେଇ ସମସ୍ତଙ୍କ ଭିତରେ ଗୋଟିଏ ପ୍ରକାର ସହମତି ଅସମ୍ଭବ ତେବେ ରାଜନୈତିକ ଦଳରେ ଏହା କିପରି ସମ୍ଭବ। ତେଣୁ କଂଗ୍ରେସ ବିବିଧତାକୁ ବିଶ୍ବାସ କରେ। ବିଭିନ୍ନ ପ୍ରକାର ମାନସିକତାର ଲୋକଙ୍କୁ ନେଇ କାମ କରେ ।
ସେପଟେ ରେଭନ୍ତଙ୍କ ଏହି ବୟାନକୁ ବଡ ପ୍ରସଙ୍ଗ କରିଛନ୍ତି ବିଆରଏସ ଓ ବିଜେପି । ହିନ୍ଦୁମାନଙ୍କ ପ୍ରତି ଘୃଣାସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କଠୁ କ୍ଷମା ମାଗିଛି ବିଜେପି । ସେପଟେ ବିଆରଏସ କହିଛି ଏଭଳି ବୟାନ କେବଳ ରେଭନ୍ତଙ୍କ ନୁହେଁ କଂଗ୍ରେସର ହିନ୍ଦୁ ବିରୋଧୀ ମାନସିକତାକୁ ଦର୍ଶାଉଛି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନ, ଆଗାମୀ ଦିନରେ କୁହୁଳିବା ସହ ଦଳ ପାଇଁ ସମସ୍ୟା ଆଣିପାରେ ।
Follow Us