TATA AND WOMEN CRICKET Photograph: (kanak news)
କନକ ବ୍ୟୁରୋ: ବିଶ୍ବ ବିଜୟିନୀ ବନି କ୍ରିକେଟ୍ ଜଗତରେ ନୂଆ ଅଧ୍ୟାୟ ଲେଖିଥିବା ଭାରତୀୟ ମହିଳା କ୍ରିକେଟରଙ୍କୁ ଟାଟା କମ୍ପାନିର ବଡ଼ ଉପହାର । ଦେଶ ପାଇଁ ଗୌରବ ଆଣିଥିବା ପ୍ରତ୍ୟେକ ମହିଳା କ୍ରିକେଟରଙ୍କୁ ଦାମୀ କାର୍ ଉପହାର ଦେବାକୁ ଘୋଷଣା କରିଛି ଟାଟା କମ୍ପାନି । ଏପରିକି ଟାଟାର ଏକ ସ୍ବତନ୍ତ୍ର କାର୍ ଲଞ୍ଚ୍ ହେବା ପୂର୍ବରୁ ଏହାର ପ୍ରଥମ ୟୁନିଟ୍ ଭାରତୀୟ ମହିଳା କ୍ରିକେଟର ଟିମକୁ ଦେବ ଟାଟା ।
ବଡ଼କଥା ହେଉଛି ଭାରତୀୟ ମହିଳା କ୍ରିକେଟ ଦଳକୁ ସମ୍ମାନିତ କରିବା ପାଇଁ ଟାଟା ମୋଟର୍ସ ବହୁ ପ୍ରତୀକ୍ଷିତ ଟାଟା ସିଏରାର ପ୍ରଥମ ୟୁନିଟ୍ ଆସନ୍ତା ନଭେମ୍ବର ୨୫ ତାରିଖରେ ଅର୍ଥାତ୍ ଲଞ୍ଚ୍ ଦିନ ହିଁ ପ୍ରଦାନ କରିବ । ଏପରିକି SUVର ସବୁଠାରୁ ଶାନଦାର ଭାରିଆଣ୍ଟ ମହିଳା ବ୍ରିଗେଡଙ୍କୁ ଉପହାର ସ୍ବରୂପ ଦେବ । ଏନେଇ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶୈଳେଶ ଚନ୍ଦ୍ର କହିଛନ୍ତି, "ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ପ୍ରଦର୍ଶନ ଦ୍ବାରା ଭାରତକୁ ବିଜୟ ଦେଇ ଗର୍ବିତ କରିଛନ୍ତି । ତେଣୁ ଆମେ ଆମ ଭାରତ ସୁନା ଝିଅଙ୍କୁ ଟାଟା ସିଏରା ଉପହାର ଦେବା ଆମ ପାଇଁ ସୌଭାଗ୍ୟର କଥା ।
ଅଦିକ ପଢ଼ନ୍ତୁ--Rahul Gandhi : ସାମ୍ନାକୁ ଆସିଲେ ରାହୁଲଙ୍କ ‘ଭୋଟ୍ ଚୋରିର ବ୍ରାଜିଲ୍ ଗର୍ଲ’ ; ଭାଇରାଲ୍ ଫଟୋ ପଛର କଲେ ଖୁଲାସା
ଖାଲି ଟାଟା ନୁହେଁ କାର୍ ଏବଂ ନଗଦ ରାଶି ବ୍ୟତୀତ ଖେଳାଳିମାନଙ୍କୁ ସୁରଟର ଶିଳ୍ପପତି ତଥା ରାଜ୍ୟସଭା ସାଂସଦ ଗୋବିନ୍ଦ ଢୋଲକିଆ ହୀରା ଅଳଙ୍କାର ସହ ସୌର ପ୍ୟାନେଲ ଉହାର ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । ଭାରତୀୟ ମହିଳା କ୍ରିକେଟର ବିଶ୍ବ ବିଜୟୀ ପରେ ଢୋଲକିଆ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କୁ ଚିଠି ଲେଖି କହିଥିଲେ ଯେ ସେ ସମସ୍ତ ଖେଳାଳିଙ୍କୁ ହାତ ତିଆରି ହୀରା ଅଳଙ୍କାର ସହିତ ସମ୍ମାନିତ କରିବେ । ଏବଂ ସେମାନଙ୍କ ଘରେ ସୌର ପ୍ୟାନେଲ ମଧ୍ୟ ଲଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ୫୨ ବର୍ଷର ମହିଳା କ୍ରିକେଟ୍ ଇତିହାସରେ ଯାହା ହୋଇ ନଥିଲା ତାହା ନଭେମ୍ବର ୨ ତାରିଖ ରାତିରେ ସମ୍ଭବ ହୋଇଥିଲା । ଭାରତୀୟ ମହିଳା କ୍ରିକେଟ୍ ଦଳ ନିଜର ପ୍ରଥମ ବିଶ୍ବକପ୍ ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ । ଏପରିକି ୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ଐତିହାସିକ ବିଶ୍ବକପ୍ ଭଳି ଭାରତୀୟ ମହିଳା ଦଳ ବିଶ୍ବ ମୁକୁଟ ପିନ୍ଧି କ୍ରିକେଟ୍ ଜଗତରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ଏହି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହାପରେ ଏବେ ବିଶ୍ବ ବିଜୟିନୀଙ୍କ ଉପରେ ଟଙ୍କା ବର୍ଷା ହେଉଛି ।
Follow Us