କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ରହିଥିବା ତାମ୍ପରା ହ୍ରଦରେ ସକାଳରୁ ସଞ୍ଜ ପର୍ଯ୍ୟନ୍ତ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଏଠାକାର ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ହ୍ରଦ ଓ ଲେକ୍‌ ଭ୍ୟୁ ପଏଣ୍ଟ । ଏଠାକାର ମୁଖ୍ୟ ଆକର୍ଷଣ ସାଜିଥିବା କାଠ ପୋଲ ବର୍ତ୍ତମାନ ଭାଙ୍ଗିରୁଜି ପଡ଼ିଛି । ପାର୍କରେ ଥିବା ଅନେକ ଲାଇଟ୍‌ ଗୁଡ଼ିକ ମଧ୍ୟ ଅଚଳ । ସଂନ୍ଧ୍ୟା ହେଲେ ତାମ୍ପରାରେ ରହିବାକୁ ଅସୁରକ୍ଷିତ ମନେ କରୁଛନ୍ତି ପର୍ଯ୍ୟଟକ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

Advertisment

ସଂଧ୍ୟା ପୂର୍ବରୁ ତାମ୍ପରା ଛାଡ଼ ! ଏହା ଆମେ ନୁହେଁ, ନିଜେ କହୁଛି ତାମ୍ପରା । ଗଞ୍ଜାମର ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ । ତାମ୍ପରା ହ୍ରଦକୁ ଦେଖିବାକୁ ବର୍ଷ ତମାମ ପର୍ଯ୍ୟଟକ ଭିଡ଼ ଲାଗେ । ଖାସ୍‌ କରି ଶୀତ ଋତୁରେ ରାଜ୍ୟ ସମତେ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ଆଲୋକୀକରଣର ବ୍ୟବସ୍ଥା ନାହିଁ । ପାର୍କରେ ଥିବା ଅଧିକାଂଶ ଲାଇଟ୍‌ ଅଚଳ । ସଂଧ୍ୟା ହେଲେ ତାମ୍ପରାକୁ କବଳିତ କରେ ଘନ ଅନ୍ଧକାର ! ଫଳରେ ସୂର୍ଯ୍ୟାଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଏଠାକୁ ଆସୁଥିବା ପର୍ଯ୍ୟଟକ ସୂର୍ଯ୍ୟାସ୍ତ ଦେଖିବା ପୂର୍ବରୁ ଏଠାରୁ ଭୟରେ ଚାଲିଯାଉଛନ୍ତି ।

ଅଧିକ ପଢ଼ନ୍ତୁ : ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ହଦଗଡ଼ ; ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ତାମ୍ପରା ହ୍ରଦରେ ବୋଟିଂ କରିବାର ମଜା କରିବା ଟିକେ ନିଆରା । ନୌକା ବିହାରର ମଜା ନେବା ପରେ ଲେକ୍‌ ଭ୍ୟୁ ପଏଣ୍ଟରେ ବସି ନିଜ ଅବସର ସମୟ ବିତାନ୍ତି ପର୍ଯ୍ୟଟକ । କିନ୍ତୁ ଏଠାକାର ମୁଖ୍ୟ ଆକର୍ଷଣ ଦୁଇଟି କାଠ ପୋଲ ଭାଙ୍ଗିଗଲାଣି । ଯାହା ତାମ୍ପରା ସୌନ୍ଦର୍ଯ୍ୟ ଉପରେ କୁଠାରଘାତ ବୋଲି କହିଛନ୍ତି ପର୍ଯ୍ୟଟକ । ଶୌଚାଳୟ ଦୁର୍ଗନ୍ଧରେ ଫାଟିପଡ଼ୁଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ପୂର୍ବରୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିନରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ବର୍ତ୍ତମାନ ଡିଆର୍‌ଡିଏ ଅଧିନରେ ରହିଛି । ତେବେ ଜାନୁଆରି ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ କରାଯିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ବିଡିଏ ଉପାଧ୍ୟକ୍ଷ । ନିଜ ବନ୍ଧୁ ପ୍ରିୟଜନଙ୍କ ସହ କିଛି ବ୍ୟକ୍ତିଗତ ମୁହୂର୍ତ୍ତ ବିତାଇବାକୁ ଆସୁଛନ୍ତି । କିନ୍ତୁ ଫେରିଲା ବେଳକୁ ଅଭୁଲା ସ୍ମୃତି ଠାରୁ ଅଧିକ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଯାହାକୁ ନେଇ ପର୍ଯ୍ୟଟକ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ ।