କନକ ବ୍ୟୁରୋ : ଭାରତରେ ଅଙ୍ଗଦାତାଙ୍କ ସଂଖ୍ୟା ବହୁତ କମ୍ ରହିଛି। ଏନେଇ ଲୋକଙ୍କୁ ସଚେତନ କରାଯାଇ ଏହି ଧାରାକୁ ନିରନ୍ତର ପ୍ରୋତ୍ସାହନ ଦିଆଯାଉଛି। ଧୀରେ ଧୀରେ ଦେଶରେ ଅଙ୍ଗଦାନ ଧାରା ଆଗକୁ ବଢୁଛି । ତେବେ ଭାରତରେ ମୃତ ଅଙ୍ଗ ଦାନ ଅପେକ୍ଷା ଜୀବିତ ଅଙ୍ଗ ଦାନ ସଂଖ୍ୟା ଅଧିକ ରହିଛି।ଦେଶରେ ଅଙ୍ଗଦାନରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ସଂଖ୍ୟା ଅଧିକ ରହିଛି। ୨୦୨୫ର ତଥ୍ୟ ସମ୍ବଳିତ ପରିସଂଖ୍ୟାନ ଅନୁଯାୟୀ, ତାମିଲନାଡୁ ୨୬୭ ଦାନ ସହିତ ତାଲିକାର ଶୀର୍ଷରେ ରହିଛି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ତେଲେଙ୍ଗାନା ରହିଛି। ସେଠାରେ ୨୦୫ ଅଙ୍ଗଦାନ କରାଯାଇଛି। ସେହିପରି କର୍ଣ୍ଣାଟକରେ ୧୯୮ ଏବଂ ମହାରାଷ୍ଟ୍ରରେ ୧୫୩ ଅଙ୍ଗଦାନ କରାଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଅଙ୍ଗଦାନରେ ନିରନ୍ତର ବୃଦ୍ଧି,ହି କାର୍ଯ୍ୟକ୍ରମରେ ହସ୍ପିଟାଲଗୁଡ଼ିକର ଅଂଶଗ୍ରହଣ, ସଚେତନତା ବୃଦ୍ଧି ଏବଂ ବିକଶିତ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛି ।
ଦେଶରେ ୬୦,୫୯୦ ରୁ ଅଧିକ ରୋଗୀ କିଡନୀ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି। ସେହିଭଳି ୧୮,୦୦୦ ରୁ ଅଧିକ ରୋଗୀ ଯକୃତ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି । ଏହା ସହିତ, ୧,୬୯୫ ରୋଗୀ ହୃଦୟ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି। ୯୭୦ ଜଣ ଫୁସଫୁସ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି। ୩୦୬ ଜଣ ଅଗ୍ନାଶୟ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି। ଏଭଳି ମୋଟ ୮୨,୨୮୫ ରୋଗୀ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୩,୦୪୫ ରୋଗୀ କିଡନୀ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି । ଏହା ପଛକୁ ଗୁଜରାଟରେ ୭,୪୦୫, ଚଣ୍ଡିଗଡ଼ରେ ୬,୬୯୧, ତାମିଲନାଡୁ ୬,୪୪୮ ଏବଂ ଦିଲ୍ଲୀରେ ୫,୮୯୪ ରୋଗୀ ରହିଛନ୍ତି। ସେହିପରି, ମହାରାଷ୍ଟ୍ରରେ ସର୍ବାଧିକ ୬,୯୨୪ ରୋଗୀ ଯକୃତ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି । ଏହା ପଛକୁ ଦିଲ୍ଲୀରେ ୨,୮୩୫ ଜଣ ରୋଗୀ ଅପେକ୍ଷା କରିଛନ୍ତି ।
ହୃଦ୍ ପ୍ରତିରୋପଣ ପାଇଁ ତାମିଲନାଡୁରେ ସବୁଠାରୁ ଲମ୍ବା ଅପେକ୍ଷା ତାଲିକା ଅଛି। ସେଠାରେ ୩୪୫ ରୋଗୀ ଅପେକ୍ଷା ତାଲିକାରେ ଅଛନ୍ତି। ସେହିପରି ମହାରାଷ୍ଟ୍ରରେ ୩୪୧ ଜଣ ଅଛନ୍ତି। ଫୁସଫୁସ ପ୍ରତିରୋପଣ ରୋଗୀଙ୍କ ସଂଖ୍ୟା ତାମିଲନାଡୁରେ ସର୍ବାଧିକ ରହିଛି। ସେଠାରେ ୩୧୫ ଜଣ ତାଲିକାରେ ଅଛନ୍ତି। ଏହା ପଛକୁ କର୍ଣ୍ଣାଟକରେ ୧୬୩ ଜଣ ଅଛନ୍ତି। ଏକ ଅଧ୍ୟୟନ ଅନୁଯାୟୀ, ମୃତ୍ୟୁ ପରେ ମହିଳାମାନେ ସେମାନଙ୍କର ଅଙ୍ଗ ଦାନ କରିବାକୁ ଇଚ୍ଛୁକତା ପ୍ରକାଶ କରୁଛନ୍ତି। ଅଙ୍ଗ ପାଇବାରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ସଖ୍ୟା କମ୍ ରହିଛି। ଏହି ନିଷ୍କର୍ଷ ୨୦୨୪ ମସିହାରେ ଦାଖଲ ହୋଇଥିବା ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ଆବେଦନର ବିଶ୍ଳେଷଣରୁ ଆସିଛି।
ସର୍ଭେ ସମୟରେ ବ୍ୟକ୍ତିବିଶେଷଙ୍କୁ ପଚରାଯାଇଥିଲା ଯେ, ସେମାନେ ମୃତ୍ୟୁ ପରେ ସେମାନଙ୍କର ଅଙ୍ଗ କିମ୍ବା ଟିସୁ ଦାନ କରିବାକୁ ଇଚ୍ଛୁକ କି? ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ଅଧିକ ଜନବହୁଳ ରାଜ୍ୟରେ ଅଙ୍ଗଦାନ କରିବାକୁ ଇଚ୍ଛୁକ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ କମ୍ ରହିଛି। ମହିଳାଙ୍କ ମଧ୍ୟରେ, ଅଙ୍ଗଦାନ କରିବାକୁ ଇଚ୍ଛୁକତା ୧୭% ରୁ ୨୧% ପର୍ଯ୍ୟନ୍ତ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ପୁରୁଷମାନଙ୍କ ମଧ୍ୟରେ, ଏହି ସଂଖ୍ୟା ୧୨% ରୁ ୧୯% ପର୍ଯ୍ୟନ୍ତ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/12/1-2026-01-12-13-07-50.jpg)