କନକ ବ୍ୟୁରୋ : ଆମେ ଅନେକ ସମୟରେ ଖବର ଦେଖିଛନ୍ତି କି ସ୍ୱାମୀ ସ୍ତ୍ରୀକୁ ମାଡ଼ ମାରିଲେ ଅପରାଧ । ସ୍ୱାଭାବିକ ଭାବରେ କାହାକୁ ବି ହାତ ଉଠାଇବା ଆଇନତଃ ଅପରାଧ । କିନ୍ତୁ ତାଲିବାନ୍‌ର ଶାସନରେ ଏହା ଅପରାଧ ନୁହେଁ । ହୁଏତ ଏ ଘଟଣା ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ପୂରା ସତ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଲିବାନ ସରକାର ଏବେ ପତ୍ନୀଙ୍କୁ ମାଡ଼ ମାରିବା କାଳେ ଅପରାଧ ନୁହେଁ ବୋଲି ଘୋଷଣା କରିଛି । ଯାହାକୁ ନେଇ କେବଳ ଆଫଗାନିସ୍ତାନରେ ଚର୍ଚ୍ଚା ହେଉଛି ତାହା ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ହେଉଛି । 

Advertisment

ଆଗକୁ ପଢ଼ନ୍ତୁ : ମୁହଁରେ ବୁର୍ଖା କାନ୍ଧରେ ପାଣିଭାର : ମୁସଲିମ୍ ମହିଳାଙ୍କ ତୁଣ୍ଡରେ ଭୋଳାଶଙ୍କର, ଫୁଲ ବର୍ଷା କଲା ପୂରା ସହର

ତାଲିବାନର ନୂଆ ଆଇନର ସବୁଠାରୁ ଭୟଙ୍କର କଥା ହେଉଛି ଯେ ସ୍ୱାମୀମାନେ ଏବେ ସେମାନଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ଅତି ନିର୍ମମ ଭାବରେ ପିଟିପାରିବେ । ଭାରତରେ ଦଣ୍ଡନୀୟ ଅପରାଧ ବୋଲି ଯାହାକୁ କୁହାଯାଇଛି ତାହା ଆଫଗାନିସ୍ତାନରେ ଏବେ ବୈଧ । ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ମଧ୍ୟ ରହିଛି । ଏହି ଏକମାତ୍ର ସର୍ତ୍ତ ହେଉଛି ସ୍ତ୍ରୀ ଏବଂ ପିଲାମାନଙ୍କର ହାଡ଼ ଯେମିତି ନ ଭାଙ୍ଗିବ ଓ ମାଡ଼ର ଚିହ୍ନ ଯେମିତି ଦେଖାଯାଉନଥିବ । ଯଦି ମାଡ଼ର ଚିହ୍ନ ଦେହରେ ଦେଖାଯାଏ ତେବେ ପୁରୁଷଙ୍କୁ ସର୍ବାଧିକ ୧୫ ଦିନ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ତେବେ ଏଥିପାଇଁ ମହିଳାଙ୍କୁ କୋର୍ଟରେ ତାଙ୍କ ସ୍ୱାମୀ କିମ୍ବା ଶାଶୂଘର ଲୋକଙ୍କ ଉପସ୍ଥିତିରେ ନିର୍ଯାତନା ପ୍ରମାଣ କରିବାକୁ ପଡ଼ିବ । ଯାହା ଦ୍ବାରା ସ୍ବାମୀଙ୍କୁ ୧୫ ଦିନ ଜେଲଦଣ୍ଡ ତ ଭୋଗିବାକୁ ପଡ଼ିବ କିନ୍ତୁ ମହିଳାଙ୍କ ପାଇଁ ନ୍ୟାୟ ପାଇବା ଅସମ୍ଭବ ହୋଇଯିବ। କିନ୍ତୁ ଏମିତି କେମିତି ଆଇନ କରାଗଲା ତାହାକୁ ନେଇ ନାନାପ୍ରଶ୍ନ ଉଙ୍କି ମାରୁଛି । ସୂଚନା ଅନୁସାରେ, ତାଲିବାନ ନ୍ୟାୟ ବ୍ୟବସ୍ଥାକୁ ଚାରୋଟି ବର୍ଗରେ ବିଭକ୍ତ କରାଯାଇଛି ଯାହା ସମାନତାର ଅଧିକାରକୁ ସମ୍ପୁର୍ଣ୍ଣ ଉଲ୍ଲଂଘନ କରେ । ଏହି ବ୍ୟବସ୍ଥା ଅଧୀନରେ ଯଦି ଉଲାମା ବା ଧାର୍ମିକ ବିଦ୍ୱାନ ଅପରାଧ କରନ୍ତି ତେବେ ତାଙ୍କୁ କେବଳ ପରାମର୍ଶ ଦେଇ ଛାଡ଼ି ଦିଆଯାଏ । ଉଚ୍ଚ ବର୍ଗର ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ କୋର୍ଟକୁ ଡକାଯାଏ ଏବଂ ପରାମର୍ଶ ଦିଆଯାଏ। ଅନ୍ୟପଟେ ମଧ୍ୟବୀତ୍ତ ବର୍ଗ ଜେଲ୍‌ ଦଣ୍ଡ ଭୋଗିବେ ଏବଂ ନିମ୍ନ ବର୍ଗର ଲୋକଙ୍କୁ ଚାବୁକ ପ୍ରହାର ଏବଂ ଶାରୀରିକ ନିର୍ଯାତନା ସହିତ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ । 

ଦଣ୍ଡ ସଂହିତାରେ ଏହା ମଧ୍ୟ କୁହାଯାଇଛି ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଅନୁମତି ବିନା ସମ୍ପର୍କୀୟଙ୍କୁ ଭେଟିବାକୁ ଗଲେ ତାଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ଖାଲି ଏତିକି ନୁହେଁ ୨୦୦୯ ମସିହାରେ ମହିଳା ବିରୋଧୀ ହିଂସା ଦୂରୀକରଣ ଆଇନକୁ ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି। ଏହାର ଅର୍ଥ ହେଉଛି ମହିଳାମାନଙ୍କର ସୁରକ୍ଷା ପାଇଁ କୌଣସି ଆଇନଗତ ଆଶ୍ରୟ ନାହିଁ ଏବଂ ଏହା ଉପରେ ସାର୍ବଜନୀନ ଭାବରେ ଆଲୋଚନା କରିବା ଏକ ଅପରାଧ ବୋଲି ଧରାଯିବ। ଜାତିସଂଘ (ୟୁଏନ)ର ସ୍ୱତନ୍ତ୍ର ଦୂତ ରିମ ଆଲସାଲେମ ଏହାକୁ 'ମହିଳାମାନଙ୍କ ପାଇଁ ଭୟଙ୍କର ବ୍ୟବସ୍ଥା' ବୋଲି କହିଛନ୍ତି ଏବଂ ଅନ୍ତର୍ଜାତୀୟ ସମୁଦାୟକୁ ପ୍ରଶ୍ନ କରିଛନ୍ତି ଯେ ବିଶ୍ୱ ଏହି ନୀରବ ଚିତ୍କାର ଶୁଣିବ କି? 

ତେବେ ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, କୌଣସି ମାନବୀୟ ଉଲ୍ଲଙ୍ଘନକୁ ଆମେ ପ୍ରଶ୍ରୟ ଦେଉନାହୁଁ ବରଂ କେବଳ ଖବର ଉଦ୍ଦେଶ୍ୟରେ ଏହାକୁ ପ୍ରସାରଣ କରାଯାଉଛି । ମୋଟ୍‌ ଉପରେ ତାଲିବାନର ଏହି ଆଇନକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା ।