କନକ ବ୍ୟୁରୋ : ଧର୍ମ ଏବଂ ସମ୍ପ୍ରଦାୟର ପ୍ରତିବନ୍ଧକକୁ ଭାଙ୍ଗି ଆସ୍ଥା ଏବଂ ବିଶ୍ବାସର ଅନନ୍ୟ ପ୍ରତିଛବି ଯେତେବେଳେ ରାସ୍ତାରେ ଚାଲି ଯାଉଥିଲା ସେତେବେଳେ ହଜାର ହଜାର ଲୋକ ଏଭଳି ଦୃଶ୍ୟ ଦେଖି ହତବାକ ହୋଇ ଚାହିଁ ରହିଥିଲେ । ଆମେ କହୁଛୁ ଉତ୍ତରପ୍ରଦେଶ ସମ୍ଭଲ ଅଞ୍ଚଳରୁ ଭାଇରାଲ୍ ହେଉଥିବା ଏକ ଭିଡିଓ ବିଷୟରେ । ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ମୁସଲିମ୍ ମହିଳା ବୁର୍ଖା ପିନ୍ଧି କାନ୍ଧରେ ଭାର ନେଇ ମହାଦେବଙ୍କ ମନ୍ଦିରକୁ ଯାଉଛନ୍ତି । ସମ୍ଭଲର ଏହି ମହିଳାଙ୍କ ନାଁ ତମନ୍ନା ମଲ୍ଲିକ ବୋଲି ଜଣାପଡ଼ିଛି । ତମନ୍ନା ହରିଦ୍ବାରରୁ ସମ୍ଭଲ ପଦଯାତ୍ରା କରି ଆସିଛନ୍ତି । ସେ ସମ୍ଭଲରେ ପହଞ୍ଚିବା ମାତ୍ରେ ପୁଲିସ ଓ ପ୍ରଶାସନ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଶହ ଶହ ଭୋଳା ଭକ୍ତ ତମନ୍ନାଙ୍କ ସ୍ବାଗତ ଆଡ଼ମ୍ବର ସହକାରେ କରିଥିଲେ । ତେବେ ଜଣେ ମୁସଲିମ୍ ମହିଳା ବୁର୍ଖାରେ ପାଣିଭାର ଧରି ଶିବାଳୟକୁ ଯିବା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସୋସିଆଲ୍ ମିଡିଆରେ ମଧ୍ୟ ଏହି ବିଷୟକୁ ନେଇ ବହୁତ ଆଲୋଚନା ହେଉଛି । ଏନେଇ ଏବେ ମୁସଲିମ୍ ଧାର୍ମିକ ନେତାମାନଙ୍କ ପକ୍ଷରୁ କଠୋର ପ୍ରତିକ୍ରିୟା ପ୍ରକାଶ ପାଇଛି । ହରିଦ୍ୱାରରୁ ପଦଯାତ୍ରା ଆରମ୍ଭ କରି ତମନ୍ନା ଶନିବାର ସମ୍ଭଲ ଜିଲ୍ଲାରେ ପ୍ରବେଶ କରିଥିଲେ । ଆସମୋଲି ପୁଲିସ ଅଧିକ୍ଷକ ଏବଂ ଇନ୍ସପେକ୍ଟର ତାଙ୍କ ଉପରେ ଫୁଲ ବର୍ଷା କରି ସ୍ୱାଗତ କରିବା ସହିତ ସୁରକ୍ଷା ପ୍ରଦାନ କରିଥିଲେ । ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ତମନ୍ନାଙ୍କୁ ସ୍ୱାଗତ କରାଯାଇଥିଲା। ତେବେ ଜଣେ ମୁସଲିମ୍ ମହିଳା  କାଉଡ଼ି ଯାତ୍ରା କରିବାର କାରଣ କ’ଣ , ଆସନ୍ତୁ ଜାଣିବା । 

Advertisment

ଆଗକୁ ପଢ଼ନ୍ତୁ : ଗୁମୁରି କାନ୍ଦୁଛି ଗଙ୍ଗା : ତା’ ଗର୍ଭକୁ ଯାଉଛି ବିଷ ଆଉ କେବେ ଚେତିବ ମଣିଷ ?

ବଦନପୁର ବାସେଇ ଗାଁର ବାସିନ୍ଦା ୟାମିନଙ୍କ ଝିଅ ତମନ୍ନା ମଲିକ ଜଣେ ହିନ୍ଦୁ ସଂପ୍ରଦାୟର ଯୁବକଙ୍କୁ ପ୍ରେମ କରୁଥିଲେ । ତମନ୍ନା ସେହି ଗାଁର ସୁରେନ୍ଦ୍ର ତ୍ୟାଗୀଙ୍କ ପୁଅ ଅମନ ତ୍ୟାଗୀଙ୍କୁ ଦୀର୍ଘ ଦିନରୁ ଭଲ ପାଉଥିଲେ । କିନ୍ତୁ ଧାର୍ମିକ ପ୍ରତିବନ୍ଧକ କାରଣରୁ ଦୁହିଁଙ୍କ ବିବାହ ସ୍ଥିର ହୋଇପାରୁନଥିଲା । ଅମନଙ୍କ ସହିତ ବିବାହ ହେଲେ ଭଗବାନ ଶିବଙ୍କ ମସ୍ତକରେ ଜଳଲାଗି କରିବାକୁ ମାନସିକ କରିଥିଲେ ତମନ୍ନା । ଭଗବାନଙ୍କ କୃପାରୁ ଦୁହିଁଙ୍କ ବିବାହ ହେଲା ଏବଂ ୨ ପୁଅ ମଧ୍ୟ ଜନ୍ମ ହେଲେ । ବିବାହର ୩ ବର୍ଷ ପରେ ତମନ୍ନା ଶିବଶମ୍ଭୁଙ୍କୁ କରିଥିବା ମାନସିକ ପୂରଣ ପାଇଁ କାଉଡ଼ି ଯାତ୍ରା କରିଥିଲେ । ହରିଦ୍ୱାରରୁ ଗଙ୍ଗା ଜଳ ନେଇ ଶିବଙ୍କ ମସ୍ତକରେ ଲାଗି କରିବାର ଖବର ଜାଣିବା ପରେ ତାଙ୍କୁ ଅନେକ ଗାଁରେ ସ୍ବାଗତ କରାଯାଇଥିଲା ।

ଢୋଲ ଏବଂ ଜୟଧ୍ବନି ଦେଇ ଏହି ମହିଳାଙ୍କୁ ସ୍ବାଗତ କରିଥିଲେ ବିଭିନ୍ନ ଗାଁର ଲୋକେ । ମହାଶିବରାତ୍ରି ଅବସରରେ ତମନ୍ନା ନୈମିଷାରଣ୍ୟର ପ୍ରାଚୀନ କ୍ଷେମନାଥ ତୀର୍ଥ ମନ୍ଦିରରେ ଜଳାଭିଷେକ କରିଛନ୍ତି । ମନ୍ଦିରରେ ତାଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ତମନ୍ନା କହିଛନ୍ତି ଯେ ପ୍ରଥମେ ପ୍ରଥମେ ସେ କିଛି ଗାଁରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ପରେ ପୁଲିସ ସୁରକ୍ଷା ଯୋଗୁଁ ତାଙ୍କୁ ଆଉ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିନଥିଲା । ତମନ୍ନା ବିବାହ ପରେ ହିନ୍ଦୁ ଧର୍ମ ପାଳନ କରନ୍ତି ଏମିତିକି ସେ ତାଙ୍କ ନାମ ତୁଳସୀ ମଧ୍ୟ ରଖିଛନ୍ତି ।