କନକ ବ୍ୟୁରୋ: ପ୍ରଶାସନ ସହ ମୁହାଁମୁହିଁ ହେଲେ ବିଧାୟକ ବ୍ରଜ ପ୍ରଧାନ । ଉଚ୍ଛେଦ ବେଳେ ପୂରା ଗାଁ ପାଇଁ ବାହାରିଲେ ତାଳଚେର ବିଧାୟକ । ବିନା ନୋଟିସରେ ଉଚ୍ଛେଦ ଚାଲିଥିବାରୁ ପୁଲିସ ଓ ପ୍ରଶାସନ ସହ ହେଲା ଜୋରଦାର ଯୁକ୍ତିତର୍କ । ଖଣି ପାଇଁ ମାଟିରେ ମିଶିଯାଇଛି ତାଳଚେର ପଦ୍ମାବତୀପୁର ପଞ୍ଚାୟତର ହିଲୋଇ ଗାଁ । ଗୋଟିଏ ଦିନରେ ମାଟିରେ ମିଶିଲା ଗାଁର ୧୦୯ ପରିବାରର ଘର । ଆଉ ଉଚ୍ଛେଦ ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା । ଗୋଟିଏ ପଟେ ବିଧାୟକ ଅନ୍ୟପଟେ ପୂରା ପ୍ରଶାସନ, ଘମାଘୋଟ୍ କଥା କଟାକଟି ହୋଇଛି ।

Advertisment

ବଡ଼ କଥା ହେଉଛି ବିନା ନୋଟିସରେ ପ୍ରଶାସନ ଉଚ୍ଛେଦ କରିଛି ବୋଲି ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମବାସୀଙ୍କ ଗୁହାରି ନା ଖଣି କର୍ତ୍ତୃପକ୍ଷ ନା ପ୍ରଶାସନ କେହି ଶୁଣିନାହାନ୍ତି ବୋଲି କହିଛନ୍ତି ଗାଁ ଲୋକେ । ଲୋକଙ୍କ ପାଇଁ ବାହାରିଥିବା ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କୁ ଠେଲି ଠେଲି ସେ ସ୍ଥାନରୁ ବାହାର କରି ପୁଲିସ ହିଲୋଇ ଗାଁକୁ ହଜେଇଦେଇଛି । 

ଏହା ମଧ୍ୟ ପଢ଼ନ୍ତୁ--ବାତ୍ୟା ମୋନ୍ଥା ପରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା : ଖୁବଶୀଘ୍ର କ୍ଷୟକ୍ଷତିର ହେବ ଆକଳନ

ଏମ୍‌ସିଏଲ ତାଳଚେରସ୍ଥିତ ଅନନ୍ତ କୋଇଲା ଖଣି ପକ୍ଷରୁ ହିଲୋଇ ଗ୍ରାମରେ ଉଚ୍ଛେଦ କରାଯାଇଛି । ହିଲୋଇରେ ମୋଟ୍ ୧୦୯ଟି ପରିବାର ରହିଛନ୍ତି । ଆଉ ଏହି ହିଲୋଇ ଗାଁରେ ଉଚ୍ଛେଦ କରିବା ପାଇଁ ଖଣି କର୍ତ୍ତୃପକ୍ଷ ପୂର୍ବ‌ରୁ ଅନେକ ଥର ଗ୍ରାମବାସୀଙ୍କୁ ନୋଟିସ କରିଛି । କିନ୍ତୁ ଖଣି କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଉନଥିବାରୁ ଗ୍ରାମବାସୀ ଘର ଛାଡ଼ି ଅନ୍ୟତ୍ର ଯାଉନଥିଲେ । ଏପଟେ ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।