କନକ ବ୍ୟୁରୋ: ମହିଳା କ୍ରିକେଟ ବିଶ୍ୱକପ୍ ଶେଷ ହେବା ପରେ ଏବେ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଆଇସିସି । ଭାରତ ଓ ଶ୍ରୀଲଙ୍କାରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ପରିଚାଳନା କରିଥିଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଏବେ ନଜର ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ । ଏହି ବହୁ ପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟ ପାଇଁ ଭେନ୍ୟୁ ସର୍ଟଲିଷ୍ଟ କରିଛି ଆଇସିସି । କ୍ରିକ୍ବଜ୍ ରିପୋର୍ଟ ମୁତାବକ ଏହି ତାଲିକାରେ ଭାରତର ୫ଟି ସହର ସାମିଲ ଥିବା ବେଳେ ଶ୍ରୀଲଙ୍କାର ୨ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବା ନେଇ ସ୍ଥିର କରିଛି ଆଇସିସି । ଏଥର ଶ୍ରୀଲଙ୍କା ଓ ଭାରତ ସଂଯୁକ୍ତ ଭାବରେ ଟି-ଟ୍ୱେଣ୍ଟି ବିଶ୍ୱକପ ଆୟୋଜନ କରିବାର ଦାୟିତ୍ୱ ପାଇଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟ ଫାଇନାଲକୁ ନେଇ ଏଯାଏ କୌଣସି ଷ୍ଟାଡିୟମ ସ୍ଥିର କରାଯାଇନାହିଁ ।
ଭାରତରେ ଅହମଦାବାଦ, କୋଲକାତା, ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇର ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକ ଖେଳାଯିବାକୁ ସ୍ଥିର ହୋଇଛି । କିନ୍ତୁ ଏଥର ଦିଲ୍ଲୀ ଓ ମୁମ୍ବାଇରେ ନକ୍ଆଉଟ୍ ମୁକାବିଲା ଆୟୋଜନ ନହୋଇପାରେ ବୋଲି କେତେକ ରିପୋର୍ଟ ପ୍ରକାଶ ପାଇଛି । ଏହାର କାରଣ ହେଉଛି ପାକିସ୍ତାନ । ପାକିସ୍ତାନ ଖେଳାଳି ଭାରତ ନଆସିପାରନ୍ତି ବୋଲି ଆକଳନ କରାଯାଉଛି । ଏଣୁ ସୁପର୍ ୮ ପର୍ଯ୍ୟାୟ ପରେ ହିଁ ସେମିଫାଇନାଲ ଓ ଫାଇନାଲ କେଉଁଠାରେ ଖେଳାଯିବ ତାହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ପାକିସ୍ତାନ ସେମିଫାଇନାଲ ନଖେଳିଲେ ଏହି ମ୍ୟାଚ୍ ଅହମ୍ମଦାବାଦରେ ଆୟୋଜନ ହୋଇପାରେ । ଯଦି ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବ ତେବେ ଏହି ମ୍ୟାଚ୍ କଲମ୍ବୋରେ ଆୟୋଜନ ହୋଇପାରେ । କାରଣ ଶ୍ରୀଲଙ୍କାର କଲମ୍ବୋ ଓ କାଣ୍ଡି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ କରିବାକୁ ସ୍ଥିର କରିଛି ଆଇସିସି ।
ଏହା ବି ପଢ଼ନ୍ତୁ: ଡିଏସପି ହେଲେ ବିଶ୍ୱ ଚାମ୍ପିୟନ; ବଙ୍ଗ ଭୂଷଣ ସମ୍ମାନ ସହ ମିଳିଲା ସୁନା ଚେନ୍
ତେବେ ପାକିସ୍ତାନ ଓ ଶ୍ରୀଲଙ୍କା ଉଭୟ ସେମିଫାନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାରେ ଫେଲ୍ ମାରିଲେ ଏହି ମ୍ୟାଚ୍ ଭାରତରେ ଆୟୋଜନ ହୋଇପାରେ । ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଯୋଗୁଁ ଆଇସିସି ନକ୍ଆଉଟ୍ ମୁକାବିଲାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । ତେବେ ଅନ୍ୟୁନ ଗୋଟିଏ ସେମିଫାଇନାଲ ଅହମଦାବାଦରେ ଆୟୋଜନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଠି ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଆୟୋଜନ ହୋଇଥିଲା ।
ଗତ ଅକ୍ଟୋବର ୧୭ ତାରିଖରେ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ଭାଗ ନେବେ । ଟୁର୍ଣ୍ଣାମେଣ୍ଟର ଫର୍ମାଟ ୨୦୨୪ ଭଳି ହିଁ ରହିବ । ଟିମ୍ଗୁଡ଼ିକୁ ୪ଟି ଗ୍ରୁପ୍ରେ ରଖାଯିବ । ପ୍ରତି ଗ୍ରୁପ୍ରେ ୫ଟି ଲେଖାଏଁ ଟିମ୍ ରହି ପରସ୍ପର ସହ ମ୍ୟାଚ୍ ଖେଳିବେ । ଏହାପରେ ସୁପର୍ ୮ ଟିମ୍ ଚୂଡ଼ାନ୍ତ ହେବ । ଏହାପରେ ସୁପର୍ ୪ ଟିମ୍ ଚୂଡ଼ାନ୍ତ ହେବ ଯେଉଁମାନେ ସେମିଫାଇନାଲ୍ ମ୍ୟାଚ୍ ଖେଳିବେ । ଶେଷରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ । ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଭାବରେ ଖେଳିବ । ଘରୋଇ ପରିବେଶରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ଟିମ୍ ଇଣ୍ଡିଆ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ନିଶ୍ଚୟ । ୨୦୨୪ ଭଳି ପୁଣି ଇତିହାସ ରଚିବ ବୋଲି ଆଶା ବାନ୍ଧିଛନ୍ତି ଫ୍ୟାନ୍ସମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/11/10/t-20-world-cup-venue_soubhagya_thumb-2025-11-10-17-32-48.jpg)