କନକ ବ୍ୟୁରୋ: ଐତିହାସିକ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ଦଳ ଜିମ୍ବାୱେକୁ ପରାସ୍ତ କରି ଏକ ଚମତ୍କାର ବିଜୟ ହାସଲ କରିଛି । ଚେପକର ଗ୍ୟାଲେରୀରେ 'ଇଣ୍ଡିଆ-ଇଣ୍ଡିଆ' ନାରା ଗୁଞ୍ଜରିତ ହେଉଥିବା ବେଳେ ପଡ଼ିଆରେ ନୀଳ ବାହିନୀର ଦବଦବା ଦେଖିବାକୁ ମିଳିଥିଲା। ତେବେ ଏହି ବଡ଼ ବିଜୟ ସତ୍ତ୍ୱେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ମୁହଁରେ ସମ୍ପୂର୍ଣ୍ଣ ଆତ୍ମସନ୍ତୋଷ ଦେଖିବାକୁ ମିଳିନାହିଁ। ବିଶେଷ କରି ଦଳର ବୋଲିଂ ପ୍ରଦର୍ଶନ ଏବଂ ନକ୍‌ଆଉଟ୍ ପୂର୍ବରୁ ରଣନୀତିକୁ ନେଇ ସେ କିଛିଟା ଚିନ୍ତିତ ଥିବା ଜଣାପଡ଼ିଛନ୍ତି ।

Advertisment

ସୁପର-୮ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ପରାଜୟ ପରେ ଭାରତ ପାଇଁ ଏହି ମ୍ୟାଚ୍ କର ବା ମର ସଦୃଶ ଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା । ଟପ୍ ଅର୍ଡରଠାରୁ ଆରମ୍ଭ କରି ସପ୍ତମ ନମ୍ବର ପର୍ଯ୍ୟନ୍ତ ସମସ୍ତ ବ୍ୟାଟର ପଡ଼ିଆର ଚତୁର୍ଦ୍ଦିଗରେ ଚୌକା ଓ ଛକା ବର୍ଷା କରିଥିଲେ । ଫଳସ୍ୱରୂପ, ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୫୬ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା, ଯାହା ଚେନ୍ନାଇ ପଡ଼ିଆରେ ଏକ ବିରଳ ଦୃଶ୍ୟ ଥିଲା।

୨୫୭ ରନର ବିଶାଳ ଲକ୍ଷ୍ୟ ପିଛା କରୁଥିବା ଜିମ୍ବାୱେ ଦଳ କେବେ ବି ମ୍ୟାଚ୍ ଜିତିବା ସ୍ଥିତିରେ ନଥିଲା । କିନ୍ତୁ ଭାରତୀୟ ବୋଲରମାନେ ସେମାନଙ୍କୁ ସହଜରେ ରନ୍ ସଂଗ୍ରହ କରିବାର ସୁଯୋଗ ଦେଇଥିଲେ । ଜିମ୍ବାୱେ ୬ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା । ସବୁଠାରୁ ଚିନ୍ତାର ବିଷୟ ଥିଲା ଷଷ୍ଠ ବୋଲିଂ ବିକଳ୍ପ ଭାବେ ଶିବମ ଦୁବେଙ୍କ ବ୍ୟୟବହୁଳ ଓଭର । ସେ ମାତ୍ର ୨ ଓଭରରେ ୪୬ ରନ୍ ବ୍ୟୟ କରିଥିଲେ ।

ମ୍ୟାଚ୍ ପରେ ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି, "ବିଜୟ ତ ବିଜୟ, କିନ୍ତୁ ଆମକୁ ଆହୁରି ସ୍ମାର୍ଟ ହେବାକୁ ପଡ଼ିବ। ବୋଲିଂ ବିଭାଗରେ ସୁଧାର ଆଣିବା ନିହାତି ଜରୁରୀ।" ଦଳ ପୁରୁଣା ଭୁଲକୁ ସୁଧାରିବା ପାଇଁ ଭିଡିଓ ଆନାଲିଷ୍ଟଙ୍କ ସହାୟତା ନେଇଥିଲେ ମଧ୍ୟ ପଡ଼ିଆରେ କିଛି ତ୍ରୁଟି ପରିଲକ୍ଷିତ ହୋଇଛି।

ଆହୁରି ପଢ଼ନ୍ତୁ... ଭାରତୀୟ ବୋଲିଂକୁ ନେଇ କୁମ୍ବଲେଙ୍କ ଚିନ୍ତା

ଅନ୍ୟପଟେ, ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ପରାଜୟ ପାଇଁ ଦୁଃଖ ପ୍ରକାଶ କରିବା ସହ ସେମିଫାଇନାଲ ଦୌଡ଼ରୁ ବାହାରିଥିବା ସ୍ପଷ୍ଟ କରିଛନ୍ତି। ବଡ଼ ଦଳକୁ ହରାଇବା ପାଇଁ ସେମାନଙ୍କୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଭାରତ ପାଇଁ ଅସଲ ପରୀକ୍ଷା ମାର୍ଚ୍ଚ ୧ ତାରିଖରେ ହେବାକୁ ଯାଉଛି । କୋଲକାତାର ଇଡେନ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ନିଜର ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବ। ଏହା ଏକ 'ଭର୍ଚୁଆଲ କ୍ୱାର୍ଟର ଫାଇନାଲ' ସଦୃଶ, ଯେଉଁଥିରେ ବିଜୟୀ ହେଲେ ହିଁ ଭାରତ ସେମିଫାଇନାଲ ଟିକେଟ୍ ପାଇବ। ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ନଜର ଦଳର ବୋଲିଂ ସନ୍ତୁଳନ ଉପରେ ରହିଛି। ୱେଷ୍ଟଇଣ୍ଡିଜ୍ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ବୋହିନୀ କିଭଳି ରଣନୀତି ଆପଣାଉଛନ୍ତି, ତାହା ଦେଖିବା ବାକି ରହିଲା ।