'ବିଜୁ ବାବୁ ବିଜେଡିର ସମ୍ପତ୍ତି ନଥିଲେ, ସେ ଥିଲେ ଜାତୀୟ ସମ୍ପତ୍ତି' : ଅସମ୍ମାନର ପ୍ରଶ୍ନ ଉଠୁନି- ମନ୍ତ୍ରୀ

ବିଜୁ ବାବୁଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ତାଙ୍କର ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସ ବିଜେଡି କି ସରକାରଙ୍କ ନୁହେଁ ଏହା ଜନସାଧାରଣଙ୍କ ଦାୟିତ୍ଵ

Suresh Pujari Reaction

Suresh Pujari Reaction Photograph: (kanak News)

କନକ ବ୍ୟୁରୋ: ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ନେଇ ବିଜେଡିର ସମାଲୋଚନା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ । ଏଥିରେ କାହାର ସନ୍ଦେହ ନାହିଁ । ପକ୍ଷ ପ୍ରତିପକ୍ଷ କିଛି ନାହିଁ। ବିଜୁ ବାବୁ ବିଜେଡିର ସମ୍ପତ୍ତି ନଥିଲେ, ସେ ଥିଲେ ଜାତୀୟ ସମ୍ପତ୍ତି । ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ତାଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ନାହିଁ । ଜାତୀୟ ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ରେ ପାଳନ ହେଉଥିବା ବେଳେ ବିଜେଡି କିମ୍ବା ଜନତା ଦଳ ଏପ୍ରିଲ ୨୪ ରେ ପଞ୍ଚାୟତିରାଜ ଦିବସ ପାଳନ କରିନି । ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଅଲଗା ଦିନରେ ପାଳନ ହେବ କି ବୋଲି ଓଲଟି ପ୍ରଶ୍ନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଏହାସହ ମନ୍ତ୍ରୀ କହିଛନ୍ତି, ବିଜୁ ବାବୁଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ତାଙ୍କର ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସ ବିଜେଡି କି ସରକାରଙ୍କ ନୁହେଁ ଏହା ଜନସାଧାରଣଙ୍କ ଦାୟିତ୍ଵ । ତେଣୁ ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସ ବି ପାଳନ ହେବ । ମାର୍ଚ୍ଚ ୫ରେ ଛୁଟି ବାତିଲ ନେଇ ପ୍ରତିକ୍ରିୟା ରଖିବା ସହ କହିଛନ୍ତି, ପଞ୍ଚାୟତିରାଜ ଦିବସ ପାଳନ ହେଉଥିବାରୁ ସେ ଦିନ ଛୁଟି ରହୁଥିଲା। ଘଣ୍ଟେ ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ପାଇଁ ପୁରା କାର୍ଯ୍ୟ ଦିବସ କାହିଁକି ବାତିଲ ହେବ ବୋଲି ପ୍ରଶ୍ନ କଲେ ? ସରକାରଙ୍କ କିଛି ନିର୍ଦ୍ଧିଷ୍ଟ କାର୍ଯ୍ଯ ସମୟ ନଥାଏ । ୩୬୫ ଦିନ ୨୪ ଘଣ୍ଟା କାର୍ଯ୍ୟ ସମୟ ବୋଲି ମନ୍ତ୍ରୀ କହିଛନ୍ତି । 

ସେପଟେ ବିଜେଡି ବିଧାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଗତକାଲିର ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ହୀନମନ୍ୟତାର ପରିଚୟ ବୋଲି କହିଛନ୍ତି ରାଜା । ଏଥିସହ ଏହା ଓଡ଼ିଆ ଅସ୍ମିତାର ପରିପନ୍ଥୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡିଆ ଅସ୍ମିତାର ପ୍ରତୀକ ଥିଲେ ବୋଲି କହିବା ସହ, ନୂଆ ସରକାର ଆସିବା ପରେ ସରକାରୀ କ୍ୟାଲେଣ୍ଡର  ଓ ସରକାରୀ  ଡାଏରୀ କରି ମାର୍ଚ୍ଚ ୫କୁ  ପଞ୍ଚାୟତିରାଜ ଦିବସ  ଛୁଟି ଘୋଷଣା କରିଥିଲେ । ହେଲେ କଣ ହେଲା ଯେ,  ଛୁଟି ଦିନ ବାତିଲ କଲେ ବୋଲି ପ୍ରଶ୍ନ କରିଛନ୍ତି ରାଜା । ଅନ୍ୟପଟେ ବିଜୁ ପଟ୍ଟନାୟକ ପଞ୍ଚାୟତ ଗୁଡିକ କ୍ଷମତା ପ୍ରଦାନ କରି ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ । ଓଡିଶାବାସୀ ଏହାର ବିଚାର କରିବେ ବୋଲି ରାଜା କହିଛନ୍ତି । ତେବେ ଓଡ଼ିଶାର ଲୋକମନେ କେବେ ବି ନୂଆ ସରକାରଙ୍କୁ  କ୍ଷମା ଦେବେନି । ବିଜେଡି ଏହାକୁ ନିନ୍ଦା କରୁଛି ବୋଲି କହିବା ସହ ଏହି ପ୍ରସଙ୍ଗ ଆଗାମୀ ଦିନରେ ସେ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ରାଜା ସ୍ୱାଇଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe