କନକ ବ୍ୟୁରୋ: ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ସମ୍ବନ୍ଧୀୟ ଏକ ମାମଲାରେ ଜାମିନ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସୋମବାର ବିବାହ ପୂର୍ବ ସମ୍ପର୍କ ଉପରେ ତୀବ୍ର ମୌଖିକ ପ୍ରତିକ୍ରିୟା ରଖିଛନ୍ତି । ଜଷ୍ଟିସ ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ମହିଳାଙ୍କ ସହିତ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଏବଂ ପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରୁଥିଲେ । ଏହି ମାମଲାର ଶୁଣାଣି କରି ଜଷ୍ଟିସ ନାଗରତ୍ନା କହିଛନ୍ତି, ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ନେଇ ସତର୍କତା ଅବଲମ୍ବନ କରାଯିବା କଥା । ହୁଏତ ଆମେ ପୁରୁଣାକାଳିଆ ହୋଇଥାଇ ପାରୁ, କିନ୍ତୁ ବିବାହ ପୂର୍ବରୁ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ପରସ୍ପର ପାଇଁ ଅପରିଚିତ ଥିବାବେଳେ ସେମାନଙ୍କ ସମ୍ପର୍କର ଆଧାର କ’ଣ ରହିଛି । ବିବାହ ପୂର୍ବରୁ ସେମାନେ କିପରି ଶାରୀରିକ ସମ୍ପର୍କରେ ରହିପାରିବେ ଆମେ ବୁଝିପାରୁନାହୁଁ । ବିବାହ ପୂର୍ବରୁ କେହି କାହାକୁ ବିଶ୍ବାସ କରନ୍ତି ନାହିଁ। ସେଥିପାଇଁ ତୁମକୁ ଯତ୍ନବାନ ହେବା କଥା । ଅଧିକ ପଢନ୍ତୁ :

Advertisment

ହରିୟାଣାରେ ଉଚ୍ଚଜାତିର ହିନ୍ଦୁଙ୍କୁ ସଂଖ୍ୟାଲଘୁ ପ୍ରମାଣପତ୍ର ମିଳିବା ନୂଆ ପ୍ରକାର ଦୁର୍ନୀତି: ସୁପ୍ରିମକୋର୍ଟ

କୋର୍ଟଙ୍କୁ କୁହାଯାଇଥିଲା ଯେ, ୨୦୨୨ ମସିହାରେ ଏକ ମାଟ୍ରିମୋନିଆଲ ସର୍ଭିସ ୱେବସାଇଟ୍‌ ମାଧ୍ୟମରେ ମହିଳା ଅଭିଯୁକ୍ତଙ୍କୁ ଭେଟିଥିଲେ। ଅଭିଯୋଗ ଅନୁଯାୟୀ, ପୁରୁଷ ଜଣକ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଦୁବାଇରେ ଭେଟିଥିଲେ ଏବଂ ଏହି ଆଧାରରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ମହିଳାଙ୍କ ଅଜାଣତରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖାଯିବାର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିଲା ଏବଂ ଏହାର ପ୍ରସାରଣ କରିଦେବା ନେଇ ଧମକ ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ, ମହିଳା ପରେ ଜାଣିଥିଲେ ଯେ, ଅଭିଯୁକ୍ତ ବିବାହିତ ଏବଂ ଜାନୁଆରୀ ୨୦୨୪ରେ ପଞ୍ଜାବରେ ଅନ୍ୟ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ ମଧ୍ୟ କରିଛନ୍ତି। ଜଷ୍ଟିସ ନାଗରତ୍ନା ପଚାରଥିଲେ, ବିବାହ ପୂର୍ବରୁ ସେ କାହିଁକି ଦୁବାଇ ଯିବାକୁ ରାଜି ହୋଇଥିଲେ। ମହିଳାଙ୍କୁ ବିବାହ ପୂର୍ବରୁ ଦୁବାଇ ଯିବା ଉଚିତ୍ ନଥିଲା । ଏପରି ସହମତିପୂର୍ଣ୍ଣ ମାମଲାରେ ବିଚାର କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇଥିଲେ। ବୁଧବାର ମାମଲାର ଆଗକୁ ଶୁଣାଣି ଜାରି ରହିବ ।