କନକବ୍ୟୁରୋ : ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ ।   ସାରା ଦେଶରେ ବୁଲା କୁକୁର ସମସ୍ୟା ସମ୍ପର୍କରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବାରେ ବିଫଳ ହେବା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି  ।   କୋର୍ଟ କହିଛନ୍ତି ଯେ, ଏପରି ଘଟଣା ନିରନ୍ତର ଘଟୁଛି, ଯାହା ବିଦେଶରେ ମଧ୍ୟ ଦେଶର ପ୍ରତିଛବିକୁ ଖରାପ କରୁଛି ।  ତଥାପି , ରାଜ୍ୟଗୁଡ଼ିକ ନିର୍ଦ୍ଦେଶ ପାଳନର ସତ୍ୟପାଠ ଦାଖଲ କରିନାହାଁନ୍ତି । ଏଭଳି କହିବା ପରେ କୋର୍ଟ ନଭେମ୍ବର ୩ରେ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ହାଜର ହେବାକୁ ସମନ ଜାରି କରିଛନ୍ତି ।

Advertisment

ବୁଲା କୁକୁର ସମସ୍ୟା

ଏହି ବୁଲା କୁକୁର ସମସ୍ୟା କେବଳ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ସୀମିତ ଥିଲା। କିନ୍ତୁ ଅଗଷ୍ଟ ୨୨ ତାରିଖରେ ସୁପ୍ରିମକୋର୍ଟ ଏହାକୁ ସମଗ୍ର ଭାରତର ସମସ୍ୟା ବୋଲି କହିଥିଲେ। ସମସ୍ୟାର ସମାଧାନ ପାଇଁ ବୁଲା କୁକୁରଙ୍କୁ ଧରି ବନ୍ଧ୍ୟାକରଣ  କରିବା ପରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଥିଲା । ଏପର୍ଯ୍ୟନ୍ତ କେତେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି, ତା’ର ରିପୋର୍ଟ ଦେବାକୁ କୁହାଯାଇଥିବା ବେଳେ ରାଜ୍ୟ ସରକାର ଏଥିରେ ବିଫଳ ହୋଇଛନ୍ତି  ।

ମୋଦୀଙ୍କ ମୁହଁରେ କୋରାପୁଟ କଫି କଥା : କହିଲେ କଫି ପ୍ରେମରେ ପଡ଼ିଛି ସାରା ବିଶ୍ବ , ଭଲ ଲାଭ ଦେଉଛି କୋରାପୁଟ କଫି

ନଭେମ୍ବର ୩ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ

ସୋମବାର ଦିନ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, କେବଳ ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟ ରାଜ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଦୁଇ ମାସର ସମୟସୀମା ସତ୍ତ୍ୱେ ତିନି ମାସ ପରେ ମଧ୍ୟ ସତ୍ୟପାଠ ଦାଖଲ କରାଯାଇ ନାହିଁ। ଏହି ପ୍ରସଙ୍ଗ ବିଦେଶରେ ଭାରତର ପ୍ରତିଛବିକୁ ଖରାପ କରୁଛି ।  ଏଭଳି କରିଥିବାରୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକର ଆଭିମୁଖ୍ୟ ପ୍ରତି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନଭେମ୍ବର ୩ତାରିଖରେ ହାଜର ହୋଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ, ଅଡିଟୋରିୟମ୍‌ରେ କୋର୍ଟ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ହାଜର ନହେଲେ ଲାଗିବ ଜରିମାନା  

ବାତ୍ୟା ମୋନ୍ଥାର ସ୍ପିଡ୍ ବଢୁଛି : ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି

ଶୁଣାଣି ବେଳେ ଜଷ୍ଟିସ୍ ବିକ୍ରମ ନାଥ ପ୍ରଶ୍ନ କରିଥିଲେ ଯେ, "କ'ଣ ଅଧିକାରୀମାନେ ଖବରକାଗଜ କିମ୍ବା ସୋସିଆଲ ମିଡିଆ ଦେଖି ନଥିଲେ? ନୋଟିସ୍ ମିଳିନଥିଲେ ବି ସେମାନେ ଏଠାରେ ଉପସ୍ଥିତ ରହିବାର ଥିଲା । ସମସ୍ତ ମୁଖ୍ୟ ସଚିବଙ୍କୁ ନଭେମ୍ବର ୩ତାରିଖରେ ଉପସ୍ଥିତ ରହିବାକୁ ପଡିବ, ନଚେତ୍ ଆମେ ଅଡିଟୋରିୟମ୍‌ରେ କୋର୍ଟ କରିବୁ। ଯଦି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନେ ହାଜର ନ ହୁଅନ୍ତି ,  ତେବେ ସେମାନଙ୍କୁ ଜରିମାନା ଲଗାଯିବ କିମ୍ବା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ସୂଚନା ଅନୁଯାୟୀ  ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା ପରେ ସଂଖ୍ୟା ଦେଇଥିଲେ କର୍ତ୍ତୃପକ୍ଷ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୪୭ ହଜାର ୧୨୬ବୁଲା କୁକୁର ଅଛନ୍ତି ବୋଲି ବିଏମ୍‌ସି ପ୍ରଥମ ଥର ପାଇଁ ତଥ୍ୟ ଦେଇଥିଲା  ।

ବିଏମସି ତଥ୍ୟ ମୁତାବକ, ୪୭ ହଜାର ୧୨୬ ବୁଲା କୁକୁର ମଧ୍ୟରେ ୨୩ହଜାର ୪୭ଟି ଅଣ୍ଡିରା କୁକୁର ରହିଥ‌ିବା ବେଳେ ୧୫ହଜାର ୫୫୨ଟି ମାଈ କୁକୁର ଏବଂ ୧୧୨୪ଟି କୁକୁର ଛୁଆ ରହିଛନ୍ତି  ।  ସେମାନଙ୍କ ମଧ୍ୟରୁ ୪ହଜାର ୬୮ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ୩ହଜାର ୩୩୫ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି । ଭୁବନେଶ୍ବରର ସ୍ଥାୟୀ ଜନସଂଖ୍ୟା ପ୍ରାୟ ୧୩ଲକ୍ଷ ରହିଛି । ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟ ୩.୬୨ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ୱାର୍ଡରେ ବୁଲା କୁକୁର ସଂଖ୍ୟା ହାରାହାରି ୭୦୩ ରହିଛି  ।

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜାତୀୟ ହାର ଠାରୁ ବୁଲା କୁକୁର ସଂଖ୍ୟା ଅଧିକ  ରହିଥିଲା   । ଜାତୀୟ ହାର ପ୍ରତି ଏକ ହଜାର ଜନସଂଖ୍ୟାରେ ୧୧ ଥିବା ବେଳେ ଭୁବନେଶ୍ୱରେ ପ୍ରତି ହଜାରେ ଜନସଂଖ୍ୟାରେ ହାରାହାରି ୩୬ଟି ବୁଲାକୁକୁର ରହିଥିଲେ  । ରାଜ୍ୟରେ ପ୍ରତି ହଜାରେ ଜନ ସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା ୩୯ ରହିଛି ।  

ଗତ ସେପ୍ଟେମ୍ବରରେ ୬୭ଟି ୱାର୍ଡରେ ଦୁଇଟି ପର୍ଯ୍ୟାୟରେ କୁକୁର ଗଣତି କରିଥିଲା ବିଏମ୍‌ସି ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ବୁଲାକୁକୁର ଗଣତି କରିଥିଲେ  । 

ଏଥିପାଇଁ ଜୋନ୍, ୱାର୍ଡ ଓ ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ୪୧୦ଜଣିଆ ଟିମ ଗଠନ କରାଯାଇଥିଲା  । ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ଇନ୍ସପେକ୍ଟର, କମ୍ୟୁନିଟ୍ ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା  । ଆଉ ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି  ।

ବଡ଼କଥା ହେଉଛି କୁକୁର କାମୁଡ଼ା କମାଇବା ସହ ରାବିସ, ଲେପ୍ଟୋସ୍ପାଇରୋସିସ୍ ଆଦି ସଂକ୍ରମିତ ରୋଗ, ସଡ଼କ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ କୁକୁର ଗଣନା ହୋଇଥିଲା  । ଗଣତି ଦ୍ବାରା ବିଏମସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଡାଟାବେସ୍ ତିଆରି କରିବା ପାଇଁ ବିଏମସିର ଗୁରୁତ୍ବ ଦେଇଥିଲା   । ଏହାଦ୍ବାରା କୁକୁର ବନ୍ଧ୍ୟାକରଣ ଅପରେସନକୁ ସଫଳ କରିବା ସହ ଏଥିରୁ କେଉଁମାନେ ଆଣ୍ଟିରାବିସ୍ ଟିକା ନେଇଛନ୍ତି ଓ କେଉଁମାନେ ନେଇନାହାନ୍ତି ତାହା ଜାଣିବାକୁ ବିଏମସି ଏହି ଗଣତି କରିଛି  ।