Dog Photograph: (Kanak News)
କନକ ବ୍ୟୁରୋ: ବୁଲା କୁକୁର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ରାଜ୍ୟ ସରକାରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି ଯେ, କୁକୁର କାମୁଡ଼ା ପ୍ରତ୍ୟେକ ଘଟଣା ଏବଂ ଏଥିଯୋଗୁଁ ହେଉଥିବା ପ୍ରତ୍ୟେକ ମୃତ୍ୟୁ ମାମଲାରେ ସମ୍ପୃକ୍ତ ରାଜ୍ୟ ଉପରେ ମୋଟା ଅଙ୍କର କ୍ଷତିପୂରଣ ଲଗାଯାଇପାରେ । ଏହା ସହିତ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ମାମଲାରେ କୁକୁର ଆକ୍ରମଣ ଯୋଗୁଁ କୌଣସି ବ୍ୟକ୍ତିଙ୍କ ଉପରେ 'ଜୀବନବ୍ୟାପୀ ପ୍ରଭାବ' ପଡୁଛି, ସେଭଳି କ୍ଷେତ୍ରରେ ବୁଲା କୁକୁରଙ୍କୁ ଖାଦ୍ୟ ଦେଉଥିବା ବ୍ୟକ୍ତି ମାନଙ୍କର ଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯିବ।
ସୁପ୍ରିମକୋର୍ଟ କଠୋର ଶବ୍ଦରେ କହିଛନ୍ତି, 'ପ୍ରତ୍ୟେକ କୁକୁର କାମୁଡ଼ା ଏବଂ ମୃତ୍ୟୁ ପାଇଁ ଆମେ ରାଜ୍ୟଗୁଡ଼ିକ ଉପରେ ଭାରୀ କ୍ଷତିପୂରଣ ଧାର୍ଯ୍ୟ କରିବୁ, କାରଣ ସେମାନେ ଆବଶ୍ୟକ ବ୍ୟବସ୍ଥା କରିନାହାଁନ୍ତି । ଏହାସହ ଡଗ୍ ଫିଡର୍ସଙ୍କର ମଧ୍ୟ ଦାୟିତ୍ୱ ରହିବ । ଯଦି ଆପଣ ସେମାନଙ୍କୁ ଖାଦ୍ୟ ଖୁଆଉଛନ୍ତି, ତେବେ ସେମାନଙ୍କୁ ନିଜ ଘରେ ରଖନ୍ତୁ । ସେମାନଙ୍କୁ ବାହାରେ ବୁଲି ଲୋକଙ୍କୁ କାମୁଡ଼ିବା ଏବଂ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଅନୁମତି କାହିଁକି ଦିଆଯିବ? କୁକୁର କାମୁଡ଼ାର ପ୍ରଭାବ ସାରା ଜୀବନ ରହିଥାଏ।'
ସମସ୍ତ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ସେମାନେ 'ଆନିମଲ୍ ବାର୍ଥ କଣ୍ଟ୍ରୋଲ' ନିୟମକୁ ଲାଗୁ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପୀଠ କହିଛନ୍ତି ଯେ ଏହି ସମସ୍ୟା ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଛି ଏବଂ କେନ୍ଦ୍ର ତଥା ରାଜ୍ୟଗୁଡ଼ିକର ବିଫଳତା ଯୋଗୁଁ ଏହା ଅନେକ ଗୁଣ ବଢ଼ିଯାଇଛି । ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ ପ୍ରତ୍ୟେକ ପୁରୁଷ, ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ପାଇଁ, ଯାହାର ଜୀବନ କୁକୁର କାମୁଡ଼ା ଯୋଗୁଁ ଯାଇଛି, ଦାୟୀ ସରକାରଙ୍କ ଉପରେ ଭାରୀ କ୍ଷତିପୂରଣ ଲଗାଯିବ ।
ଆହୁରି ପଢ଼ନ୍ତୁ... ଅନଲାଇନରେ ହେବ +୨ ଖାତା ଦେଖା
ଏହା ପୂର୍ବରୁ ଜାନୁଆରୀ ୮ ତାରିଖ ଶୁଣାଣିରେ ମଧ୍ୟ ସୁପ୍ରିମକୋର୍ଟ ABC ନିୟମର ଦୁର୍ବଳ କାର୍ଯ୍ୟକାରିତା ଉପରେ ଚିନ୍ତା ପ୍ରକଟ କରିଥିଲେ ଏବଂ କୁକୁର ପ୍ରେମୀମାନଙ୍କୁ 'ବାସ୍ତବତାରୁ ଦୂରରେ' ଥିବା ଦର୍ଶାଇଥିଲେ । ଗତ ସପ୍ତାହରେ କୋର୍ଟ ଏହା ମଧ୍ୟ କହିଥିଲେ ଯେ, ମହିଳା ଡଗ୍ ଫିଡର୍ସଙ୍କୁ ହଇରାଣ ହରକତ କରିବା ସହ ଜଡ଼ିତ ଅଭିଯୋଗ ଆଇନ ଶୃଙ୍ଖଳା ପରିସ୍ଥିତିର ବିଷୟ ଏବଂ ପୀଡ଼ିତା ଏଥିପାଇଁ FIR ଦାୟର କରିପାରିବେ । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କରାଯାଇଥିବା କଥିତ ଅପମାନଜନକ ମନ୍ତବ୍ୟର ତଦନ୍ତ କରିବାକୁ ମନା କରିଦେଇଥିଲେ।
ତିନିଜଣିଆ ବିଚାରପତିଙ୍କ ସ୍ୱତନ୍ତ୍ର ପୀଠ- ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆ କହିଛନ୍ତି ଯେ, ବୁଲା କୁକୁରମାନେ ପିଲା ଏବଂ ବୃଦ୍ଧମାନଙ୍କ ଉପରେ ଆକ୍ରମଣ କରୁଥିବାର ଅନେକ ଭିଡିଓ ରହିଛି । ସୁପ୍ରିମକୋର୍ଟ ଡଗ୍ ଲଭର୍ସ ଏବଂ ଡଗ୍ ଫିଡର୍ସଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି, 'ଆପଣଙ୍କ ଭାବନା କ’ଣ କେବଳ କୁକୁରମାନଙ୍କ ପାଇଁ, ମଣିଷଙ୍କ ପାଇଁ ନୁହେଁ?' ଶୀର୍ଷ ଅଦାଲତ ବିଭିନ୍ନ ଆବେଦନ ଉପରେ ଶୁଣାଣି କରୁଛନ୍ତି, ଯେଉଁଥିରେ କୁକୁର ପ୍ରେମୀଙ୍କ ଦ୍ୱାରା ପୂର୍ବ ନିର୍ଦ୍ଦେଶରେ ସଂଶୋଧନ ଏବଂ କଡ଼ା ଅନୁପାଳନ ପାଇଁ ଦାବି କରାଯାଇଛି।
Follow Us