କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିବା ପରେ ନିଦରୁ ଉଠିଛି ବିଏମସି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା ପରେ ସଂଖ୍ୟା ଦେଇଛନ୍ତି କର୍ତ୍ତୃପକ୍ଷ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୪୭ ହଜାର ୧୨୬ବୁଲା କୁକୁର ଅଛନ୍ତି ବୋଲି ବିଏମ୍‌ସି ପ୍ରଥମ ଥର ପାଇଁ ତଥ୍ୟ ଦେଇଛି ।

Advertisment

ବିଏମସି ତଥ୍ୟ ମୁତାବକ, ୪୭ ହଜାର ୧୨୬ ବୁଲା କୁକୁର ମଧ୍ୟରେ ୨୩ହଜାର ୪୭ଟି ଅଣ୍ଡିରା କୁକୁର ରହିଥ‌ିବା ବେଳେ ୧୫ହଜାର ୫୫୨ଟି ମାଈ କୁକୁର ଏବଂ ୧୧୨୪ଟି କୁକୁର ଛୁଆ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ହଜାର ୬୮ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ୩ହଜାର ୩୩୫ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି । ଭୁବନେଶ୍ବରର ସ୍ଥାୟୀ ଜନସଂଖ୍ୟା ପ୍ରାୟ ୧୩ଲକ୍ଷ ରହିଛି । ଜନସଂଖ୍ୟା ତୁଳନାରେ ବୁଲା କୁକୁରଙ୍କ ସଂଖ୍ୟ ୩.୬୨ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ୱାର୍ଡରେ ବୁଲା କୁକୁର ସଂଖ୍ୟା ହାରାହାରି ୭୦୩ ରହିଛି ।

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜାତୀୟ ହାର ଠାରୁ ବୁଲା କୁକୁର ସଂଖ୍ୟା ଅଧିକ  ରହିଛି । ଜାତୀୟ ହାର ପ୍ରତି ଏକ ହଜାର ଜନସଂଖ୍ୟାରେ ୧୧ ଥିବା ବେଳେ ଭୁବନେଶ୍ୱରେ ପ୍ରତି ହଜାରେ ଜନସଂଖ୍ୟାରେ ହାରାହାରି ୩୬ଟି ବୁଲାକୁକୁର ରହିଛନ୍ତି। ରାଜ୍ୟରେ ପ୍ରତି ହଜାରେ ଜନ ସଂଖ୍ୟାରେ ବୁଲା କୁକୁରଙ୍କ ହାରାହାରି ସଂଖ୍ୟା ୩୯ ରହିଛି । ଗତ ସେପ୍ଟେମ୍ବରରେ ୬୭ଟି ୱାର୍ଡରେ ଦୁଇଟି ପର୍ଯ୍ୟାୟରେ କୁକୁର ଗଣତି କରିଥିଲା ବିଏମ୍‌ସି ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ବୁଲାକୁକୁର ଗଣତି କରାଯାଇଥିଲା । ଏଥିପାଇଁ ଜୋନ୍, ୱାର୍ଡ ଓ ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ୪୧୦ଜଣିଆ ଟିମ ଗଠନ କରାଯାଇଥିଲା । ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ଇନ୍ସପେକ୍ଟର, କମ୍ୟୁନିଟ୍ ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା । ଆଉ ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି ।

ବଡ଼କଥା ହେଉଛି କୁକୁର କାମୁଡ଼ା କମାଇବା ସହ ରାବିସ, ଲେପ୍ଟୋସ୍ପାଇରୋସିସ୍ ଆଦି ସଂକ୍ରମିତ ରୋଗ, ସଡ଼କ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ କୁକୁର ଗଣନା ହୋଇଥିଲା । ଗଣତି ଦ୍ବାରା ବିଏମସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଡାଟାବେସ୍ ତିଆରି କରିବା ପାଇଁ ବିଏମସିର ଗୁରୁତ୍ବ ଦେଇଛି । ଏହାଦ୍ବାରା କୁକୁର ବନ୍ଧ୍ୟାକରଣ ଅପରେସନକୁ ସଫଳ କରିବା ସହ ଏଥିରୁ କେଉଁମାନେ ଆଣ୍ଟିରାବିସ୍ ଟିକା ନେଇଛନ୍ତି ଓ କେଉଁମାନେ ନେଇନାହାନ୍ତି ତାହା ଜାଣିବାକୁ ବିଏମସି ଏହି ଗଣତି କରିଛି ।