କନକ ବ୍ୟୁରୋ: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପୋତାର ପଞ୍ଚାୟତରେ ବାତ୍ୟା ମୋନ୍ଥାର ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିବା ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଯୋଗାଣ ସହାୟକ ସୁରେନ୍ଦ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ଆଣିବା ସହିତ ସେମାନଙ୍କ ରହଣୀ ଓ ଖାଦ୍ୟପେୟ ବ୍ୟବସ୍ଥା ବୁଝୁଥିଲେ । ସୁରେନ୍ଦ୍ର ନିଜ ଡ୍ୟୁଟି ସାରି ଖାଇବା ପରେ ଶୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ସୁରେନ୍ଦ୍ର ଗମାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ବାତ୍ୟା ପବନ ନେଇ ଆସୁଥିବା ବେଳେ ଓଡିଶାକୁ ପବନର ଭୟ ନୁହେଁ ବରଂ ବର୍ଷାର ଭୟ ରହିଛି । କାରଣ ବର୍ଷା ହେଲେ ଭୂସ୍ଖଳନର ଆଶଙ୍କା ରହିଛି । ଗଜପତି ଭୂସ୍କଳନର ରାଡାର ଭିତରେ ଥିବାରୁ ବାତ୍ୟା ପ୍ରଭାବରେ ବର୍ଷା ଭୂସ୍ଖଳନର ଆଶଙ୍କା ଏବଂ ଆତଙ୍କକୁ ବଢାଇ ଦେଇଛି । ତେବେ ଗଜପତି ଜିଲ୍ଲାକୁ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମୋଟ ୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅସୁରକ୍ଷିତ କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୧୬୬ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୯୧ ଜଣ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି ।
ଆହୁରି ପଢ଼ନ୍ତୁ... ଲୋକମାନଙ୍କ ପାଇଁ ସଜାଗ ପ୍ରଶାସନ ; ସୁରକ୍ଷିତ ସ୍ଥାନକୁ କରାଯାଉଛି ସ୍ଥାନାନ୍ତର
୭ ବର୍ଷ ତଳେ ବାତ୍ୟା ତିତଲି ଏହି ଅକ୍ଟୋବର ମାସରେ ଦକ୍ଷିଣ ଓଡିଶାରେ ପ୍ରଭାବ ପକାଇଥିବା ବେଳେ ସବୁଠାରୁ ଅଧିକ ଗଜପତିରେ ପ୍ରଳୟ ରଚିଥିଲା । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ଲଗାଣ ବର୍ଷା କାରଣରୁ ପାହାଡରୁ ପାଣି ତଳକୁ ମାଡି ଆସିବା ଫଳରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଯେଉଁ ଭୂସ୍ଖଳନରେ ପ୍ରାୟ ୧୨ ଜଣ ପ୍ରାଣ ହରାଇଥିବା ସୂଚନା ଥିଲା । ବର୍ଷା-ବାତ୍ୟାରୁ ବର୍ତ୍ତିବାକୁ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ପାହାଡରୁ ମାଟି ଅତଡା ସହ ପାଣି ମାଡି ଆସିବାରୁ ମୃତ୍ୟୁର ଫାସରେ ଫସିଥିଲେ ସମସ୍ତେ । ପାହାଡି ଇଲାକାରେ ରହିଥିବା ଘରେ ପାଣି ପଶିଯାଇଥିଲା, ଘର ଭାଙ୍ଗି ଯାଇଥିଲା ଏବଂ ମାଟି ଅତଡା ତଳେ ମଣିଷ ପୋତି ହୋଇ ମୃତ୍ୟୁ ମୁଖରେ ପଡିଥିଲେ । ସେ କାଳରାତି, ସେ କାଳ ସମୟକୁ ଗଜପତିବାସୀ କେବେ ଭୁଲି ପାରିବେନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/28/supply-assistant-2025-10-28-13-25-18.jpg)