କନକ ବ୍ୟୁରୋ :ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ବାତ୍ୟା ଭୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି  । କନ୍ଧମାଳରେ ୧୧୦୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୋଟ୍‌ ୪୧ଟି ସ୍ଥାୟୀ ଓ ଅସ୍ଥାୟୀ କେନ୍ଦ୍ରକୁ ସ୍ଥାନାନ୍ତର , ୫୦ ଗର୍ଭବତୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର । ଏଥିପାଇଁ ୧୨ଟି ଅଗ୍ନିଶମ , ୩ଟି ଓଡ୍ରାଫ୍‌ ଟିମ୍‌କୁ ମୁତୟନ କରାଯାଛି । 

Advertisment

ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ମୋଟ ୨୮୯ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୨୧୭ ଗର୍ଭବତୀ ମହିଳାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନା ଓ ମାଁ ଗୃହକୁ ସ୍ଥାନାନ୍ତରିତ କରାଯାଇଛି । ୯ଟି ଅଗ୍ନିଶମ, ୩ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ ବିଭିନ୍ନ ଅଞ୍ଚଳରେ ମୁତୟନ ଅଛନ୍ତି ।

ଅଧିକ ପଢ଼ନ୍ତୁ---ମୋନ୍ଥାର ପ୍ରଭାବ: ଜୁଆର ମାଡ଼ରେ ଦବିଗଲା ପଥରବନ୍ଧ, ଆତଙ୍କିତ ସ୍ଥାନୀୟ ଲୋକେ

ସେହିପରି ବାତ୍ୟା ମୋନ୍ଥାର ପ୍ରଭାବରେ ତତ୍ପର ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବାତ୍ୟା ସମୟରେ ଅଧିକ ସମ୍ବେଦନଶୀଳ ଥିବା ଗର୍ଭବତୀ ଓ ବୃଦ୍ଧ ଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୦୩ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ମା’ ଗୃହ ଓ ୧୩୮ ଜଣ ଗର୍ଭବତୀଙ୍କୁ ସ୍ଥାନୀୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ । ସେଠାରେ ମଧ୍ୟ ୧୦ଟି ଅଗ୍ନିଶମ ଟିମ୍‌ ଓ ୧ଟି ଓଡ୍ରାଫ ଟିମ୍‌ ସଜାଗ ଅଛନ୍ତି । 

ଗଜପତି ଜିଲ୍ଲା ପ୍ରଶାସନ ମଧ୍ୟ ୧୭୧ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ ସହ ଡାକ୍ତରଖାନାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି। ଗଜପତି ଜିଲ୍ଲାରେ ମୋଟ ୪୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ବେଳେ ୧୨ଟି ଅଗ୍ନିଶମ, ୩ଟି ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ୍ ଟିମ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି । ଜିଲ୍ଲାରେ ୧୫ଟି ଅଗ୍ନିଶମ ବିଭାଗର ଟିମ୍ ପ୍ରସ୍ତୁତ ଥିବା ବେଳେ ୩ଟି ଓଡ୍ରାଫ ଟିମ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି । ୧୩୯ଟି ଭୁସ୍ଖଳନ ଜାଗା ଚିହ୍ନଟ କରାଯାଇଥିବା ବେଳେ ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।