କନକ ବ୍ୟୁରୋ : ରାଜ୍ୟସଭା ସାଂସଦ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ହୋଇପାରନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ । ଯଦି ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ତେବେ ସେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ । ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଏନ୍‌ସିପି ମହାୟୁତି ମେଣ୍ଟ ଆଗରେ ପ୍ରସ୍ତାବ ରଖିଛି। ଶନିବାର ଅପରାହ୍ଣରେ ଏନ୍‌ସିପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଦଳର ପାଖାପାଖି ୪୦ ଜଣ ବିଧାୟକ ସୁନେତ୍ରାଙ୍କୁ ବିଧାୟକ ଦଳ ନେତା ଭାବେ ବାଛି ପାରନ୍ତି । ବିଧାୟକ ଦଳର ନେତା ହେବା ପରେ ସୁନେତ୍ରା ଅପରାହ୍ଣ ୫ଟାରେ ଲୋକଭବନ ଯାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛିି । ବୁଧବାର ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କର ପରଲୋକ ଘଟିଥିଲା । ସୁନେତ୍ରା ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ସେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ନାହାନ୍ତି । ଉପମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ତାଙ୍କୁ ଛଅ ମାସ ଭିତରେ ବିଧାନସଭା ଉପନିର୍ବାଚନ ଜିତିବାକୁ ପଡ଼ିବ କିମ୍ବା ବିଧାନ ପରିଷଦ ସଦସ୍ୟ ହେବାକୁ ପଡ଼ିବ । ଅଜିତ ପାୱାରଙ୍କ ପରଲୋକ ପରେ ବାରାମତି ବିଧାନସଭା ଆସନ ଖାଲି ପଡ଼ିଥିବାବେଳେ ୬ ମାସ ଭିତରେ ଏଠାରେ ଉପନିର୍ବାଚନ ଅନୁ‌ଷ୍ଠିତ ହେବ । ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ ଅଜିତ ପାୱାରଙ୍କ ନିକଟରେ ଥିବା ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

Advertisment

ଫେବୃଆରି ୧୨ ସୁଦ୍ଧା ଏନ୍‌ସିପି ମିଶ୍ରଣ: ଶରଦ

ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି । ଏନ୍‌ସିପି (ଏସ୍‌ପି) ନେତା ଶରଦ ପାୱାର ଶନିବାର କହିଥିଲେ ଯେ, ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଆଲୋଚନା ଚାଲିଛି । ଅଜିତ ଦୁଇ ଦଳର ମିଶ୍ରଣ ପାଇଁ ସକ୍ରିୟ ଭାବେ କାମ କରୁଥିଲେ । ଏପରିକି ଫେବୃଆରି ୧୨ରେ ଦୁଇ ଦଳର ମିଶ୍ରଣ ହେବା ନେଇ ଅଜିତ ପ୍ରସ୍ତାବ ଦେଇଥିବା ଶରଦ ପାୱାର ସୂଚନା ଦେଇଛନ୍ତି । ଏହି ପ୍ରସଙ୍ଗରେ ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର ଶନିବାର ଶରଦ ପାୱାରଙ୍କୁ ତାଙ୍କ ବାରାମତି ବାସଭବନରେ ଭେଟିଛନ୍ତି । ତେବେ ସୁନେତ୍ରା ଦଳର ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଥିବା ତଥା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କଥା ସେ ଜାଣିନାହାନ୍ତି ବୋଲି ଶରଦ ପାୱାର କହିଛନ୍ତି । ସେ ନେଇ କୌଣସି ଆଲୋଚନାର ସେ ଅଂଶଗ୍ରହଣ କରିନଥିବା କହିଛନ୍ତି । ଅନ୍ୟପକ୍ଷରେ ପାର୍ଥ ପାୱାର ଶରଦଙ୍କୁ ତାଙ୍କ ଗୋବିନ୍ଦବାଗ୍‌ ବାସଭବନରେ ଭେଟିଥିଲେ । ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଶରଦଙ୍କ ଝିଅ ସୁପ୍ରିୟା ସୁଲେ ଏହି ବୈଠକ ସମୟରେ ଉପସ୍ଥିତ ଥିଲେ ।

ରାଜନୀତିରେ ସୁନେତ୍ରା

ମହାରାଷ୍ଟ୍ର ରାଜନୀତିରେ ସୁନେତ୍ରା ପାୱାର ଏବେ ସବୁଠୁ ଚର୍ଚ୍ଚିତ ଚେହେରା । ମହାରାଷ୍ଟ୍ରରେ ସର୍ବାଧିକ ସମୟ ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାୱାରଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି । ୬୨ ବର୍ଷୀୟା ସୁନେତ୍ରା ଜୁନ୍‌ ୨୦୨୪ରେ ରାଜ୍ୟସଭା ସାଂସଦ ଭାବେ ପ୍ରଥମ ଥର ସଂସଦ ଯାଇଥିଲେ । ସେହିବର୍ଷ ଲୋକସଭା ନିର୍ବାଚନ ଲଢ଼ି ସେ ପରାଜିତ ହୋଇଥିଲେ । ସୁନେତ୍ରାଙ୍କ ଶପଥ ଗ୍ରହଣ ତଥା ଏନସିପି ମିଶ୍ରଣକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଶିବସେନା (ୟୁବିଟି) ନେତା ଅମ୍ବାଦାସ ଦାନଭେ ଶନିବାର କହିଛନ୍ତି ଯେ, ଏହା ପାୱାର ପରିବାର ଏବଂ ଏନ୍‌ସିପିର ଆଭ୍ୟନ୍ତରୀଣ ବ୍ୟାପାର। ରାଜନୀତିରେ କିଛି ବି ହୋଇପାରେ ।