କନକ ବ୍ୟୁରୋ : ଦୁର୍ଗମ ଅଞ୍ଚଳର ସାଧାରଣ ଲୋକଙ୍କ ମେରୁଦଣ୍ଡ ସଦୃଶ୍ୟ ସାଜିଥିବା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଅମଳରେ ୧୯୮୧ ମସିହାରେ ଏହା ଆରମ୍ଭ ହୋଇଥିଲା । ସେତେବେଳେ ଡ୍ୟାମ ରେ ପାଣି ପ୍ରଚୁର ଥିଲା ଚାଷୀଙ୍କ ଆବଶ୍ୟକ ସମୟରେ ତାକୁ ଛଡ଼ା ଯାଉଥିଲା । ଯେଉଁ ଜମିରେ ଦିନେ ସୁନାର ଫସଲ ଫଳୁଥିଲା, ଖରା, ବର୍ଷା, ଶୀତରେ ସବୁଜିମାରେ ଭରିଯାଉଥିଲା। ସେହି ଜମି ଆଜି ପଡିଆ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଗୌଡ଼ବାରିକଣ୍ଟା ଗାଁରେ ୧୯୮୧ରୁ ଆରମ୍ଭ ହୋଇଥିଲା ଡ୍ୟାମ। ଦୁର୍ଗମ ଅଞ୍ଚଳବାସୀଙ୍କ ମେରୁଦଣ୍ଡ ସାଜିଥିଲା। ଏବେ ଏହା ଅଚଳ। ଆଉ ଚାଷ ଜମିକୁ ପାଣି ମାଡୁନାହିଁ। କେନାଲଟି ମଝିରେ ମଝିରେ ଭାଙ୍ଗିଯିବା ସହ ପଙ୍କ, କାଦୁଅ, ଗଛଲତାରେ ଭରି ଯାଇଛି। ମୁଖ୍ୟ ଗେଟ କାମ କରୁନି। ପ୍ରତିବର୍ଷ କିଛି ନା କିଛି ମରାମତି କାମ ହେଉଛି, ହେଲେ ଚାଷ ଜମିକୁ ଟୋପେ ପାଣି ମାଡୁନି। ଅତ୍ୟନ୍ତ ନିମ୍ନମାନର କାମ କରି ଠିକାଦାର ଟଙ୍କା ହଡ଼ପ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ : ଚାଷ କରିଥିଲେ ଆଦିବାସୀ ; ପାଣି ଛାଡ଼ିଦେଲେ ଡ୍ୟାମ କର୍ତ୍ତୃପକ୍ଷ
ଅନ୍ୟପଟେ ଚାଷ ଜମିରେ ପାଣି ମାଡ଼ୁ କି ନ ମାଡ଼ୁ ଜଳକର ଦେବାକୁ ପଡ଼ୁଛି । ବିଭାଗୀୟ ଅଧିକାରୀ କେବଳ କାଗଜକଲମରେ କାମ କରୁଛନ୍ତି, ଅଭିଯୋଗ କଲେ ଶୁଣୁନାହାନ୍ତି। ଚାଷ କରିବା ପାଇଁ ସରକାର ଚାଷୀଙ୍କୁ ପ୍ରତ୍ସାହନ ଯୋଗାଇ ଦେଉଥିବା ବେଳେ ଏଠାକାର ଚାଷୀଙ୍କ ପାଇଁ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ପରି ମନେହେଉଛି। ଏନେଇ ଅଭିଯୋଗ ହୋଇଛି, ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି କୋରାପୁଟ ଡିଭିଜନ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ। କେବେ ସମାଧାନ ହେବ, ନା କାଗଜ କଲମରେ ପ୍ରତିଶ୍ରୁତି ସୀମିତ ରହିଯିବ ତାକୁ ଅପେକ୍ଷା।
Follow Us