Baba Bali Kapileswar Peeth Photograph: (Kanak News)
କନକ ବ୍ୟୁରୋ : ଆଗକୁ ଆସୁଛି ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା । ଏହାକୁ ନେଇ ଶୈବ ପୀଠଗୁଡ଼ିକରେ ଚାଲିଛି ପ୍ରସ୍ତୁତି । ପୁରୀ ଜିଲ୍ଲା ଗୋପ ବ୍ଲକରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବାବା ବାଲି କପିଳେଶ୍ୱରଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରାକୁ ନେଇ ଦେଖାଯାଉଛି ଭକ୍ତିମୟ ପରିବେଶ ।
ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର ପୁରୀ ଜିଲ୍ଲା ଗୋପ ବ୍ଲକ ସ୍ଥିତ ଏହି ପ୍ରସିଦ୍ଧ ଶୈବ ପୀଠ ବାବା ବାଲି କପିଳେଶ୍ୱର । ଶତାବ୍ଦୀ ଧରି ଭକ୍ତ ମାନଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ହୋଇଆସିଛି ଏହି ପବିତ୍ର ଶୈବ ପୀଠ । ଏବେ ଜାଗର ପାଇଁ ପୀଠ ଚଳଚଞ୍ଚଳ, ଜୋରଦାର ପ୍ରସ୍ତୁତି ଚାଲିଛି । ଜାଗର ଦିନ ବାବାଙ୍କ ପୀଠରେ ବିଶେଷ ନୀତିକାନ୍ତି ପାଳନ କରାଯିବ । ପ୍ରଭାତରୁ ମହାସ୍ନାନ, ଅଭିଷେକ, ବେଲପତ୍ର ଓ ଧତୁରାରେ ପୂଜା, ରାତି ସାରା ହରିହର ସଂକୀର୍ତ୍ତନ ଓ ମହାଦୀପ ପ୍ରଜ୍ଜ୍ୱଳନ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟେ । ଲକ୍ଷାଧିକ ଭକ୍ତ ଦୂରଦୂରାନ୍ତରୁ ଆସି ବାବାଙ୍କ ଦର୍ଶନ କରିଥାନ୍ତି ।
ଅଧିକ ପଢ଼ନ୍ତୁ : ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ! ଅଙ୍ଗନବାଡ଼ି ପାଇଁ ନାହିଁ ଛାତ, ୯ ବର୍ଷ ହେଲା ପରଦୁଆରେ ପିଲା
ପୌରାଣିକ କଥାନୁସାରେ, ବାବା ବାଲି କପିଳେଶ୍ୱର ନିଜେ ଏହି ସ୍ଥାନରେ ପ୍ରକଟ ହୋଇଥିଲେ । ବାବା ବାଲି କପିଳେଶ୍ୱରଙ୍କ ମହିମା ଅପାର । କୌଣସି ବିପଦରେ ପଡ଼ି ବାବାଙ୍କୁ ସତ୍ୟ ମନରେ ଡାକିଲେ ବାବା ରକ୍ଷା କରନ୍ତି । ଯଦି କାହାର ହାଡ଼ ଭାଙ୍ଗିଯାଏ, ସେହି ବ୍ୟକ୍ତି ବାବାଙ୍କ ନାମରେ ସାତ ଦିନ ନିୟମ ମାନି ଚଳିଲେ, ହାଡ଼ ଯୋଡ଼ି ହୋଇଯାଏ ବୋଲି ବିଶ୍ୱାସ ରହିଛି ।
ଜାଗର ଯାତ୍ରାକୁ ନେଇ ପୀଠ ପରିସରକୁ ପରିଷ୍କାର କରିବା ସହ ପୀଠକୁ ଆଲୋକମାଳାରେ ସଜାଯାଉଛି । ପ୍ରଶାସନ ଓ ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କ ସୁବିଧା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।
Follow Us