କନକ ବ୍ୟୁରୋ : ଉପାନ୍ତରେ କେବେ ସୁଧୁରିବ ଶିକ୍ଷାର ସ୍ଥିତି ? ପୂର୍ବରୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଚିକିମା ଭଡ଼ା ଘରେ ଚାଲିଥିଲା ଅଙ୍ଗନବାଡ଼ି କେନ୍ଦ୍ର । ବର୍ତ୍ତମାନ ବୈପାରିଗୁଡ଼ାର ମୁଣ୍ଡାଗୁଡା ଅଙ୍ଗନବାଡ଼ି କେନ୍ଦ୍ରର ବିକଳ ଚିତ୍ର । ପରଦୁଆରେ ଚାଳ ଛପରରେ କୁନି ପିଲା ଗଢୁଛନ୍ତି ନିଜ ଭବିଷ୍ୟତ ।

Advertisment

ଦୁଇ ପଟେ ଘର ମଝି ଦୁଆରେ ଚାଳ ଛପର । ଏହାରି ତଳେ ସପଟିଏ ପକେଇ ପାଠ ପଢ଼ୁଛନ୍ତି କୁନିକୁନି ପିଲା । କୌଣସି ଟ୍ୟୁସନ୍‌ ନୁହେଁ, ଏମିତି ଚାଲିଛି ଆମ ବୈପାରିଗୁଡା ବ୍ଲକ ମାଠପଡ଼ା ପଞ୍ଚାୟତର ମୁଣ୍ଡାଗୁଡା ଅଙ୍ଗନବାଡ଼ି କେନ୍ଦ୍ର । ନିଜସ୍ୱ ଘରଟି ବିପଦସଙ୍କୁଳ ହୋଇପଡ଼ିବାରୁ ପିଲାଙ୍କୁ ଛାଡ଼ିବାକୁ ଭୟ କଲେ ଅଭିଭାବକ । ତେଣୁ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ନିଜ ଘର ବାରଣ୍ଡାରେ ଜାଗା ଖଣ୍ଡିଏ ଦେଇଛନ୍ତି । ଏଇ ଚାଳ ଛପର ଘରେ ୯ ବର୍ଷ ହେଲାଣି ଚାଲିଛି କେନ୍ଦ୍ର । ପାଠପଢ଼ା ହେଉ କି ଖେଳକୁଦ ସବୁ ଏହି ସ୍ଥାନରେ ଚାଲିଛି । ଏଠି ପିଲାଙ୍କ ସୁରକ୍ଷା ଦାୟିତ୍ୱ କାହାର ? ଅଘଟଣ ଘଟିଲେ, ପ୍ରଶାସନ ନା ସହାୟିକା କିଏ ରହିବେ ଦାୟୀ ?

ଅଧିକ ପଢ଼ନ୍ତୁ : ବାଲେଶ୍ୱର ଏସିଡ୍‌ ମାଡ଼ ଘଟଣା; ଅଭିଯୁକ୍ତ ଚନ୍ଦନ ରଣାକୁ ମୃତ୍ୟୁ ଦଣ୍ତାଦେଶ

କୋରାପୁଟରେ ୨,୯୧୩ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ । ୧୫ ଶହ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ, ପାନୀୟଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ । ୪୮୪ କେନ୍ଦ୍ର ସ୍କୁଲ ବାରଣ୍ଡା, କମ୍ୟୁନିଟି ସେଣ୍ଟର, ଭଡ଼ାଘରେ, ଗଛମୂଳେ ଚାଲିଛି । ସେଥିମଧ୍ୟରୁ ବୈପାରିଗୁଡ଼ା ବ୍ଲକରେ ୧୧ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ । ମାଠପଡ଼ା ସରପଞ୍ଚ କହୁଛନ୍ତି, ଏନେଇ ବିଡ଼ିଓଙ୍କ ଠାରୁ ଜିଲ୍ଲାପାଳ ସମସ୍ତଙ୍କୁ ଅଭିଯୋଗ କରାହୋଇଛି । କିନ୍ତୁ ନୂଆ କୋଠା ନିର୍ମାଣ ହୋଇପାରିନି ।

ଏହି ଯୋଜନା ଅଧୀନରେ ଅଙ୍ଗନବାଡ଼ିର ଭିତ୍ତିଭୂମି, କୋମଳିମତି ଶିଶୁଙ୍କ ପ୍ରାକ୍ ଶିକ୍ଷା ଓ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ କେନ୍ଦ୍ରରୁ ପ୍ରଚୁର ଅନୁଦାନ ଆସୁଛି । ସରକାରୀ ଟଙ୍କା ଯାଉଛି କୁଆଡ଼େ ? ଫାଇଲ୍‌ରେ ଚାଲିଥିବା ବିକାଶ ପିଲାଙ୍କୁ ଛୁଇଁବ କେବେ ? ଅଭିଯୋଗ କଲେ ବି କାହିଁକି ଚୁପ୍‌ ଶିକ୍ଷା ବିଭାଗ ?