କନକ ବ୍ୟୁରୋ : ହେଲମେଟ୍‌ ନପିନ୍ଧିବାର ଅଭ୍ୟାସ ରହିଛି କି  ? ରଙ୍ଗ୍‌ ରୁଟ୍‌ରେ ଯେମିତି ପାରିଲେ ସେମିତି ଗାଡ଼ି ଚଳାଇବା ଅଭ୍ୟାସରେ ପଡ଼ିଛନ୍ତି କି ? ଯଦି ଏମିତି ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ । ଏଣିକି ବେପରୁଆ ଗାଡ଼ି ଚାଳକଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ନିୟମ ଉଲ୍ଲଂଘନ କଲେ ବାତିଲ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ ।  କାରଣ ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜାରି ହୋଇଛି ସର୍କୁଲାର । ନିୟମିତ ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।  

Advertisment

ଏଣିକି ରାଜ୍ୟରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଟ୍ରାଫିକ ନିୟମ ଭାଙ୍ଗିଲେ… ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଓ ଗାଡ଼ିର ରେଜିଷ୍ଟ୍ରେସନ୍  ବାତିଲ ହୋଇପାରେ । ରାଜ୍ୟ ସଡ଼କ ପ୍ରାଧିକରଣ ଏନେଇ ବିଦ୍ଧିବଧ ନିର୍ଦ୍ଦେଶନାମା ଜାରି କରିଛି  । ମଦ ପିଇ ଗାଡ଼ି ଚଳାଇବା, ସ୍ପିଡ୍‌ ଲିମିଟ୍‌ ଅତିକ୍ରମ କରିବା, ଦୁର୍ଘଟଣାରେ ମୃତ୍ୟୁ କିମ୍ୱା ଆହତ ଘଟଣାରେ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ନେଇ ନିୟମ ରହିଛି । ବାରମ୍ବାର ନିୟମ ଉଲ୍ଲଂଘନ କଲେ ଗାଡ଼ି ଆର୍‌ସି ବାତିଲ କରିଦିଆଯିବ ବୋଲି ପରିବହନ ବିଭାଗ କହିଛି । ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବାହନ ଓ ସାରଥି ପୋର୍ଟାଲରେ ତୁରନ୍ତ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ସର୍କୁଲାରରେ ସ୍ପଷ୍ଟ କୁହାଯାଇଛି । 

ଅଧିକ ପଢ଼ନ୍ତୁ---ଦିଲ୍ଲୀରେ ଚିନ୍ତା ବଢ଼ାଇଲା ପ୍ରଦୂଷଣ: ଘରୁ ରହି କାମ କରିବେ ଅଧା ସରକାରୀ କର୍ମଚାରୀ:

ପ୍ରଥମେ ଏହି ଦୁଇଟି ସର୍କୁଲାରକୁ ବୁଝନ୍ତୁ । ରାଜ୍ୟ ସଡକ ପ୍ରାଧିକରଣ  ଗୋଟିଏ ସର୍କୁଲାର ଗତ ୨୦୧୫ ମସିହା ଅଗଷ୍ଟ ୨୫ ତାରିଖରେ ଜାରି କରିଥିଲା । ଏହାପରେ ଚଳିତ ବର୍ଷ ଜୁନ ୧୫ ତାରିଖରେ ଜାରି ହୋଇଥିଲା ।  ୧୦ ବର୍ଷ ତଳେ ଜାରି ହୋଇଥିବା ସର୍କୁଲାରରେ ବି ସମାନ କଥା ଲେଖାଯାଇଥିଲା । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ ବୋଲି ଲେଖାଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ପ୍ରଥମ ସର୍କୁଲାରକୁ ୧୦ ବର୍ଷ ବିତିଯାଇଥିଲେ ବି ନିୟମ କଡ଼ାକଡ଼ି ହୋଇପାରୁନି । ନିୟମ ଉଲ୍ଲଂଘନକାରୀ ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି । ପରିଣାମ ସ୍ୱରୂପ ସଡ଼କ ଦୁର୍ଘଟଣା ବେଳେ ବେଳେ ନୀରିହ ଲୋକଙ୍କ ପ୍ରାଣହାନୀ ଘଟୁଛି । ବାରମ୍ବାର ଚେତାବନୀ ଦେଲେ ସୁଧୁରିବାର ନାଁ ନେଉନାହାନ୍ତି ଅମାନିଆ । ଏ ଦିଗରେ ବଡ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଏଭଳି ସର୍କୁଲାର ଜାରି ହେବା ପରେ ସଜାଗ ହୋଇଯାଏ ପରିବହନ ବିଭାଗ। କିନ୍ତୁ କିଛି ଦିନ ପରେ ନିୟମ କେବଳ କାଗଜ କଲମରେ ହିଁ ସୀମିତ ରହିଯାଇଥାଏ ।