କନକ ବ୍ୟୁରୋ : ଦୀର୍ଘ ଅପେକ୍ଷାର ଅନ୍ତ । ସୁଦାନ ବିଦ୍ରୋହୀଙ୍କ କବଳରୁ ସୁରକ୍ଷିତ ଫେରିଲେ ଓଡ଼ିଆ ପୁଅ । ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଆଦର୍ଶ ବେହେରା ଘରକୁ ଫେରିବା ପରେ, ତାଙ୍କ ପରିବାର ଆଖିରେ ଖୁସିର ଲୁହ । ଭୁବନେଶ୍ୱରରେ ପହଞ୍ଚିବା ପରେ, ଆଦର୍ଶ ବଖାଣିଛନ୍ତି ଅନ୍ଧାରୀ ବନ୍ଦୀଶାଳାର ଅକଥନୀୟ ଅନୁଭୂତି ।
ଲୁହରେ ଭାସୁଛନ୍ତି ଆଦର୍ଶଙ୍କ ମାଆ । ଧାର ଧାର ହୋଇ ବହିଯାଉଛି ପୁଅକୁ ଫେରି ପାଇବାର ଖୁସି । ଏପଟେ ଆଦର୍ଶ ବି ମନଭରି ଗେଲ କରିପକାଉଛନ୍ତି କୁନି ପୁଅକୁ । ପୁଅ ୧୨ ଦିନର ହୋଇଥିଲା, ତାକୁ ଘରେ ଛାଡ଼ି ସୁଦାନ ଯାଇଥିଲେ ଆଦର୍ଶ । ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ, ପୁଣି କୁନି ପୁଅକୁ କୋଳେଇ ନେବାକୁ ୩ ବର୍ଷ ଲାଗିଯିବ । ଗୃହଯୁଦ୍ଧ ଚାଲିଥିବା ସୁଦାନରୁ ୩ ବର୍ଷ ପରେ ଘରକୁ ଫେରିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋଟକଣାର ଆଦର୍ଶ ବେହେରା । ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବା ପରେ ବଖାଣିଛନ୍ତି ସେଠାକାର ବନ୍ଦୀ ଜୀବନର ଯନ୍ତ୍ରଣା । ଥର ଥର କଣ୍ଠରେ କହିଛନ୍ତି- ଆଶା ନଥିଲା ବଞ୍ଚିକି ଫେରିବି ।
ଅଧିକ ପଢ଼ନ୍ତୁ : ମାଲକାନଗିରି ଜେଲ ପାଖ ବସ୍ତି ଉଚ୍ଛେଦ ନେଇ ପୌର ପରିଷଦଙ୍କ ଚିଠି ପରେ ତେଜିଲା ଅସନ୍ତୋଷ, ଘର ନୁହେଁ ସ୍ଥାନାନ୍ତର ହେଉ ଜେଲ୍
୨୦୨୨ରେ ସୁଦାନ ଯାଇଥିଲେ ଆଦର୍ଶ । ଗୃହଯୁଦ୍ଧ ଯୋଗୁ ଭାରତ ଫେରିପାରିନଥିଲେ । ପ୍ରାୟ ଦେଢ଼ ମାସ ତଳେ ତାଙ୍କୁ ଅପହରଣ କରିନେଇଥିଲେ ସୁଦାନର ବିଦ୍ରୋହୀ ଆର୍ଏସ୍ଏଫ୍ । ପ୍ରଥମ ଦିନ ପ୍ରବଳ ମାଡ଼ ମାରିଥିଲେ, ୩ ଦିନ ଜଙ୍ଗଲରେ ରଖିଥିଲେ । ସେ ଭାରତୀୟ ବୋଲି ଜାଣିବା ପରେ, ଆଉ ମାଡ଼ ମାରିନଥିଲେ ବି, ବନ୍ଦୀ ରଖିଥିଲେ ଏକ ଝରକା କି ଫ୍ୟାନ୍ ନଥିବା ଅନ୍ଧାରୁଆ କାଳ କୋଠରୀରେ । ଯେଉଁଠି ଦିନେ ଖାଇଲେ, ଦିନେ ଓପାସ । ଖାଦ୍ୟ କହିଲେ ଖଣ୍ଡିଏ ରୁଟି, ନହେଲେ ଗୋଟିଏ ବିସ୍କୁଟ୍ । ସେଠାରେ ମାସେ ୧୦ ଦିନ ରହିବା ପରେ, ରେଡକ୍ରସ୍, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହାୟତାରେ ସପ୍ତାହେ ତଳେ ମୁକୁଳିଥିଲେ ଆଦର୍ଶ ।
ଆଦର୍ଶ ଆଜି ଘରକୁ ଫେରିବା ପରେ ଗାଁରେ ଖୁସିର ଲହରି । ଜଗତସିଂହପୁରରେ ତାଙ୍କୁ ସ୍ୱାଗତ କରିଛନ୍ତି ଜିଲ୍ଲାପାଳ ଓ ଏସ୍ପି । ତାଙ୍କୁ ପାରାଦୀପ ପ୍ଲାଷ୍ଟିକ ପାର୍କରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/12/17/odisha-youth-returns-2025-12-17-22-14-10.jpg)