କନକ ବ୍ୟୁରୋ: ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କର ନିଶ୍ଚୟ ପିଏଫ୍ ଆକାଉଣ୍ଟ ରହିଥିବ । ପ୍ରତିମାସରେ ସେମାନେ ଯେଉଁ କମ୍ପାନୀରେ କାମ କରୁଛନ୍ତି, ସଂପୃକ୍ତ ବ୍ୟକ୍ତି ଓ କମ୍ପାନୀ ଉଭୟ ପ୍ରତିମାସରେ ପିଏଫ୍ରେ ଟଙ୍କା ଜମା କରନ୍ତି । ଏହା ଏକ ନିୟମିତ ପ୍ରକ୍ରିୟା । ଆକାଉଣ୍ଟରେ ଜମା ରଖିବା ପରେ ଆବଶ୍ୟକୀୟ ସ୍ଥଳେ ଟଙ୍କା ଉଠାଇ ପାରିବାର ବ୍ୟବସ୍ଥା ବି ରହିଛି । କିନ୍ତୁ ଅନେକ ଜାଣିନାହାନ୍ତି କି ଆକାଉଣ୍ଟରେ ଆପଣ କେବେ ଓ କେତେ ଟଙ୍କା ଉଠାଇପାରିବେ ।
PF କୁ ନେଇ ବଡ଼ ସୂଚନା
କେବେ ଓ କେତେ ଟଙ୍କା ଉଠାଇପାରିବେ ଆପଣ ?
ଜାଣିବା ନିହାତି ଦରକାର
ଟଙ୍କା ଉଠାଇବାର କ'ଣ ରହିଛି ନିୟମ ?
ପିଏଫ୍ ଆକାଉଣ୍ଟକୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅର୍ଥାତ୍ ଇପିଏଫ୍ଓ ଦ୍ବାରା ପରିଚାଳନା କରାଯାଏ । ନିୟମ ଅନୁସାରେ ପ୍ରତିମାସରେ କର୍ମଚାରୀ ଓ କମ୍ପାନୀ ଆକାଉଣ୍ଟରେ ଟଙ୍କା ଦାଖଲ କରନ୍ତି । ହେଲେ ଜରୁରୀ ସମୟରେ ଆପଣ ବି ନିଜ ଆକାଉଣ୍ଟର ଟଙ୍କା ଉଠାଣ କରିପାରିବେ । ଧରିନିଅନ୍ତୁ କୌଣସି କାରଣ ବଶତଃ ଆପଣ ଗୋଟିଏ ମାସରେ ଚାକିରି ହରାଇଲେ । ପରିବାର ଚଳାଇବାକୁ ଅସୁବିଧାର ସାମ୍ନା କରିପାରନ୍ତି ଆପଣ । ତେଣୁ ଏମିତି ସ୍ଥିତିରେ ସେହି ମାସରେ ଆପଣ ନିଜ ପିଏଫ୍ ଆକାଉଣ୍ଟରୁ ପାଖାପାଖି ୭୫ ପ୍ରତିଶତ ଟଙ୍କା ଉଠାଇପାରିବେ । ଠିକ୍ ସେହିପରି କୌଣସି ବ୍ୟକ୍ତି ଯଦି ଦୁଇମାସ କିମ୍ବା ତାହାଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଚାକିରି ହରାଇଥାଆନ୍ତି ତାହାଲେ ନିୟମ ଅନୁସାରେ ଆକାଉଣ୍ଟରୁ ସଂପୂର୍ଣ୍ଣ ଟଙ୍କା ଉଠାଇପାରିବେ । ଖାତା ଖୋଲିବାର ୩ ବର୍ଷ ପରେ ସେହି ଟଙ୍କାରେ ଆପଣ ଘର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିପାରିବେ ।
ଘର ନିର୍ମାଣ ଲାଗି
ଆକାଉଣ୍ଟରୁ ଉଠାଇପାରିବେ ୯୦ ପ୍ରତିଶତ ଟଙ୍କା
ଯେଉଁମାନେ ଚାକିରି କରୁଛନ୍ତି ଏବଂ ସେମାନେ ଘର ନିର୍ମାଣ କରିବା ଲାଗି ଋଣ ନେବାକୁ ଇଚ୍ଛା କରୁଛନ୍ତି । ଏମିତି କ୍ଷେତ୍ରରେ ପିଏଫ୍ ଆକାଉଣ୍ଟରୁ ୯୦ ପ୍ରତିଶତ ଟଙ୍କା ଉଠାଇପାରିବେ ଡାଉନ୍ ପେମେଣ୍ଟ ଦେବାକୁ । ଠିକ୍ ସେହିପରି ଚାକିରି ସରିବା ପରେ ସଂପୃକ୍ତ ବ୍ୟକ୍ତି ଫାଇନାଲ୍ ସେଟେଲ୍ମେଣ୍ଟ ପାଇଁ ଆବେଦନ କରିବାକୁ ପଡ଼ିଥାଏ । ଖାସ୍ କଥା ହେଲା, ଅବସର ପରେ ଆକାଉଣ୍ଟରୁ ଯେଉଁ ଟଙ୍କା ଉଠାଇବେ ସେଥିରେ କୌଣସି ପ୍ରକାର ଟାକ୍ସ ଲାଗେ ନାହିଁ । କିନ୍ତୁ ଖାତା ଖୋଲିବାର ୫ ବର୍ଷ ମଧ୍ୟରେ ଯଦି ଆପଣ ଟଙ୍କା ଉଠାଉଛନ୍ତି ତାହାଲେ ଟାକ୍ସ ଲାଗିଥାଏ । ଯଦି ୫୦ ହଜାର ଟଙ୍କା ଆପଣ ଉଠାଉଛନ୍ତି ତା'ହେଲେ ଟିଡିଏସ୍ ଲାଗୁ ହେବା ନେଇ ନିୟମ ରହିଛି ।
ପାନ୍ ଥିଲେ ମିଳିବ ବଡ଼ ରିହାତି
ଆଜିକାଲ ପାନ୍ ଓ ଆଧାର କାର୍ଡ ପ୍ରତି କ୍ଷେତ୍ରରେ ଆବଶ୍ୟକତା ପଡୁଛି । ଠିକ୍ ସେହିପରି ପିଏଫ୍ ଆକାଉଣ୍ଟରେ ବି ଏହା ଜରୁରୀ । ଅର୍ଥାତ୍ ଯେବେ ଆପଣ ଆକାଉଣ୍ଟରୁ ଟଙ୍କା ଉଠାଉଛନ୍ତି ସେହି ସମୟରେ ଯଦି ପାନ୍ କାର୍ଡ ଦେଖାଇବେ ତାହାଲେ ଟିଡିଏସ୍ରେ ମାତ୍ର ୧୦ ପ୍ରତିଶତ ଟଙ୍କା କଟୁଥିବା ବେଳେ ପାନ୍ ନଦେଖାଇଲେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଟାକ୍ସ ଲାଗୁହେବ ।
ମୋଟ୍ ଉପରେ ମନଇଚ୍ଛା ଆପଣ ଚାହିଁଲେ ପିଏଫ୍ ଆକାଉଣ୍ଟର ବ୍ୟବହାର କରିପାରିବେ ନାହିଁ । ଟଙ୍କା ଉଠାଇବାକୁ ହେଲେ ନିର୍ଦ୍ଧାରିତ ନିୟମ ଅନୁସାରେ ହିଁ ଆପଣଙ୍କୁ ଯିବାକୁ ପଡ଼ିବ ।