କନକ ବ୍ୟୁରୋ: କେବେ ହେବ ଓଡ଼ିଶା ବିଜେପି ସଭାପତିଙ୍କ ନାଁ ଘୋଷଣା । ଏ ଚର୍ଚ୍ଚା ଆଜି କି କାଲିର ନୁହେଁ ବରଂ ୩ ମାସର । ବାରମ୍ବାର ତାରିଖ ବଦଳାଇବାରେ ବ୍ୟସ୍ତ ବିଜେପି ନେତା । ଆଜି କରିବୁ କାଲି କରିବୁ…ଏଇ ମାସରେ ହେବ, ମାସ ଶେଷରେ ହେବ….ଏମିତି କିଛି ବୟାନ ଦେଇ ଗଣମାଧ୍ୟମର ସିନା ହେଡ୍ଲାଇନ ହେଉଥିଲେ କିନ୍ତୁ ସଭାପତି ପଦରେ ଯେ କେଁ ରହିଛି ତାହା କିନ୍ତୁ ଜଳଜଳ ହୋଇ ଦିଶୁଛି । ଏବେ ପୁଣି ଦଳର ସାଂସଦ କହିଲେଣି ଆସନ୍ତା ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଏହାପରେ ସଭାପତି ଚୟନ ହେବ । ଅର୍ଥାତ୍ ଏବେ ସଭାପତି ଚୟନ ହେବ ନାହିଁ ସ୍ପଷ୍ଟ ହୋଇଛି ।
କଥା ଦେଇ କଥା ରଖିପାରିଲେନି
ମାର୍ଚ୍ଚ ସରିବାକୁ ବସିଲା, ସଭାପତିଙ୍କ ନାଁ ଘୋଷଣା ହେଲାନି
ଦଳୀୟ କନ୍ଦଳକୁ ସମାଧାନ କରିବେ କି ନଡ୍ଡା ?
ନା ଅନ୍ୟ କିଛି କାରଣ ରହିଛି
ବିବାଦ ନା କନ୍ଦଳ
କାହିଁକି ବିଳମ୍ଭ ହେଉଛି ସଭାପତି ଚୟନ
ଭାରତୀୟ ଜନତା ପାର୍ଟି । କେନ୍ଦ୍ର ଓ ରାଜ୍ୟରେ ସରକାରରେ ଅଛି । ହେଲେ ସଭାପତି ପଦକୁ ନେଇ କେଁ ଦେଖାଦେଇଛି । ଏବେ ପ୍ରଶ୍ନ, ମନମୋହନ ସାମଲଙ୍କ ପରେ ଦଳ କେଉଁ ନେତାଙ୍କ ଉପରେ ଭରସା କରିବ ? ସଭାପତି ଆଶାରେ ଅଧିକ ସଂଖ୍ୟାରେ ଆଶାୟୀ ଅଛନ୍ତି କି ? କାହା ଉପରେ ଭରସା କରିବ କେନ୍ଦ୍ର ନେତୃତ୍ବ ? କିଛି ଏମିତି ପ୍ରଶ୍ନ ସାଧାରଣରେ ଏବେ ଉଙ୍କି ମାରୁଛି ।
କେନ୍ଦ୍ର ଡେରି କରୁଛି ନା ରାଜ୍ୟ ?
କେଁ ରହିଛି କେଉଁଠି ?
କଥାହେଲା, ବିଜେପି ରାଷ୍ଟ୍ରୀୟ ଦଳ ହୋଇଥିବାରୁ ସଭାପତି ପଦ ପାଇଁ କେନ୍ଦ୍ର ନେତୃମଣ୍ଡଳ ହିଁ ନିଷ୍ପତ୍ତି ନେବେ । ତେଣୁ ରାଜ୍ୟ ନେତା କେନ୍ଦ୍ର ଉପରେ ନିଷ୍ପତ୍ତି ଛାଡ଼ି ଦେଇ ଅପେକ୍ଷା କରିଥିବା ପରି ମନେ ହେଉଛି । ହେଲେ ରାଜ୍ୟ ନେତୃତ୍ବ ସହ ଆଲୋଚନା ନକରି କେନ୍ଦ୍ର ନେତୃତ୍ବ କେବେ ବି ସଭାପତି ଚୟନ କରିବ ନାହିଁ । ତେଣୁ ଗୋଳିଆ କଥାରୁ ଜଣାପଡୁଛି କି, ରାଜ୍ୟ ନେତୃତ୍ବ ପ୍ରାର୍ଥୀଙ୍କ ନା ବାଛିବାରେ ବିଳମ୍ବ କରୁଛନ୍ତି । ଅବଶ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି କେବଳ ଅନୁମାନ କରାଯାଉଛି । ସେପଟେ ବିଧାନସଭା ସରିବା ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଛି । ତେଣୁ ଏକସଙ୍ଗରେ ବୋଧହୁଏ କେନ୍ଦ୍ର ନେତୃତ୍ବ ଦୁଇଟି ବଡ଼ ନିଷ୍ପତ୍ତି ନେଇପାରନ୍ତି । ବିଧାନସଭା ନିର୍ବାଚନ ସରିବା ପରେ ନୂଆ ସଭାପତି ପଦରେ କିଏ ବସିବେ ତାହାକୁ ଏବେ ଅପେକ୍ଷା ।