କନକ ବ୍ୟୁରୋ : ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଏକ ଆବେଦନର ଜବାବ ଦାଖଲ କରିବା ପାଇଁ ସମୟ ଦେଇଛନ୍ତି । ଏହି ଆବେଦନରେ ଭୋଟର ତାଲିକାରେ କଥିତ ଜାଲିଆତି ମାଧ୍ୟମରେ ତାଙ୍କ ନାମ ସାମିଲ କରାଯିବା ଅଭିଯୋଗରେ FIR ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଛି । ମାଜିଷ୍ଟ୍ରେଟ୍‌ଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରାଯାଇଛି, ଯେଉଁଥିରେ ଅଭିଯୋଗର ତଦନ୍ତ କରିବାକୁ ମନା କରାଯାଇଥିଲା । ଅଭିଯୋଗ ଅନୁଯାୟୀ, ୧୯୮୩ ମସିହାରେ ଭାରତୀୟ ନାଗରିକତ୍ୱ ପାଇବାର ୩ ବର୍ଷ ପୂର୍ବରୁ ହିଁ  ସୋନିଆ ଗାନ୍ଧୀଙ୍କ ନାମ ଭୋଟର ତାଲିକାରେ ଥିଲା ।

Advertisment

ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ ସୋନିଆ ଗାନ୍ଧୀଙ୍କ ଓକିଲଙ୍କ ଅନୁରୋଧକୁ ଗ୍ରହଣ କରି ମାମଲାର ଶୁଣାଣିକୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସ୍ୱତନ୍ତ୍ର ବିଚାରପତି ଗତ ବର୍ଷ ଡିସେମ୍ବର ୯ ତାରିଖରେ ଏହି ଆବେଦନ ଉପରେ ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଥିଲେ । ରାଉଜ୍ ଆଭେନ୍ୟୁ କୋର୍ଟର ‘ସେଣ୍ଟ୍ରାଲ ଦିଲ୍ଲୀ କୋର୍ଟ ବାର୍ ଆସୋସିଏସନ’ର ଉପାଧ୍ୟକ୍ଷ ଆଡଭୋକେଟ୍ ବିକାଶ ତ୍ରିପାଠୀ ଏହି ପୁନର୍ବିଚାର ଆବେଦନ ଦାୟର କରିଛନ୍ତି ।

ଅଧିକ ପଢ଼ନ୍ତୁ---ମହାରାଷ୍ଟ୍ର ରାଜନୀତିରେ ମହାନାଟକ ; ମେଣ୍ଟରୁ ଦୂରାଉଛନ୍ତି ଅଜିତ ପାୱାର

ଆଡଭୋକେଟ୍‌ ବିକାଶ ତ୍ରିପାଠୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍‌ ପୱନ ନାରଙ୍ଗ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ ଯେ ଜାନୁଆରୀ ୧୯୮୦ରେ ସୋନିଆ ଗାନ୍ଧୀଙ୍କ ନାମ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀର ଭୋଟର ଭାବରେ ଯୋଡା ଯାଇଥିଲା । ଯେତେବେଳେ କି ସେ ଭାରତୀୟ ନାଗରିକ ନଥିଲେ । ଆବେଦନରେ ବିକାଶ ତ୍ରିପାଠୀ ଜାଲିଆତି ଏବଂ ପ୍ରତାରଣାର ଦାବି କରିଛନ୍ତି ।

୧୧ ସେପ୍ଟେମ୍ବରର ଆଦେଶରେ ମାଜିଷ୍ଟ୍ରେଟ କୋର୍ଟ ଏହି ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭାବେ ନିଜର ଅଧିକାର କ୍ଷେତ୍ର ବାହାରେ ବୋଲି କହିଥିଲେ । କୋର୍ଟ କହିଥିଲେ ଯେ, ଏଭଳି ତଦନ୍ତ ଆରମ୍ଭ କରିବା ପାଇଁ ଚେଷ୍ଟା କରିବା ମଧ୍ୟ ସକ୍ଷମ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଦାୟିତ୍ୱରେ ଅନୁଚିତ ହସ୍ତକ୍ଷେପ ଏବଂ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୯ର ଉଲ୍ଲଂଘନ ହେବ । ଅଭିଯୋଗକାରୀଙ୍କୁ ସତର୍କ କରାଇ କୋର୍ଟ କହିଥିଲେ ଯେ ଯାହା ପ୍ରତ୍ୟକ୍ଷ ଭାବରେ କରାଯାଇପାରିବ ନାହିଁ, ତାହା ପରୋକ୍ଷ ଭାବରେ ମଧ୍ୟ କରାଯାଇପାରିବ ନାହିଁ । କେବଳ BNS ୨୦୨୩ ଅଧୀନରେ ଅପରାଧଗୁଡ଼ିକୁ ଯୋଡ଼ିଦେବା ମାତ୍ରକେ ଏହି କୋର୍ଟର ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ କାର୍ଯ୍ୟରେ କୌଣସି ହସ୍ତକ୍ଷେପକୁ ଉଚିତ୍ ବୋଲି ଦର୍ଶାଯାଇପାରିବ ନାହିଁ ।